ରଜରେ ଅଘଟଣ : ଝିଅକୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା

କଣ୍ଟିଲୋ : ଆଜି କଣ୍ଟିଲୋ ମହାନଦୀରେ ବୁଡ଼ିଯାଇ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ନୟାଗଡ଼ ଜିଲ୍ଲା କାଳିକାପ୍ରସାଦ ନିକଟସ୍ଥ ଚିନାରା ଗ୍ରାମର ସୁରେଶ ରାଉତ (୪୫)। ରଜସଂକ୍ରାନ୍ତି ଅବସରରେ ନିଜ ପରିବାର ସହ ନୀଳମାଧବ ମନ୍ଦିର ଦର୍ଶନ ପାଇଁ ଆସି ନଦୀରେ ଗାଧେଇବା ସମୟରେ ସ୍ରୋତରେ ଭାସି ଯାଇ ସୁରେଶଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଆଜି ଦ୍ବିପ୍ରହର ପ୍ରାୟ ୧୨ଟା ସମୟରେ ସୁରେଶ ନିଜ ସ୍ତ୍ରୀ, ଝିଅ, ଭାଣିଜୀ ଓ ଶାଳକଙ୍କ ସହ ନୀଳମାଧବ ଦର୍ଶନ କରିବାକୁ ପହ‌ଞ୍ଚିଥିଲେ। ଦର୍ଶନସାରି ନୀଳମାଧବ ମନ୍ଦିର ପଶ୍ଚିମଦ୍ବାର ରାସ୍ତାରେ ଅବସ୍ଥିତ ଗଙ୍ଗା ମାତା ମନ୍ଦିର ନିକଟସ୍ଥ ନଦୀକୂଳ ଘାଟରେ ପରିବାର ସହ ନୌକା ବିହାର କରିଥିଲେ। ମହାନଦୀର ଅପରପାର୍ଶ୍ବରେ ପହ‌ଞ୍ଚି ନିଜ ପରିବାର ସହ ଗାଧେଇବା ସମୟରେ ସୁରେଶଙ୍କ ଝିଅ ପ୍ରଥମେ ସ୍ରୋତରେ ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ସୁରେଶ ନଦୀକୁ ଡେଇଁଥିଲେ। ତେବେ ଝିଅକୁ କୂଳକୁ ଆଣିଥିଲେ ମଧ୍ୟ ସେ ମହାନଦୀ ସ୍ରୋତରେ ଆଉ ଫେରି ପାରିନଥିଲେ। କ୍ରମେ ନଦୀ ଗର୍ଭକୁ ଯାଉଥିବା ଦେଖି ପରିବାର ଲୋକେ ଚିତ୍କାର କରିଥିଲେ। ସ୍ଥାନୀୟ ଗ୍ରାମବାସୀ ଅଗ୍ନିଶ୍ରମ ବିଭାଗକୁ ଖବର ଦେବା ସହ ଘଟଣାସ୍ଥଳରେ ପହ‌ଞ୍ଚି ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ତେବେ ଏହି ଅଘଟଣା ସ୍ଥାନୀୟ ଅଞ୍ଚଳରେ ଦୁଃଖଦ ପରିବେଶ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର