କଟକ : ଏଏମ୍ ଫଣ୍ଡ୍ ମ୍ୟାନେଜର୍ସ ଲିମିଟେଡ୍ ସଂସ୍ଥାର ମୁଖ୍ୟ ଡି.କେ.ବେହେରାଙ୍କୁ ଜୁନ୍ ୨୧ରେ ବ୍ୟକ୍ତିଗତ ଭାବେ ହାଜର ହୋଇ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ଜମାକରୀଙ୍କ ଟଙ୍କା ଫେରସ୍ତ ପ୍ରସଂଗରେ ପକ୍ଷ ରଖିବାକୁ ଚିଟଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ଏମ୍.ଏମ୍.ଦାସ କମିସନ୍ ନୋଟିସ୍ ଜାରି କରିଛନ୍ତି। ଶ୍ରୀ ବେହେରାଙ୍କୁ ତାଙ୍କ ପଟ୍ଟାମୁଣ୍ଡାଇସ୍ଥିତ ବାସ ଭବନ ଠିକଣାରେ ସାନି ନୋଟିସ୍ ଜାରି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଯୋଗ୍ୟ ଯେ ୨୦୧୭, ନଭେମ୍ବର ୨୫ରେ ସଂସ୍ଥା ପକ୍ଷରୁ କେତେକ ଜମାକାରୀଙ୍କୁ ଟଙ୍କା ଫେରାଇବା ପାଇଁ ଚିଠି କରାଯାଇଥିଲା। ଜାରି ଚିଠିରେ ଉଲ୍ଲେଖ କରାଯାଇଥିଲା ଯେ ସଂପୃକ୍ତ ଜମାକାରୀ ନିବେଶ କରିଥିବା ଟଙ୍କା ଫେରି ପାଇବା ପାଇଁ ଡିସେମ୍ବର ୧୯ ତାରିଖ ଦିନ କମିସନଙ୍କ କାର୍ଯ୍ୟାଳୟରେ ହାଜର ହେବେ। ଜମାକାରୀ ନିଜ ପରିଚୟପତ୍ର, ଜମାରାଶି ସଂପର୍କିତ ନଥିପତ୍ର ସହିତ ହାଜର ହେବା ପାଇଁ କୁହାଯାଇଥିଲା। ଏପରି ଚିଠି ପାଇ କମିସନଙ୍କ କାର୍ଯ୍ୟାଳୟରେ ଜମାକରୀମାନେ ଡିସେମ୍ବର ୧୯ରେ ପହଞ୍ଚିଥିବା ବେଳେ ସଂସ୍ଥାର କୌଣସି ପଦାଧିକାରୀ ଉପସ୍ଥିତ ନଥିଲା। ଏପରି ଘଟଣା କମିସନଙ୍କ ନଜରକୁ ଆସିବା ପରେ ଜମାକରୀଙ୍କ ଘରକୁ ଯାଇ ସେମାନଙ୍କ ଟଙ୍କା ଫେରାଇବା ପାଇଁ ଏଏମ୍ ସଂସ୍ଥାକୁ କମିସନ୍ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ୨୦୧୮, ଜାନୁଆରି ୨୫ରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସଂସ୍ଥା ମୁଖ୍ୟ ଶ୍ରୀ ବେହେରାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ୩୫ ଜଣ କ୍ଷୁଦ୍ର ଜମାକରୀଙ୍କ ମଧ୍ୟରୁ ମାତ୍ର ୮ ଜଣ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯାଇଥିଲା। ଅବଶିଷ୍ଟ ୨୭ ଜଣ ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ କମିସନ୍ ସଂସ୍ଥା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ସଂସ୍ଥାର ପ୍ରତିନିଧି ଦର୍ଶାଇଥିଲେ ଯେ ଆଉ ୭ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି। କିନ୍ତୁ ଏ ସଂପର୍କିତ ନଥିପତ୍ର ଦାଖଲ କରାଯାଇ ନଥିଲା। ଏପରି ପରିସ୍ଥିତିରେ ଅନ୍ୟ ଜମାକାରୀଙ୍କ ଟଙ୍କା ଫେରସ୍ତ କରି ଏ ସଂପର୍କିତ ପ୍ରମାଣ ଦାଖଲ ପାଇଁ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି।