‘ଫୁଡ୍‌ ସେଫ୍‌ଟି ଅନ୍‌ ହ୍ଵିଲ୍‌ସ’ : ୮ ଅଞ୍ଚଳରେ ୨୯୩ ଖାଦ୍ୟ ନମୁନା ଯାଞ୍ଚ

ଭୁବନେଶ୍ୱର : ଗତ ୧ମାସ ମଧ୍ୟରେ ‘ଫୁଡ୍‌ ସେଫ୍‌ଟି ଅନ ହ୍ଵିଲସ୍‌’ ରାଜ୍ୟର ୮ଟି ଅଞ୍ଚଳରେ ୨୯୩ଟି ନମୁନା ସଂଗ୍ରହ କରିଥିବା ଜଣାପଡ଼ିଛି। ଭୁବନେଶ୍ୱର ମହାନଗର ସମେତ ବ୍ରହ୍ମପୁର, କଟକ, ଅନୁଗଳ, ପୁରୀ, ବାଲେଶ୍ୱର ଓ ସମ୍ବଲପୁର ଗସ୍ତ କରିବା ସହିତ ଏହି ଅଞ୍ଚଳରେ ବିଭିନ୍ନ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି।

ଗତ ମାର୍ଚ ମାସରେ ରାଜ୍ୟରେ ଭ୍ରାମ୍ୟମାଣ ଖାଦ୍ୟ ଯାଞ୍ଚ ପରୀକ୍ଷାଗାର ‘ଫୁଡ୍‌ ସେଫ୍‌ଟି ଅନ ହ୍ଵିଲ୍‌ସ’ ଉଦ୍‌ଘାଟିତ ହୋଇଥିଲା। ଘଟଣାସ୍ଥଳରେ ଖାଦ୍ୟପଦାର୍ଥର ଯାଞ୍ଚ କରିବା ସହିତ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଗାଡ଼ି ରାଜ୍ୟବ୍ୟାପୀ ବୁଲିବା ଆରମ୍ଭ କରିଛି। କ୍ଷୀର ଜାତୀୟ ସାମଗ୍ରୀ, ପ୍ରସ୍ତୁତ ହୋଇ ରହିଥିବା ଖାଦ୍ୟ କିମ୍ବା ପ୍ରସ୍ତୁତି ହୋଇ ନ ଥିବା ଖାଦ୍ୟରେ ଅପମିଶ୍ରଣ ହୋଇଛି କି ନାହିଁ ତାହା ଏଥିରେ ଯାଞ୍ଚ ହୋଇପାରିବ।

ସୂଚନା ଅନୁଯାୟୀ, ଗତମାସ ୪ତାରିଖରେ ଏହି ଗାଡ଼ି ଭୁବନେଶ୍ୱର ମହାନଗର ଅଞ୍ଚଳରେ ୧୮ଟି ଖାଦ୍ୟ ନମୁନା ଯାଞ୍ଚ କରିଛି। ସେହିପରି ୯ ଓ ୧୦ତାରିଖରେ ସମ୍ବଲପୁରରେ ୫୪, ୧୩ ତାରିଖରେ ଅନୁଗୁଳରେ ୨୫, ୧୮ତାରିଖରେ ପୁରୀରେ ୨୧, ବ୍ରହ୍ମପୁର ମହାନଗରରେ ୨୯ ଓ ୨୧ତାରିଖରେ ୭୦, କଟକ ମହାନଗର ଅଞ୍ଚଳରେ ୩୬ଟି ନମୁନା ଯାଞ୍ଚ କରାଯାଇଛି। ଏଥିରେ ବଜାରରେ ବିକ୍ରି ହେଉଥିବା ୩ଟି ପାଣି ବୋତଲ କମ୍ପାନିର ନମୁନା ରହିଛି। ସେହିପରି ଗତମାସ ୨୮ତାରିଖରେ ପୁନର୍ବାର ବିଏମ୍‌ସି ଅଞ୍ଚଳରେ ଏହି ଭ୍ରାମ୍ୟାମଣ ଗାଡ଼ି ବୁଲିବା ସହିତ ୧୦ଟି ନମୁନା ସଂଗ୍ରହ ଓ ଯାଞ୍ଚ କରିଥିଲା। ଏଥିରେ ଗୋଟିଏ ପାଣି ବୋତଲ କମ୍ପାନିର ନମୁନା ରହିଛି। ଚଳିତମାସ ୨ ଓ ୩ତାରିଖରେ ବାଲେଶ୍ୱର ଜିଲ୍ଲାରେ ୫୯ଟି ନମୁନାର ଯାଞ୍ଚ ହୋଇଥିବା ଜଣାପଡ଼ିଛି। ତେବେ ସମ୍ବଲପୁରର କିଛି ଅଞ୍ଚଳରେ ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବା ଜଣାପଡ଼ିଥିଲା। କିଛି ଦୋକାନୀ ଖାଦ୍ୟରେ ଯେତିକି ରଂଗ ଦେବାର ଅନୁମତି ରହିିଛି ତାହାଠାରୁ ଅଧିକ ମାତ୍ରାରେ ରଂଗ ମିଶାଉଥିବା ମଧ୍ୟ ଏହି ଯାଞ୍ଚ ସମୟରେ ଜଣାପଡ଼ିଥିଲା। ତେଣୁ ଖାଦ୍ୟରେ କିଭଳି ଅଧିକ ମାତ୍ରାରେ ରଂଗ ନ ମିଶିବ ସେଥିପାଇଁ ମଧ୍ୟ ଦୋକାନୀମାନଙ୍କୁ ସଚେତନ କରାଯାଉଛି। ଆଗାମୀ ଦିନରେ ଏହି ଭ୍ରାମ୍ୟମାଣ ଗାଡ଼ିରେ ବିଭିନ୍ନ ଅଞ୍ଚଳରେ ଗ୍ରାହକମାନଙ୍କୁ ସଚେତନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଖାଦ୍ୟ ସୁରକ୍ଷାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର