ବନମାଳିପୁର ବି‌ସ୍ଫୋରଣ ଘଟଣା : ବାଣ ବିସ୍ଫୋରଣ ପଛରେ ଷଡ଼ଯନ୍ତ୍ର!

ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କୁ ଯୋଜନାବଦ୍ଧ ହତ୍ୟା ସନ୍ଦେହ, ସ୍ବାମୀ ଜ୍ଞାନେନ୍ଦ୍ରଙ୍କ ନାମରେ ମାମଲା ରୁଜୁ, ସ୍ବାମୀ ଫେରାର, ପରିବାର ଓ ଶ୍ରମିକଙ୍କୁ ପଚରାଉଚରା

ଭୁବନେଶ୍ବର : ବାଲିପାଟଣା ଥାନା ଅଧୀନ ବନମାଳିପୁର ନୂଆସାହି ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟଣା ନୂଆ ମୋ‌ଡ଼ ନେଇଛି। ବାଣ ବିେସ୍ଫାରଣ ପଛରେ ହତ୍ୟା ଷଡ଼ଯନ୍ତ୍ର ଗନ୍ଧ ବାରିଲାଣି ପୁଲିସ। ଏପରିକି ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ବାମୀ ଜ୍ଞାନେନ୍ଦ୍ର ମିଶ୍ରଙ୍କୁ ସନ୍ଦେହ ଭିତରକୁ ଆଣିଲାଣି। ଯଦିଓ ଠୋସ୍ ପ୍ରମାଣ ଏଯାଏ ହାତରେ ଲାଗିନାହିଁ, ଆଜି କିନ୍ତୁ ବାଲିପାଟଣା ପୁଲିସ ୨୦୧/୧୮, ଦଫା ୩୦୪(ଏ)( ମୃତ୍ୟୁ ପାଇଁ ଦାୟୀରେ ମାମଲା ରୁଜୁ କରିଛି। ଏଥିସହିତ ଜ୍ଞାନେନ୍ଦ୍ରଙ୍କୁ ଖୋଜିବାକୁ ଯାଇ ତାଙ୍କ ମୋବାଇଲ୍ ଟ୍ରାକ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଏବେ ସୁଦ୍ଧା ଜ୍ଞାନେନ୍ଦ୍ରଙ୍କ ପତ୍ତା ମିଳିନାହିଁ। ଜ୍ଞାନେନ୍ଦ୍ରଙ୍କ ବିରୋଧରେ ଏକ୍ସପ୍ଲୋସିଭ ଆକ୍ଟରେ ମଧ୍ୟ ମାମଲା ରୁଜୁ ହୋଇଛି।

ଘଟଣା ଦିନ ବି‌ସ୍ଫୋରଣ ବେଳେ ଘର ଭିତରେ ଉଭୟ ଜ୍ଞାନେନ୍ଦ୍ର ଓ ଲକ୍ଷ୍ମୀପ୍ରିୟା ଥିଲେ ବୋଲି ସ୍ଥାନୀୟ ଲୋକ କହିଥିଲେ। ଏହି ଆଧାରରେ ପୁଲିସ ତଦନ୍ତ ଆରମ୍ଭ ହୋଇଥିଲା। ମୃତ ଶରୀରର ବିଭିନ୍ନ ଅଂଶ ଖିନଭିନ୍ ହୋଇ ବିଭିନ୍ନ ସ୍ଥାନରେ ପଡ଼ିଥିଲା। ପୁଲିସ ପ୍ରଥମେ ଦମ୍ପତିଙ୍କ ମୃତ୍ୟୁ ଘଟିଛି ବୋଲି ଧରିନେଇଥିଲା। କିନ୍ତୁ ଅଗ୍ନିଶମ ଓ ଓଡ୍ରାଫ ଟିମ୍ ସହଯୋଗରେ ମୃତଦେହ ଖୋଜାଖୋଜି କରିବା‌ ବେଳେ ପୁଲିସକୁ ଗୋଟିଏ ମୃତଦେହ ମିଳିଥିଲା। ସନ୍ଦେହ ହେବାରୁ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହଯୋଗରେ ତଦନ୍ତ କରି ଘଟଣାସ୍ଥଳରୁ ମାଂସ, ହାଡ଼, ବାଳ ଆଦି ସଂଗ୍ରହ କରିଥିଲା। ସେ ସବୁକୁ ପରୀକ୍ଷା କରାଯିବା ପରେ ଏବେ ସେହି ମାଂସ, ହାଡ଼ ଓ ବାଳ ଜଣେ ମହିଳାଙ୍କର ବୋଲି ଜଣାପଡ଼ିଛି। ଏଥିରୁ ପୁଲିସ ପୂରାପୂରି ସ୍ପଷ୍ଟ ହୋଇଯାଇଛି ଯେ ଘଟଣା ଦିନ କେବଳ ଲକ୍ଷ୍ମୀପ୍ରିୟାଙ୍କର ହିଁ ମୃତ୍ୟୁ ଘଟିଛି। ଏପରିସ୍ଥଳେ ଜ୍ଞାେନନ୍ଦ୍ର କୁଆଡ଼େ ଗଲେ, ସେ ନେଇ ପ୍ରଶ୍ନ ଉଠିଛି।

ପୁଲିସ ସନ୍ଦେହ ବଢ଼ିବାର କାରଣ ହେଉଛି, ଜ୍ଞାନେନ୍ଦ୍ରଙ୍କ ଘରକୁ ବାଣ ଭିଡ଼ିବାକୁ ଦୁଇ ଜଣ ଶ୍ରମିକ ପ୍ରତ୍ୟେକ ଦିନ ଆସିଥାନ୍ତି। ସେମାନଙ୍କୁ ସହଯୋଗ କରିଥାନ୍ତି ପତିପତ୍ନୀ। କିନ୍ତୁ ଘଟଣା ଦିନ ଶ୍ରମିକଦ୍ବୟ ଆସି ନ ଥିଲେ। ଜ୍ଞାନେନ୍ଦ୍ରଙ୍କ ଦୁଇ ଝିଅ ପୂଜା, ଫୁଲ, ବାପା ନୃସିଂହ ମିଶ୍ର ମିଶ୍ର ମଧ୍ୟ ଘଟଣା ବେଳେ ଅନୁପସ୍ଥିତ ଥିଲେ।

ପୁଲିସ ଜାଣିବାକୁ ପାଇଛି, ଘଟଣା ଦିନ ପୂଜା ସ୍କୁଲ ଯାଇଥିବା ବେଳେ ଫୁଲ ମାଉସୀ ଘରକୁ ଯାଇଥିଲେ, ବୟସ୍କ ବାପା ନୃସିଂହ ସଉଦା ପାଇଁ ଦୋକାନକୁ ଯାଇଥିଲେ। ଏହି ଅଘଟଣ ଘଟିବା ସମୟରେ ସମସ୍ତେ ଅନୁପସ୍ଥିତ ରହିବା ଓ ଜ୍ଞାନେନ୍ଦ୍ରଙ୍କ ସଂପର୍କରେ କିଛି ଖବର ନ ମିଳିବା ହିଁ ପୁଲିସର ସନ୍ଦେହକୁ ଅଧିକ ଦୃଢୀଭୂତ କରିଛି। ସମସ୍ତଙ୍କୁ ଘର ବାହାରକୁ ପଠାଇ ଦେଇ ଜ୍ଞାନେନ୍ଦ୍ର ଏମିତି ଷଡ଼ଯନ୍ତ୍ର ରଚନା କରିଥାଇପାରନ୍ତି ବୋଲି ଭାବି ପୁଲିସ ସେ ଦିଗରେ ତଦନ୍ତ ଆଗଉଛି। ପୁଲିସ ଜାଣିପାରିଛି ଯେ ଲକ୍ଷ୍ମୀପ୍ରିୟା କ୍ୟାନସର୍‌ରେ ପୀଡ଼ିତ ଥିଲେ। ପ୍ରତ୍ୟେକ ମାସରେ ତାଙ୍କ ପିଛା ପାଖାପାଖି ୩୦ ହଜାର ଟଙ୍କା ଖର୍ଚ ହେଉଥିଲା। ତେଣୁ ଲକ୍ଷ୍ମୀପ୍ରିୟାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରି ଜ୍ଞାନେନ୍ଦ୍ର ଏମିତି କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରି ଆଜି ମାମଲା ରୁଜୁ କରିଛି।

ଆଜି ବାଲିପାଟଣା ଥାନା ପୁଲିସ ଜ୍ଞାନେନ୍ଦ୍ରଙ୍କ ଘରକୁ ବାଣ ଭିଡ଼ିବାକୁ କାମ କରିବାକୁ ଆସୁଥିବା ଶ୍ରମିକଦ୍ବୟଙ୍କୁ ପଚରାଉଚରା କରିଛି। ସେହିପରି ପୁଲିସ ଜ୍ଞାନେନ୍ଦ୍ରଙ୍କ ବାପା ନୃସିଂହ, ଦୁଇ ଝିଅଙ୍କୁ ମଧ୍ୟ ପଚରାଉଚରା କରିଛି। ଖୁବ୍ ଶୀଘ୍ର ଘଟଣାର ପର୍ଦାଫାସ ହେବ ବୋଲି କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର