କାଳିଆ ପାଇଁ ବାହାରିଲେ ଚାଷୀ

ସହାୟତା ଚାଲୁ ରଖିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି କଲେ ବଲାଙ୍ଗୀର ଓ ବରଗଡ଼ର ଚାଷୀ ସଂଗଠନ

ଭୁବନେଶ୍ବର: କାଳିଆ ଅର୍ଥ ବନ୍ଦ ହୋଇଥିବା ନେଇ ଏବେ ଅଣ୍ଟାଭିଡ଼ିଛନ୍ତି ଚାଷୀ ସଂଗଠନ। ନିର୍ବାଚନ ଆଚରଣ ବିଧି ଯୋଗୁଁ କାଳିଆ ସହାୟତା ଦେବାକୁ ଅନୁମତି ଦେଉନାହାନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଏ ନେଇ ବାରମ୍ବାର ବିଜୁ ଜନତା ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ହେଲେ ଆଜି ଏ ନେଇ ଖୋଦ ଚାଷୀମାନେ ଏବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସହାୟତା ବଣ୍ଟନ ପାଇଁ ଅନୁମତି ଦେବାକୁ ଦାବି କରିଛନ୍ତି। ଗୁରୁବାର ବଲାଙ୍ଗୀରର ଚାଷୀ ଓ ବରଗଡ଼ର ଚାଷୀ ସଂଗଠନ ଲିଖିତ ଭାବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଭେଟି ବଲାଙ୍ଗୀରର ୫୦ରୁ ଅଧିକ ଚାଷୀ ଓ ବରଗଡ଼ର ଚାଷୀ ସଂଗଠନ ସମନ୍ବୟ ସମିତି କାଳିଆ ସହାୟତା ଅର୍ଥ ପ୍ରଦାନ ପାଇଁ ତୁରନ୍ତ ଅନୁମତି ଦେବାକୁ ଦାବି କରିଛନ୍ତି। ସକାଳେ ବଲାଙ୍ଗୀରର ଚାଷୀମାନେ ଶ୍ରୀକୁମାରଙ୍କୁ ଭେଟି ସେମାନଙ୍କ ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ସ୍ମାରକ ପତ୍ରରେ ଦର୍ଶାଇଛନ୍ତି, ଖରିଫ ଋତୁ ଚାଷ ପାଇଁ ଜମି ପ୍ରସ୍ତୁତ ହୋଇ ରହିଥିବାବେଳେ କାଳିଆ ଟଙ୍କା ପାଇଲେ ଚାଷ ପାଇଁ ବହୁମାତ୍ରାରେ ସହାୟକ ହେବ। ଜିଲ୍ଲାର ଲକ୍ଷଲକ୍ଷ ଚାଷୀ ଏହି ଟଙ୍କାକୁ ଚାହିଁବସିଛନ୍ତି। ବିଜେପି ଚାପର ବଶବର୍ତ୍ତୀ ହୋଇ ନିର୍ବାଚନ ଅଧିକାରୀ ଏହି ସହାୟତା ପ୍ରଦାନ ବନ୍ଦ କରିଥିବା ନେଇ ଚାଷୀମାନେ ଗଣମାଧ୍ୟମରୁ ଜାଣିବାକୁ ପାଇଥିବା ଦର୍ଶାଇଛନ୍ତି। କାଳିଆ ଅର୍ଥ ଖୁବଶୀଘ୍ର ପ୍ରଦାନ କରାନଗଲେ ଜିଲ୍ଲାରେ ଚାଷ ବିପର୍ଯ୍ୟସ୍ତ ହେବ ବୋଲି ଶ୍ରୀକୁମାରଙ୍କ ପାଖରେ ଚାଷୀମାନେ ଦାବି ରଖିଛନ୍ତି।

କାଳିଆ ଯୋଜନା ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ କାର୍ଯ୍ୟକାରି ହୋଇଛି। ପୂର୍ବରୁ କାର୍ଯ୍ୟକାରି ହୋଇଥିବା ଯୋଜନାରେ ସହୟତା ପ୍ରଦାନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଦର୍ଶାଇଛି ବରଗଡ଼ର ଚାଷୀ ସଂଗଠନ ସମନ୍ବୟ ସମିତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜିଲ୍ଲାର ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଦାବି ପତ୍ରରେ ଦର୍ଶାଯାଇଛି, ଚାଷୀ ସବୁବେଳେ ବହୁବିଧ ସମସ୍ୟା ଦେଇ ଗତି କରୁଛି। କିନ୍ତୁ କାଳିଆ ଯୋଜନା ପ୍ରଣୟନ ହେବା ପରେ ଚାଷୀଙ୍କ ଦୁଃଖ ଲାଘବ ହେବାରେ କିଛି ମାତ୍ରାରେ ସହାୟକ ହୋଇଛି। ଏହି ଯୋଜନାରେ ପ୍ରଥମ କିସ୍ତିରେ ୫ ହଜାର ଓ ଦ୍ବିତୀୟ କିସ୍ତିରେ ଆଉ ୫ ହଜାର ଟଙ୍କା ପାଇଥିଲେ ଚାଷୀଙ୍କ ଅନେକ ସମସ୍ୟାର ସମାଧାନ ହୋଇପାରିଥାନ୍ତା। ଏପ୍ରିଲ ମାସରେ ପିଲାଛୁଆଙ୍କ ନାମଲେଖାଠାରୁ ଆରମ୍ଭ କରି କୃଷିକାର୍ଯ୍ୟ ଆରମ୍ବ କରିବାର ପ୍ରକୃଷ୍ଟ ସମୟ। ଏହି ସମୟ ଚାଲିଗଲେ ଚାଷ ଓ ଚାଷୀର ପରିବାର ବହୁ ମାତ୍ରାରେ ପ୍ରଭାବିତ ହୋଇଯିବ। ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଜିଲ୍ଲାର ୬୬ଟି ଗ୍ରାମପଞ୍ଚାୟତର ଚାଷୀଙ୍କୁ ବୀମା କମ୍ପାନୀ ଅର୍ଥ ପ୍ରଦାନ କରିନାହିଁ। ଫଳରେ ଚାଷୀ ଆର୍ଥିକ ଅନାଟନ ଦେଇ ଗତି କରୁଛି। ଏହାର ସମାଧାନ ସ୍ବରୁପ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ପରି କାଳିଆ ଯୋଜନାକୁ ତୁରନ୍ତ ଚାଲୁ କରିବାକୁ ଅନୁମତି ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ଏହାସହିତ ୨୦୧୭ ଖରିଫ ଋତୁର ଫସଲ ବୀମା ଅର୍ଥ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଚାଷୀ ସଂଗଠନ ସମନ୍ବୟ ସମିତି ଦାବି କରିଛି।

ପୂର୍ବରୁ କାର୍ଯ୍ୟକାରୀ ହୋଇଥିବା ଯୋଜନା ପାଇଁ କିଛି ଅସୁବିଧା ନାହିଁ: ଚାଷୀ ସଂଗଠନ

ବିଜେଡି ଦ୍ବାରା କାଳିଆ ଯୋଜନାର ବେଆଇନ ପ୍ରଚାର ହେଉଛି : ବିଜେପି
ସିଇଓଙ୍କ ନିକଟରେ ଫେରାଦି, କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର: ପୁଣି କାଳିଆ ଯୋଜନାକୁ ନେଇ ବିଜେଡି ଓ ସିଇଓଙ୍କୁ ଟାର୍ଗେଟ୍ କରିଛି ବିଜେପି। ଦଳ ପକ୍ଷରୁ ଅଭିଯୋଗ କରାଯାଇଛି, ଶାସକ ବିଜେଡି ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରି ୩୦୦ରୁ ଅଧିକ ଏଲ୍‌ଇଡି ଲାଗିଥିବା ଗାଡ଼ିରେ କାଳିଆ ଯୋଜନାର ପ୍ରଚାର କରୁଛି। ସିଇଓ ଏଥି ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାର ପ୍ରଚାର ପାଇଁ ୫୦ଟି ଗାଡ଼ିର ଅନୁମୋଦନ ମିଳିଲା ନାହିଁ। ଏଥିରୁ ଜଣାପଡ଼ୁଛି ସିଇଓ ବିଜେଡିକୁ ସୁହାଇଲା ପରି କାର୍ଯ୍ୟ କରୁଛନ୍ତି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ସିଇଓଙ୍କୁ ଭେଟି ଏ ନେଇ ଦାବି ପତ୍ର ପ୍ରଦାନ କରିଥିଲେ। ଏହା ପରେ ଗଣମାଧ୍ୟମକୁ ଶ୍ରୀ ମହାନ୍ତି କହିଲେ, ରାଜ୍ୟର ଚାଷୀମାନଙ୍କୁ କାଳିଆ ଯୋଜନା ନାଁରେ ପ୍ରଲୋଭିତ କରିବାକୁ ବିଜେଡି ଅପଚେଷ୍ଟା କରୁଛି। ସେଥି ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ସତ୍ତ୍ବେ କାଳିଆ ଯୋଜନାର ପ୍ରଚାର ଗାଡ଼ି ଚାରିଆଡ଼େ ବୁଲୁଛି। ଅପର ପକ୍ଷରେ କାଳିଆ ଯୋଜନାକୁ ଲାଗୁ କରିବା ପାଇଁ ସରକାର ସେହି ଅନୁସାରେ ବଜେଟ୍‌ କରି ନାହାନ୍ତି। ଯୋଜନାର ହିତାଧିକାରୀଙ୍କ ସମ୍ପର୍କରେ ମିଥ୍ୟା ତଥ୍ୟ ରଖି ନିର୍ବାଚନ ପାଇଁ ଟଙ୍କା ବାଣ୍ଟି ଭୋଟ୍‌ ହାତେଇବାକୁ ବସିଛି ବିଜେଡି। ତେଣୁ ତୁରନ୍ତ କାଳିଆ ଯୋଜନା ପ୍ରଚାର ଗାଡ଼ିକୁ ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ ବିଜେପି ପ୍ରତିନିଧି ଦଳ ଦାବି କରିଥିଲେ। ପ୍ରତିନିଧି ଦଳରେ ଲେଖାଶ୍ରୀ ସାମନ୍ତସିଂହାର, ଜୀବନ ସାହୁ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର