ବଳଦ ପାଇଁ ଜୀବନ ହାରିଲେ ଚାଷୀ

ସୁନ୍ଦରଗଡ଼ : ଚାଷ ପାଇଁ ଏକମାତ୍ର ସାହା ଭରସା ଥିଲେ ହଳେ ବଳଦ। ଆଉ ସେହି ହଳେ ବଳଦରୁ ଗୋଟିଏ ବଳଦର ୪ ଦିନ ତଳେ ଆକସ୍ମିକ ମୃତ୍ୟୁ ହୋଇଥିଲା। ଏଣୁ ଚଳିତ ବର୍ଷର ଚାଷ କିଭଳି ହେବ ଦୁଶ୍ଚିନ୍ତାରେ ବୁଡ଼ିରହିଲେ ବାଲିଶଙ୍କରା ବ୍ଲକ ରାମପୁର ପଞ୍ଚାୟତ ଖମପୁର ଗ୍ରାମର ମଙ୍ଗଳୁ ନାଏକ (୬୦)। ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ସେ ୩ ଦିନ ତଳେ ବିଷ ପିଇଥିଲେ। ଆଜି ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଘଟିଛି। ଖମପୁରର ମୂଳ ନିବାସୀ ମଙ୍ଗଳୁ ଜଣେ ନାମମାତ୍ର ଚାଷୀ। ପରିବାର କହିଲେ ସ୍ତ୍ରୀ ତୁଳସୀ (୫୫), ତିନି ଝିଅ ଓ ଦୁଇପୁଅ ସ୍ୱପ୍ନେଶ୍ୱର (୨୯) ପରମେଶ୍ୱର (୧୭)। ଦୁଇ ଝିଅ ବିବାହ କରିସାରିଥିବାବେଳେ ପରିବାରର ଆର୍ଥିକ ଭାର ମୁଣ୍ଡାଇବାକୁ ଦୁଇ ପୁଅ ଗୋଆରେ ଦାଦନ ଖଟି ମାଛଧାରାରେ ନିୟୋଜିତ। ଘରେ ଥିବା ସାନ ଝିଅ ସୁରପୀ (୨୫) ମଧ୍ୟ ଅନ୍ୟ ଘରେ କାମ କରି ପରିବାରକୁ ସାହାଯ୍ୟ କରୁଛନ୍ତି। ମଙ୍ଗଳୁଙ୍କର ସ୍ୱଳ୍ପ ପରିମାଣର ଜମି ଥିବାବେଳେ ସେ ହଳେ ବଳଦରେ ଚାଷ କରୁଥିଲେ। ଗତ ୫ ତାରିଖରେ ତାଙ୍କର ଗୋଟିଏ ବଳଦର ଆକସ୍ମିକ ମୃତ୍ୟୁ ହୋଇଥିଲା। ନୂଆ ବଳଦ କିଣିବାକୁ ପାଖରେ ସମ୍ବଳ ନ ଥିବାରୁ ଏ ବର୍ଷ ଚାଷ କେମିତି କରିବେ ଚିନ୍ତାରେ ମଙ୍ଗଳୁ ଭାଙ୍ଗି ପଡ଼ିଥିଲେ।

ଗତ ୮ ତାରିଖ ଦିନ ପ୍ରାୟ ୨ଟାରେ ଘରେ କେହି ନଥିବା ବେଳେ ଚାଷ ପାଇଁ ଆଣିଥିବା କୀଟନାଶକ ପିଇ ଦେଇଥିଲେ। ଘଟଣା ଜଣାପଡ଼ିବା ପରେ ତୁରନ୍ତ ତାଙ୍କୁ ପ୍ରଥମେ ସବ୍‌ଡେଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର