ବୈତରଣୀ ବିରୋଧରେ ଷଡ଼୍‌ଯନ୍ତ୍ର!

ଶୁଷ୍କ ହୋଇଗଲାଣି ଚିରସ୍ରୋତା ନଦୀ, ଶୋଷୁଛନ୍ତି ଶିଳ୍ପସଂସ୍ଥା, ଚାଷୀ ଜଳକା

ଭୁବନେଶ୍ୱର: ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ଶିଳ୍ପପତିଙ୍କୁ ପାଣି ଦେବା ପାଇଁ ପ୍ରକଳ୍ପ କରୁଛି ବୋଲି ଓଡ଼ିଶାରେ ପ୍ରବଳ ବିରୋଧ। ମହାନଦୀ ଶୁଖିଯାଉଥିବା ଘଟଣାରେ କେବଳ ରାଜ୍ୟବାସୀ ଆତଙ୍କିତ ତା’ ନୁହେଁ, ଏହାକୁ ନେଇ ଜନଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଲାଣି। ହେଲେ ମହାନଦୀ ପାଇଁ ଚିନ୍ତାପ୍ରକଟ କରୁଥିବା ରାଜ୍ୟ ସରକାରଙ୍କର ଚିରସ୍ରୋତା ବୈତରଣୀ ନଦୀ କ୍ଷେତ୍ରରେ ଆଭିମୁଖ୍ୟ ଏବେ ଆଉ ଏକ ବିତର୍କକୁ ଜନ୍ମ ଦେଇଛି। ଚାଷୀ ଓ ନଦୀ ସଂଲଗ୍ନ ଅଞ୍ଚଳ ବାସିନ୍ଦାଙ୍କ ସ୍ୱାର୍ଥକୁ ପଛକୁ ଠେଲି ଦେଇ ବୈତରଣୀ ନଦୀର ପାଣିକୁ ଶିଳ୍ପପତିଙ୍କୁ ଟେକି ଦିଆଯାଇଥିବା ଘଟଣା ବଡ଼ ଆନ୍ଦୋଳନ ଆଡ଼କୁ ମୁହାଁଇଲାଣି। ମହାନଦୀ କ୍ଷେତ୍ରରେ ରାଜ୍ୟ ସରକାର ଛତିଶଗଡ଼କୁ ଦାୟୀ କରୁଥିବା ବେଳେ ବୈତରଣୀ ପ୍ରତି ହେଉଥିବା ଅନ୍ୟାୟର ଦୋଷ କିଏ ମୁଣ୍ଡାଇବ?

ବର୍ଷାଧିକ କାଳ କେନ୍ଦୁଝର ସମେତ ରାଜ୍ୟର ବୁଦ୍ଧିଜୀବୀମହଲ, ପରିବେଶବିତ୍‌ ଏ ନେଇ ତମ୍ବିତୋଫାନ କରୁଥିବା ବେଳେ ରାଜ୍ୟ ସରକାର କିନ୍ତୁ ବେଫିକର। କେବଳ ସେତିକି ନୁହେଁ, କେଉଁ ପରିସ୍ଥିତିରେ ଓ କାହା ପାଇଁ ଲକ୍ଷ ଲକ୍ଷ ଚାଷୀଙ୍କ ସ୍ୱାର୍ଥକୁ ଠେଲି ଦିଆଯାଇ କାନୁପୁର ଜଳସେଚନ ପ୍ରକଳ୍ପକୁ ଶୀତଳଭଣ୍ଡାରରେ ପକାଇ ଦିଆଯାଇଛି, ତାହା ବି ବୁଝାପଡ଼ୁନାହିଁ। ପ୍ରଶାସନର ଆନ୍ତରିକତା ଏମିତି ଯେ ଗତ ସପ୍ତାହ ହୋଇଥିବା ଆର୍‌ପିଡିଏସି ବୈଠକରେ ଠୋସ୍‌ କିଛି ନିଷ୍ପତ୍ତି ନିଆଯାଇପାରି ନାହିଁ। ବିସ୍ଥାପନ ପ୍ରସଙ୍ଗ ସମାଧାନ ରାସ୍ତା ବାହାରି ପାରୁନାହିଁ। ଉଲ୍ଲେଖଯୋଗ୍ୟ, ବୈତରଣୀ ନଦୀର ବିଶେଷତ୍ୱ ହେଉଛି, ଏହି ନଦୀରୁ ଓଡ଼ିଶାରୁ ବାହାରିଛି ଓ ଓଡ଼ିଶା ଉପକୂଳରେ ହିଁ ସମୁଦ୍ରରେ ମିଶିଛି। ଏଠି ବିବାଦ ନାହିଁ କି ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ନାହିଁ। କୌଣସି ରାଜ୍ୟ ଚିରସ୍ରୋତା ବୈତରଣୀ ପାଣିକୁ ଅଟକାଇବାର ସୁଯୋଗ ନାହିଁ କିମ୍ବା ଏ ନଦୀ ମହାନଦୀ ଭଳି ଏତେ ଦୀର୍ଘ ନୁହେଁ ଯେ ଯାହା ପାଇଁ ସରକାରଙ୍କୁ ବହୁତ କିଛି କରିବାକୁ ପଡ଼ିବ। ତଥାପି ମହାନଦୀ ପଛକୁ ବୈତରଣୀ ସୁରକ୍ଷା ଏବେ ରାଜ୍ୟରେ ପୁଣି ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହେଲାଣି। ସ୍ଥାନୀୟ ବାସିନ୍ଦା ଓ ସମାଜସେବୀଙ୍କର ଅଭିଯୋଗ ହେଲା, ପ୍ରଶାସନ ଓ ଶିଳ୍ପ ସଂସ୍ଥା ବୈତରଣୀ ତଣ୍ଟି ଉପରେ ଖୋଜ ପକାଇବା କାରଣରୁ ନଦୀ ଓ ତତ୍‌ସଂଲଗ୍ନ ଲୋକେ ତ୍ରାହି ତ୍ରାହି ଡାକିଲେଣି। ବୈତରଣୀ ପ୍ରତି ବିପଦ ଘନାଇବାରେ ଲାଗିଲାଣି। ଏପରିକି ବୈତରଣୀ ଶୁଖିଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।

ଉଲ୍ଲେଖଯୋଗ୍ୟ, କେନ୍ଦୁଝର ଜିଲ୍ଲାର ପାଖାପାଖି ୩୩ ହଜାର ୧୧୨ ହେକ୍ଟର ଜମିକୁ ରାଜ୍ୟ ସରକାର ଖଣିଜ କାରବାର ପାଇଁ ଲିଜ୍‌ରେ ଦେଇଛନ୍ତି। ଏ ମଧ୍ୟରେ ରହିଛି, ପ୍ରାୟ ୨୪ ହଜାର ୫୬୦ ହେକ୍ଟର ଜଙ୍ଗଲ ଜମିି। କିନ୍ତୁ ଏହାର ପ୍ରତିବଦଳରେ ଏକ ଚତୁର୍ଥାଂଶ ବା ୬ହଜାର ୨ଶହ ହେକ୍ଟର ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ପାଇଁ ଅର୍ଥ ଦେଇଛନ୍ତି ବିଭିନ୍ନ କଂପାନି। ପରିଣାମ ହେଲା, ଏତେ ପରିମାଣର ଜଙ୍ଗଲ କ୍ଷୟର ଭୟାବହ ପ୍ରଭାବ ଆରମ୍ଭ ହେଲାଣି, ଯାହା ବୈତରଣୀ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ଶିଳ୍ପ ସଂସ୍ଥାଙ୍କୁ ସରକାର ଅଯାଚିତ ଭାବରେ ଭୂତଳ ଜଳ ବ୍ୟବହାର ପାଇଁ ଅନୁମତିି ଦେଇ ନଦୀର ଦୁଃଖ ବଢ଼ାଇ ଦେଇଛନ୍ତି। ସାଧାରଣ ଲୋକଙ୍କଠାରୁ ଢେର୍‌ ଶସ୍ତାରେ ଏସବୁ ସଂସ୍ଥାକୁ ପାଣି ନେଉଥିବା ଅଭିଯୋଗ ସତ୍ତ୍ୱେ ସରକାରଙ୍କ ଉପରେ କିଛି ବି ପ୍ରଭାବ ପଡୁନାହିଁ। ଦୁଇଟିି ବଡ଼ ବଡ଼ ଶିଳ୍ପ ସଂସ୍ଥା କେନ୍ଦୁଝରରୁ ପାରାଦୀପ ଯାଏ ପାଇପ ଯୋଗେ ଲୁହାପଥର ପରିବହନ କରୁଛନ୍ତି, ଯେଉଁଥିପାଇଁଁ ବ୍ୟାପକ ପରିମାଣର ଜଳ ବ୍ୟବହାର କରାଯାଉଛି। ସରକାରଙ୍କ ତଥ୍ୟ କହୁଛି, ଏ ଦୁଇଟି ସଂସ୍ଥା ବର୍ଷତମାମ ବୈତରଣୀରୁ ପାଣି ଟାଣି ନେଉଛନ୍ତି। ଏହି ସଂସ୍ଥାମାନେ ରାତିିବେଳା ଅଧିକ ପରିମାଣର ଜଳ ବ୍ୟବହାର କରୁଥିବା ସ୍ଥାନୀୟ ଲୋକ ସରକାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହେଲେ ଶିଳ୍ପସଂସ୍ଥା ପ୍ରତି କର୍ତ୍ତୃପକ୍ଷଙ୍କର ଦରଦ ଯେତିକି ବୈତରଣୀ ବା ସ୍ଥାନୀୟ ଲୋକଙ୍କ ପ୍ରତି ସେତିକି ନାହିଁ। ଏହାବ୍ୟତୀତ ନଦୀରୁ ଜଳ ଟାଣିନେବା ଦ୍ୱାରା ଏହାର ପ୍ରତିକୂଳ ପ୍ରଭାବ ବୈତରଣୀ ଉପରେ ପଡ଼ିବା ଆରମ୍ଭ କଲାଣି। ଗୋନାସିକାରୁ ବାହିିରିଥିବା ଚିରସ୍ରୋତା ବୈତରଣୀ ଧୀରେ ଧୀରେ ଶୁଖିଯାଉଛି। ଫି ବର୍ଷ ଅକ୍ଟୋବର ଅଧାରୁ ପ୍ରାୟ ଜୁନ୍‌ ମାସ ଯାଏ ବୈତରଣୀର ନଦୀ ଶଯ୍ୟା ଶୁଖିଯାଉଛିି। ଚଳିତବର୍ଷ ସ୍ଥିତି ସବୁ ବର୍ଷକୁ ଡେଇଁଯାଇଛି। ଓଡ଼ିଶାର ଗଙ୍ଗା ବୋଲି ବିବେଚନା କରାଯାଉଥିବା ଏହିି ନଦୀରେ ସ୍ନାନ କଲେ ପାପନାଶନ ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣନା ରହିଛି। ମାତ୍ର ଏବେ ସ୍ଥିତି ଏତେ ଗମ୍ଭୀର ଆଡ଼କୁ ଗଲାଣି ଯେ ନଦୀରେ ସ୍ନାନ କରିବା ତ ଦୂରର କଥା, ନଦୀ ଶଯ୍ୟାରେ ରହିଥିବା ବିଭିନ୍ନ ଗଣ୍ଡ ଆଦିି ସ୍ଥାନରେ ବି ଅଣମୌସୁମୀ ସମୟରେ ପାଣି ରହୁନାହିଁ।

ପ୍ରକାଶଥାଉକିି, ଜଳ ଆବଣ୍ଟନ ପ୍ରସଙ୍ଗରେ ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ୨୦୧୦ ସେପ୍‌ଟେମ୍ବର ୪ ତାରିଖରେ ବୈତରଣୀ ନଦୀ ଅବବାହିକା ପ୍ରତିଷ୍ଠାନ (ବୈତରଣୀ ରିଭର ବେସିନ୍‌ ଅର୍ଗାନାଇଜେସନ୍‌) ସୃଷ୍ଟି କରାଯାଇଥିଲା। ଏକ ଗଣତାନ୍ତ୍ରିକ ପଦ୍ଧତିରେ ତଥା ବୈଜ୍ଞାନିକ ତଥ୍ୟ ଅନୁସାରେ ଜଳ ଆବଣ୍ଟନ କରାଯିବ ବୋଲି ସ୍ଥାନୀୟ ଲୋକେ ବିଚାର କରିଥିଲେ। ପିଇବାଠାରୁ ଆରମ୍ଭ କରି ଜଳସେଚନ, ଜଳ ପରିବହନ, ଶିଳ୍ପ ଆଦି କ୍ଷେତ୍ରକୁ ସମୁଚିତ ଭାବେ ଜଳ ଆବଣ୍ଟନ କରାଯାଇପାରିବ ବୋଲି ଏକ ଆଶା ସୃଷ୍ଟି ହୋଇଥିଲା। ମାତ୍ର ରାଜ୍ୟ ସରକାର ଖଣିଜ ଶିଳ୍ପ ଓ ଶିଳ୍ପାନୁଷ୍ଠାନର ଚାପରେ ଏଭଳି ଚପିଯାଇଛନ୍ତି ଯେ ଆଉ ସମସ୍ତଙ୍କ ସ୍ୱାର୍ଥ ତାଙ୍କ ନଜରକୁ ଆସୁନାହିଁ। ବୈତରଣୀ ନଦୀ ଅବବାହିକା ସଂସ୍ଥାର ବୈଠକ ଥରୁଟିଏ ବି ବସିପାରୁନି ବା ରାଜ୍ୟ ସରକାର ଏ ଦିଗରେ ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି। ମହାନଦୀ କ୍ଷେତ୍ରରେ ଯେଉଁ ଐତିହାସିକ ଅବହେଳାକୁ ନେଇ ରାଜ୍ୟ ସରକାର ଆଜି ଦିନରେ ଅପଯଶ ମୁଣ୍ଡାଉଛନ୍ତି, ବୈତରଣୀ କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ସମୟରେ ନଦୀ ଜଳକୁ ଅଟକାଇବା ଲାଗି ପ୍ରାୟ ୪୦ବର୍ଷ ତଳେ କାନୁପୁର ଡ୍ୟାମ୍‌ର ପରିକଳ୍ପନା କରାଯାଇଥିଲା। ଏହାର ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା, ନଦୀର ଡାହାଣ ପାର୍ଶ୍ୱରେ ପ୍ରାୟ ୪୮ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ କରାଇବା। ମାତ୍ର ଶିଳ୍ପସଂସ୍ଥାଙ୍କ ଲବି ପ୍ରଭାବରେ ଏହି ପ୍ରକଳ୍ପର ଭାଗ୍ୟ ଏଯାଏ ଫିଟିପାରୁନଥିବା ଅଭିଯୋଗ ହେଉଛି। ସରକାରୀ ତଥ୍ୟ ଅନୁସାରେ, ୨୦୦୪ ମାର୍ଚ୍ଚ ୨୩ ତାରିଖରେ ନିଜେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ତୃତୀୟ ଥର ପାଇଁ ଶୁଭ ଦେଇଥିଲେ। ୪୨୮ କୋଟି ଟଙ୍କା (୨୦୦୬ ମସିହା) ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପର ମୂଲ୍ୟ ଏବେ ୨୪୦୦ କୋଟି ଟଙ୍କାକୁ ଡେଇଁଯିବାକୁ ବସିଛି। ଇତିମଧ୍ୟରେ ଏହି ପ୍ରକଳ୍ପ ଲାଗି ପ୍ରାୟ ୧୪୦୦ କୋଟିରୁ ଅଧିକ ଟଙ୍କା ବ୍ୟୟ ସରିଲାଣି। ତଥାପି ପ୍ରକଳ୍ପର ଭାଗ୍ୟ କ’ଣ ହେବ, ତାହା କେହି ଠଉରାଇ ପାରୁନାହାନ୍ତି।

ବିଶେଷଜ୍ଞଙ୍କ ଯୁକ୍ତି ହେଉଛି, ଯେହେତୁ ଖଣିଜ ସଂପଦ ଉତ୍ତୋଳନ ହେଉଥିବା ଅଞ୍ଚଳ ଦେଇ ବୈତରଣୀ ପ୍ରବାହିତ ହେଉଛି, ଏଣୁ ନଦୀ ଜଳରେ ଯେତିକି ମାଟି ଯାଉଛି, ସେଥିରେ ମାତ୍ର ୬ବର୍ଷ ମଧ୍ୟରେ ପ୍ରସ୍ତାବିତ ଏହି ଡ୍ୟାମ୍‌ ନିର୍ମାଣ ହେଲେ ବି ଏହାର ଜଳଧାରଣ କ୍ଷମତା ଆଉ ରହିବ ନାହିଁ। ଏହି ଆକଳନ ଅନୁସାରେ, ପ୍ରତି ୧ କ୍ୟୁବିକ୍‌ ମିିଟର ବନ୍ୟା ପାଣିରେ ୭୦୦ ଗ୍ରାମ୍‌ ଯାଏଁ ପଟୁ ନଦୀ ଗର୍ଭରେ ଯାଉଛି। ଅନ୍ୟ ଏକ ହିସାବ ଅନୁସାରେ, ପ୍ରତି ୧ କ୍ୟୁବିକ୍‌ ମିିଟର ବନ୍ୟା ଜଳରେ ୧୦୦୦ ଗ୍ରାମ୍‌ ଯାଏ ପଟୁ ପ୍ରବାହିିତ ହେଉଥିବା କାରଣରୁ ପ୍ରସ୍ତାବିତ ଏହି ଡ୍ୟାମ୍‌ ୪ବର୍ଷରେ ପୋତି ହୋଇପଡିବ। ଏଭଳି ସ୍ଥିତିରୁ ନିସ୍ତାର ପାଇବାକୁ ହେଲେ ପ୍ରସ୍ତାବିତ ଡ୍ୟାମ୍‌ ପୂର୍ବରୁ କ୍ୟାଚମେଣ୍ଟ୍‌ ଏରିଆ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଏହା ଉପରେ ସରକାର ଠୋସ୍‌ କୌଣସି ପଦକ୍ଷେପ ନେବା ଲାଗି ଆଗ୍ରହ ଦେଖାଉନାହାନ୍ତି। ମହାନଦୀ କ୍ଷେତ୍ରରେ ଛତିଶଗଡ଼ର ଭୁଲ୍‌ ପାଇଁ ରାଜ୍ୟବାସୀ ଏବେ ମୂଲ୍ୟ ଦେଉଛନ୍ତି। ବୈତରଣୀ କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ମନମାନି ଓ ବେପରୁଆ କାରବାର ଘାତକ ହେବନାହିଁ ତ?

ସମ୍ବନ୍ଧିତ ଖବର