ତିନି ରଥରେ ଛେରାପହଁରା କଲେ ଗଜପତି ମହାରାଜ; ରଥଟଣାକୁ ଅପେକ୍ଷା

ପୁରୀ: ସାମ୍ୟତାର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥ। ତାଙ୍କ ପାଖରେ ରାଜାରୁ ସେବକ ସଭିଏଁ ସମାନ। ସେ ଯେମିତି ରହସ୍ୟମୟ, ତାଙ୍କ ଳୀଳା ମଧ୍ୟ ସେହିପରି ଅବ୍ୟକ୍ତ। ପରବ୍ରହ୍ମ ପୁରୁଷୋତ୍ତମ ମହାବାହୁ କାଳିଆ ସାଆନ୍ତଙ୍କ ଆଦ୍ୟ ସେବକ ହେଉଛନ୍ତି ଗଜପତି ମହାରାଜ। ଜଗନ୍ନାଥଙ୍କୁ ସେବା କରିବାର ଯେଉଁ ଦୀର୍ଘକାଳୀନ ପରମ୍ପରା ରଥାଯାତ୍ରାକୁ ମହିମାନ୍ଵିତ କରିଛି, ସେହି ପରମ୍ପରାର ବାହକ ଭାବେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଜଣେ ରାଜାର ସମସ୍ତ ଅହମିକା ତ୍ୟାଗ କରି ମହାବାହୁଙ୍କ ରଥରେ ଛେରାପହଁରା କରିବା ପାଇଁ ତାମଜାନରେ ବସି ଶ୍ରୀନଅରରୁ ଯାଇ ବଡଦାଣ୍ଡରେ ରଥାରୁଢ଼ ଶ୍ରୀଜୀଙ୍କ ପାଖରେ ପହଞ୍ଚିି ତିନି ରଥରେ ଛେରାପହଁରା ଶେଷ କରିଛନ୍ତି।


ଶ୍ରୀଜୀଉମାନେ ରଥାରୁଢ଼ ହେବା ପରେ ପୁରୀ ଗୋବର୍ଦ୍ଧନ ପୀଠାର ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ନିଜ ଭକ୍ତମାନଙ୍କ ଗହଣରେ ଆସି ଶ୍ରୀଜଗନ୍ନାଥ, ଶ୍ରୀ ବଳଦେବ ଓ ମା ସୁଭଦ୍ରାଙ୍କୁ ଦର୍ଶନ କରିଥିଲେ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଜୀଉଙ୍କ ଦର୍ଶନ କରି ଫେରିଯିବା ପରେ ସେବାୟତମାନଙ୍କ ନିମନ୍ତ୍ରଣ ପାଇ ଗଜପତି ମହାରାଜ ଯାଇ ରଥରେ ପହଁଞ୍ଚିଥିଲେ। ପ୍ରଥମେ ବଡ ଠାକୁର ବଳଭଦ୍ରଙ୍କ ରଥରେ ଶ୍ରୀଜୀଙ୍କୁ ଦର୍ଶନ, ଆଳତି, ଚାମର ସେବା କରିବା ପରେ ମହାରାଜ ତାଳଧ୍ୱଜ ରଥର ଛେରାପହଁରା କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ହେଉଛି ଗଜପତି ମହାରାଜ ତାଳଧ୍ୱଜ ରଥରେ ଛେରା ପହଁରା କରୁଥିବା ବେଳେ ଆରମ୍ଭ ହୋଇଥିଲା ବର୍ଷା। ମାତ୍ର ବର୍ଷା ଗଜପତିଙ୍କୁ ଶ୍ରୀଜୀଉଙ୍କ ସେବା କରିବାରୁ ବିରତ କରି ପାରି ନ ଥଲା।


ଝିପିଝିପି ବର୍ଷାରେ ହଜାର ହଜାର ଭକ୍ତଙ୍କୁ ଅଭିବାଦନ ଜଣାଇ ଶ୍ରୀଜଗନ୍ନାଥଙ୍କ ନିକଟରେ ନିଉଛାଳି ହେବା ପାଇଁ ଚାଲି ଯାଇଥିଲେ ନନ୍ଦିଘୋଷ ରଥକୁ। ନନ୍ଦିଘୋଷ ରଥରେ ମହାପ୍ରଭୁଙ୍କ ନିକଟରେ ହାତଯୋଡ଼ି ଠିଆ ହେବା ସହିତ ଛେରାପହଁରା କରିବା ପୂର୍ବରୁ ରଥରେ ମହାବାହୁଙ୍କୁ ଆଳତି,ଚାମର, କରିବା ପରେ ପୁଷ୍ପାଞ୍ଜଳି ଦେଇ ସେବକମାନଙ୍କ ସହାୟତାରେ ଛେରାପହଁରା କରିବାକୁ ଯାଇଥିଲେ। ହାତରେ ସୁନାର ସମାର୍ଜନୀ ଧରି ଗଜପତି ମହାରାଜ ଶ୍ରୀଜଗନ୍ନାଥଙ୍କ ରଥରେ ଛେରାପହଁରା କରି ଜଗତକୁ ଦେଖାଇ ଦେଇଥିଲେ ଯେ ଦୁନିଆରେ ସେ ହିଁ ଏକମାତ୍ର ରାଜା, ଆଉ ସମସ୍ତେ ହେଉଛନ୍ତି ତାଙ୍କ ସେବକ। ବିଧି ମୁତାବକ ନନ୍ଦିଘୋଷ ରଥରେ ଛେରାପହଁରା କରିବା ପରେ ଗଜପତି ମହାରାଜ ପୁଣି ଥରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ସେଠାରେ ମହାରାଜାଙ୍କୁ ଶ୍ରୀଜୀଉ ଅଙ୍ଗଲାଗି ମାଳା ପ୍ରଦାନ କରାଯାଇଥିଲା। ପରେ ସେଠାରୁ ବାହାରି ଗଜପତି ମା ସୁଭଦ୍ର୍ରାଙ୍କ ରଥରେ ଛେରାପହଁରା କରିବାକୁ ଯାଇ ସେଠାରେ ବିଧି ମୁତାବକ ଛେରାପହଁରା କରିଛନ୍ତି।

ସମ୍ବନ୍ଧିତ ଖବର