ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଫ୍ରାନ୍ସ ରାଷ୍ଟ୍ରଦୂତ : ପୁଞ୍ଜିନିବେଶ ପାଇଁ ଆଗ୍ରହୀ

ଭୁବନେଶ୍ୱର : ଓଡ଼ିଶାରେ ପୁଞ୍ଜିନିବେଶ କରିବ ଫ୍ରାନ୍ସ। ହୋଟେଲ, ଇସ୍ପାତ, ବୈଦ୍ୟୁତିକ ଉପକରଣ, ଶକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଫ୍ରାନ୍ସର ବିଭିନ୍ନ କମ୍ପାନି ଆଗ୍ରହ ପ୍ରକାଶ କରିଛନ୍ତି। ଆଜି ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକ୍‌ଜାଣ୍ଡାର ଜିଗ୍‌ଲର୍‌ଙ୍କ ନେତୃତ୍ୱରେ ଏକ ବାଣିଜ୍ୟିକ ପ୍ରତିନିଧି ଦଳ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କରିଥିବା ଆଲୋଚନାରୁ ଏହି ସୂଚନା ମିଳିଛି। ଆଗାମୀ ନଭେମ୍ବର ମାସରେ ଭୁବନେଶ୍ୱରରେ ହେଉଥିବା ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ୍‌ରେ ଭାଗ ନେବାକୁ ମୁଖ୍ୟମନ୍ତ୍ରୀ ଫରାସି କମ୍ପାନିମାନଙ୍କୁ ଅନୁରୋଧ କରିଥିଲେ।

ଫ୍ରାନ୍ସ ପ୍ରତିନିଧି ଦଳକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଲେ, ଓଡ଼ିଶା ବର୍ତ୍ତମାନ ପୁଞ୍ଜିନିବେଶ ପାଇଁ ଏକ ଆକର୍ଷଣୀୟ ସ୍ଥାନ ହୋଇପାରିଛି। ଓଡ଼ିଶାରେ ପୁଞ୍ଜିନିବେଶ ଦ୍ୱାରା ଭାରତ ଓ ଫ୍ରାନ୍ସ ମଧ୍ୟରେ ବ୍ୟାପକ ସାମାଜିକ, ଅର୍ଥନୈତିକ ଓ ବାଣିଜ୍ୟିକ ସମ୍ପର୍କ ସ୍ଥାପିତ ହୋଇପାରିବ। ଓଡ଼ିଶା ଏକ ଖଣି ସମୃଦ୍ଧ ରାଜ୍ୟ। ଦେଶର ମୋଟ ଆଲୁମିନିୟମ ଉତ୍ପାଦନର ୫୪ ପ୍ରତିଶତ ଉତ୍ପାଦନ କରୁଛି ଓଡ଼ିଶା। ଦକ୍ଷିଣ ଏସିଆର ଆଲୁମିନିୟମ ଉତ୍ପାଦନର ୫୪ ପ୍ରତିଶତ ଉତ୍ପାଦନ କରି ଓଡ଼ିଶା ଏହି ଅଞ୍ଚଳରେ ଆଲୁମିନିୟମ କ୍ୟାପିଟାଲ ଭାବେ ପରିଗଣିତ ହେଉଛି। ଏହିପରି ଦେଶର ଇସ୍ପାତ ଉତ୍ପାଦନର ୨୫ ପ୍ରତିଶତ ମଧ୍ୟ ଓଡ଼ିଶାରେ ହେଉଛି। ଓଡ଼ିଶା ବର୍ତ୍ତମାନ ଦେଶର ଏକ ଷ୍ଟିଲ୍‌ ହବ୍‌ ଭାବେ ସୁନାମ ଅର୍ଜନ କରିପାରିଛି। ଧାତୁ କ୍ଷେତ୍ରରେ ଅନୁପ୍ରବାହ ଓ ଆନୁଷଙ୍ଗିକ ଶିଳ୍ପର ବିକାଶ ପାଇଁ ଭିଜନ୍‌-୨୦୩୦ କରାଯାଇଛି।

ସେହିପରି ପ୍ରତିରକ୍ଷା ଓ ଏରୋସ୍ପେସ୍‌ କ୍ଷେତ୍ରରେ ମଧ୍ୟ ଖୁବ୍‌ଶୀଘ୍ର ଏକ ନୀତି ପ୍ରସ୍ତୁତ କରାଯାଉଛି। ଏୟାରକ୍ରାଫ୍ଟ, ବୈଦ୍ୟୁତିକ ଉପକରଣ, ମେଡିକାଲ ଯାନ୍ତ୍ରିକ ଉପକରଣ ଓ ଖାଦ୍ୟ ପ୍ର୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

ଫ୍ରାନ୍ସ ରାଷ୍ଟ୍ରଦୂତ ଓ ତାଙ୍କ ସହିତ ଆସିଥିବା ଇଣ୍ଡୋ-ଫ୍ରେଞ୍ଚ୍‌ ଚାମ୍ବର୍‌ ଅଫ୍‌ କମର୍ସର ସଦସ୍ୟଗଣ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରକୃଷ୍ଟ ପରିବେଶ ରହିଛି ବୋଲି ପ୍ରକାଶ କରିଥିଲେ। ଆଗାମୀ ଦିନରେ ଫ୍ରାନ୍ସ ଓ ଓଡ଼ିଶା ମଧ୍ୟରେ ଅଧିକ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି କହିଥିଲେ। ବୈଠକରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌ ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର