ମହାପ୍ରଭୁଙ୍କ ସଂପତ୍ତିର ବେଧଡ଼କ୍‌ ଲୁଟ୍‌ : ଗିଳିଦେଲେଣି ଶହ ଶହ କୋଟିର ସଂପତ୍ତି

0 730

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ଥିବା ରତ୍ନ ସୁରକ୍ଷିତ ଅଛି କି ନାହିଁ? ରତ୍ନଭଣ୍ଡାର ଚାବି କିଏ ନେଲା?

ଏଭଳି କିଛି ସମ୍ବେଦନଶୀଳ ପ୍ରଶ୍ନକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ବିଭିନ୍ନ ରାଜନୈତିିକ ଦଳ, ସାମାଜିକ ସଂଗଠନ କମ୍ପନ ସୃଷ୍ଟି କଲେଣି। ସରକାର ମଧ୍ୟ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି।

ହେଲେ ରତ୍ନଭଣ୍ଡାରରେ ଥିବା ସଂପତ୍ତିଠାରୁ କେଇ ଗୁଣ ଅଧିକ ଅର୍ଥାତ୍‌ ଶହ ଶହ କୋଟି ଟଙ୍କାର ମହାପ୍ରଭୁଙ୍କ ଭୂସମ୍ପତ୍ତିକୁ ହଡ଼ପକାରୀ ଗୋଷ୍ଠୀ ଗିଳି ଚାଲିଛନ୍ତି, ଏକଥା କାହାର ନଜର ପଡୁନାହିଁ। ଶ୍ରୀମନ୍ଦିର ପ୍ରଶାସନ, ଆଇନ ବିଭାଗ ଏ ନେଇ ଯେତିକି ତତ୍ପରତା ଦେଖାଇବା କଥା ବା ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବା କଥା ତାହା ବି ପରିଲକ୍ଷିତ ହେଉନାହିଁ।

ଚାଞ୍ଚଲ୍ୟକର ତଥ୍ୟ ହେଲା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୪୦୦ ଏକର ଜମି କେଉଁଠି, କେମିତି ରହିଛି, ସେ ନେଇ କାହା ପାଖରେ ଖବର ନାହିଁ। ପାଖାପାଖି ୪୯% ଜମି ଏଯାଏ ମହାପ୍ରଭୁଙ୍କ ନିଜ ନାମକୁ ଆସିପାରିଲାନାହିଁ। ଯେତିକି ଭୋଗ ଦଖଲରେ ଅଛି, ସେଥିରୁ ହାରାହାରି ୧୧% ଜମିରୁ ରାଜଭାଗ ଆଦାୟ ହୋଇପାରୁନାହିଁ। ଆଉ କୋଟି କୋଟି ଟଙ୍କାର ରାଜସ୍ୱ ବକେୟା ପଡିଥିଲେ ହେଁ, ଶ୍ରୀମନ୍ଦିର ପ୍ରଶାସନ, ରାଜସ୍ୱ ବିଭାଗ ଏସବୁ ଆଦାୟ କରିବା ଦିଗରେ ନିରବଦ୍ରଷ୍ଟା ସାଜିଛନ୍ତି।

ଶ୍ରୀମନ୍ଦିର ସଂପର୍କିତ ଅଡିଟ୍‌ ରିପୋର୍ଟରେ ମଧ୍ୟ ଏଭଳି ସାଂଘାତିକ ତଥ୍ୟ ରହିଛି। ଏହି ରିପୋର୍ଟ ରାଜ୍ୟ ସରକାରଙ୍କ ପାଖରେ ରହିଛି। ହେଲେ କାର୍ଯ୍ୟାନୁଷ୍ଠାନ ଲାଗି ନା ଶ୍ରୀମନ୍ଦିର ପ୍ରଶାସନ ସୁପାରିସ କରୁଛି ନା ନିଜ ଆଡୁ ସରକାର ଏହା ଉପରେ କିଛି ପଦକ୍ଷେପ ନେଉଛନ୍ତି। କୌତୂହଳ କଥା ହେଲା, ପୁରୀ ବିଧାୟକ ମହେଶ୍ୱର ମହାନ୍ତି ଏବେ ରାଜସ୍ୱ ବିଭାଗ ମନ୍ତ୍ରୀ ପଦରେ ଅଧିଷ୍ଠିତ ଅଛନ୍ତି। ହେଲେ ଏ ନେଇ ତାଙ୍କ ପକ୍ଷରୁ ମଧ୍ୟ ସେଭଳି କୌଣସି ଉଦ୍ୟମ ନାହିଁ। ଏ ସଂପର୍କରେ ନା ସାମାଜିକ ସଂଗଠନ ମୁହଁ ଖୋଲୁଛନ୍ତି ନା ରାଜନୈତିକ ଦଳ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ତଥ୍ୟ ଅନୁସାରେ,ଓଡ଼ିଶାର ୨୩ଟି ଜିଲ୍ଲା ଓ ଅନ୍ୟ ୬ଟି ରାଜ୍ୟରେ ମହାପ୍ରଭୁଙ୍କ ସଂପତ୍ତି ରହିଛି। ହଜାରେ କି ପାଞ୍ଚ ହଜାର ଏକର ନୁହେଁ, ରେକର୍ଡ କହୁଛି, ମହାପ୍ରଭୁ ପାଖାପାଖି ୫୯ ହଜାର ୫୨୬ ଏକର ୧୯ ଡେସିମିଲ ଜମିର ମାଲିକ। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ଏତେ ଦାୟିତ୍ୱବାନ ଯେ ଏ ମଧ୍ୟରୁ ୪୦୦ ଏକର ଜମି କେଉଁଠାରେ, କିଭଳି ଅବସ୍ଥାରେ ଅଛି, ସେ ସଂପର୍କରେ ଏଯାଏ ତଥ୍ୟ ସଂଗ୍ରହ କରିପାରୁନାହାନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ବିଭିନ୍ନ ସମୟରେ ଆର୍‌ଡିସିମାନଙ୍କୁ ମଧ୍ୟ ରଖାଯାଇଛି। ତା ସତ୍ତ୍ୱେ କେହି ଏ ଦିଗରେ ବିଶେଷ ପ୍ରୟାସ କରିନାହାନ୍ତି।

ଅନ୍ୟପକ୍ଷରେ ଚିହ୍ନଟ ହୋଇଥିବା ବଳକା ୫୯ ହଜାର ୧୩୦ ଏକର ୯୩୮ ଡେସିମିଲ ଜମି ମଧ୍ୟରୁ ପାଖାପାଖି ଅଧା ସମ୍ପତ୍ତି ଅର୍ଥାତ୍‌ ୩୦ ହଜାର ୪୧୨ ଏକର ୨୨୮ ଡେସିମିଲ ଜମି ମହାପ୍ରଭୁଙ୍କ ନାମରେ ଏଯାଏ ରେକର୍ଡ କରାଯାଇପାରିଛି। ବକେୟା ପାଖାପାଖି ୨୮ ହଜାର ୭୧୮ ଏକର ୭୧୦ ଡେସମିଲ ଅର୍ଥାତ୍‌ ପ୍ରାୟ ୪୮.୫୭% ଜମିର ରେକର୍ଡ ଅଫ୍‌ ରାଇଟ୍‌ସ ବା ଜମି ସତ୍ତ୍ୱାଧିକାର ସଂଶୋଧନ ହୋଇପାରିନାହିଁ। ଏ ମଧ୍ୟରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ୧୨ ଏକର ୨୦ ଡେସିମିଲ ଜମି ରହିଛି। ମୟୂରଭଂଜରେ ୫୭ ଏକର ୯୭୦ ଡେସିମଲ, ସୁନ୍ଦରଗଡ଼ରେ ୪୫ ଏକର ୪୫୦ ଡେସିିମିଲ ଜମି ରହିଛି। ଏସବୁ ଜିଲ୍ଲାର ଜିଲ୍ଲାପାଳମାନେ ଏ ଦିଗରେ କାହିଁକି ଉଦ୍ୟମ କରୁନାହାନ୍ତି?

ମହାପ୍ରଭୁଙ୍କ ନାମକୁ ଆସିପାରିନଥିବା ଜମିର ଦଖଲ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ହାତକୁ ଆସିପାରିନାହିଁ। ଶହ ଶହ କୋଟି ଟଙ୍କା ମୂଲ୍ୟର ଏ ସମ୍ପତ୍ତିର ଆଜି ଦିନରେ ସ୍ଥିତି କଣ, ଏକଥା ଖୋଦ୍‌ ଶ୍ରୀମନ୍ଦିର ପରିଚାଳନା କମିଟିକୁ ମାଲୁମ୍‌ ନାହିଁ କିମ୍ବା ସରକାରୀ ବାବୁଙ୍କୁ।
ଯଦିଓ ଓଡ଼ିଶାରେ ଭାଗଚାଷ ବ୍ୟବସ୍ଥାକୁ ସରକାର ଉଚ୍ଛେଦ କରିଛନ୍ତି, ତଥାପି ଠାକୁରଙ୍କ ଜମିକୁ ଚାଷ ବା ଭୋଗଦଖଲ କରୁଥିବା ବ୍ୟକ୍ତିବିଶେଷ ରଇତ ଫି ବା ରାଜଭାଗ ଦେଇଥାନ୍ତି। ମହାପ୍ରଭୁଙ୍କ ଏଭଳି ସଂପତ୍ତି ମଧ୍ୟରେ ପଥର ବା ଖଣି କ୍ୱାରି ରହିଛି। ହାଟ, ଫେରିଘାଟ, ଚାଷ ଜମି ବି।

ଶ୍ରୀମନ୍ଦିର ବ୍ୟବସ୍ଥାର ଅଡିଟ୍‌ କରିବା ବେଳେ ଦେଖାଯାଇଛି ଯେ ରାଜଭାଗ ଆଦାୟ ହୋଇପାରୁନଥିବାରୁ ମହାପ୍ରଭୁ କୋଟି କୋଟି ଟଙ୍କା କ୍ଷତି ସହୁଛନ୍ତି। ଏହି ରେକର୍ଡ ଅନୁସାରେ, ମହାପ୍ରଭୁଙ୍କ ଚିହ୍ନଟ ଜମି ମଧ୍ୟରୁ ମାତ୍ର ୧୧% ଅର୍ଥାତ୍‌ ୬୬୩୮ ଏକର ୭୩୮ ଡେସିମିଲ ଜମିରୁ ରାଜଭାଗ ଆଦାୟ ହେଉଛି। ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବର଼ଗ଼ଡ଼, ସମ୍ବଲପୁର, ବଲାଙ୍ଗୀର, ରାୟଗ଼ଡ଼ା, କୋରାପୁଟ, ସୋନପୁର, କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ଼ ଓ କଳାହାଣ୍ଡି ଆଦି ୧୩ଟି ଜିଲ୍ଲାର ୧୪୪୮ ଏକର ୧୪୯ ଡେସିମିଲ ଜମିରୁ ରାଜଭାଗ ଆଦାୟ ଲାଗି କେହି ଦାବି ବି କରୁନାହାନ୍ତି। ସମ୍ଭବତଃ ଶ୍ରୀମନ୍ଦିର ପ୍ରଶାସନ ଏମାନଙ୍କ ହସ୍ତକ୍ଷେପ ଲୋଡୁନାହିଁ। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ନିଜ ଆଡୁ ଏ ଦିଗରେ ଆଗ୍ରହ ପ୍ରକାଶ କରୁନାହାନ୍ତି।

ସେହିପରି ଆନ୍ଧ୍ରପ୍ରଦେଶକୁ ବାଦ୍‌ ଦେଲେ ଅନ୍ୟ ରାଜ୍ୟରେ ମଧ୍ୟ ୩୯୫ ଏକର ୨୫୨ ଡେସିମିଲ ଜମିରୁ ରାଜଭାଗ ଆଦାୟ ହୋଇପାରୁନାହିଁ। ଶ୍ରୀମନ୍ଦିର ପ୍ରଶାସନ ତଥ୍ୟକୁ ବିଶ୍ୱାସ କଲେ, ୨୦୦୯ରୁ ୨୦୧୫ ମଧ୍ୟରେ ଏ ବାବଦରେ ୭ କୋଟି ୮୯ଲକ୍ଷ ଟଙ୍କା ଆଦାୟ କରିବା ଲାଗି ଲକ୍ଷ୍ୟ ରଖାଯାଇଥିଲା। ପୂର୍ବ ବକେୟାକୁ ମିଶାଇଲେ, ଏହାର ପରିମାଣ କାହିଁ କେତେ ଅଧିକ ହେବ। ମାତ୍ର କର୍ତ୍ତୃପକ୍ଷ ମାତ୍ର ୧ କୋଟି ୮୭ଲକ୍ଷ ୧୮ ହଜାର ଟଙ୍କା ଆଦାୟ କରିପାରିଥିବା ଅଡିଟ୍‌ ଟିମ୍‌କୁ ଜଣାଇଥିଲେ।

ଉଦ୍‌ବେଗର କଥା ହେଉଛି, ମହାପ୍ରଭୁଙ୍କ ଶହ ଶହ କୋଟି ଟଙ୍କାର ସଂପତ୍ତି ଏଭଳି ଭାବେ ପଡିରହିଥିଲେ ବି ନା ରାଜ୍ୟ ସରକାର, ନା ଶ୍ରୀମନ୍ଦିର ପରିଚାଳନା କମିଟି ଏ ନେଇ ତନାଘନା କରୁଛନ୍ତି। ଫଳରେ ନିଧଡ଼କ ଭାବେ ମହାପ୍ରଭୁଙ୍କ ସଂପତ୍ତିକୁ କୁଚକ୍ରୀଗୋଷ୍ଠୀ ଗିଳି ଚାଲିଛନ୍ତି।

ଏଠାରେ ପ୍ରକାଶଥାଉକି, ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା, ଜଗାରଖା ତଥା ପରିଚାଳନା ପାଇଁ ମଧ୍ୟ ଅନେକ ଯତ୍ନ ନିଆଯାଇଛି। ଶ୍ରୀଜଗନ୍ନାଥଙ୍କ ସମୁଦାୟ ଇଷ୍ଟେଟ୍‌କୁ ଜଟଣୀ, ବ୍ରହ୍ମପୁର ଓ ପୁରୀ ଏହିଭଳି ତିନିଟି ରାଜସ୍ୱ ସର୍କଲରେ ବିଭକ୍ତ କରାଯାଇଛି। ନିୟମ ଅନୁସାରେ, ଏଠାରେ ସ୍ଥାୟୀ ଭାବେ ଜଣେ ଜଣେ ନାଏବ ତହସିଲଦାର ରହିବେ, ଯେଉଁମାନେ କି ମହାପ୍ରଭୁଙ୍କ ଜମିର ସୁରକ୍ଷା କଥା ଦେଖିବେ ଓ ଶତପ୍ରତିଶତ ରାଜସ୍ୱ ଆଦାୟ କରିବେ। ସଇରାତ ରାଜସ୍ୱ, ଅଣ କୃଷି ରାଜସ୍ୱ ବିି ଏମାନଙ୍କ ମାଧ୍ୟମରେ ଆଦାୟ ହେବ। ସଂପୃକ୍ତ ଅଧିକାରୀ ମାସରେ ଅନ୍ୟୂନ ୨୦ ଦିନ ଏସବୁ ଅଞ୍ଚଳକୁ ଗସ୍ତ କରି ସ୍ଥିତି ପରଖିବେ ଓ ୧୨ଟି ସ୍ଥାନରେ ରାତିରେ ରହିବେ। ଏମାନଙ୍କୁ ସହଯୋଗ ଲାଗି ମୋହରିର ଓ ପିଅନ ଆଦିର ବ୍ୟବସ୍ଥା ମଧ୍ୟ ରହିଛି। ଏହାବ୍ୟତୀତ ଖୋର୍ଧାରେ ମହାପ୍ରଭୁଙ୍କ ସଂପତ୍ତିର ଜଗାରଖା ପାଇଁ ଜଣେ ସ୍ୱତନ୍ତ୍ର ତହସିଲଦାରଙ୍କୁ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ଅଛି, ଯିଏ କି ପ୍ରଶାସନକୁ ସହଯୋଗ କରିବେ।

ହେଲେ କେଉଁ ଅଧିକାରୀ କେଉଁଠିକି ଗସ୍ତ କରିଛନ୍ତି, ନିର୍ଦିଷ୍ଟ କଣ ରିପୋର୍ଟ ଦେଇଛନ୍ତି, କାହିଁକି ରାଜଭାଗ ଆଦାୟ ହୋଇପାରୁନାହିଁ, ମହାପ୍ରଭୁଙ୍କ ନାମକୁ ଜମି ଆସିବା ଦିଗରେ କିଏ ପ୍ରତିବନ୍ଧକ ସାଜୁଛି, ଏସବୁ ପ୍ରଶ୍ନର ଉତ୍ତର ଶ୍ରୀମନ୍ଦିର ପରିଚାଳନା କମିଟି ବୁଝିଛନ୍ତି କି? କେବଳ କଣ ବାର୍ଷିକ ବଜେଟ୍‌ ଅନୁମୋଦନ, ଦୈନନ୍ଦିନ ନୀତି, ଯାନିଯାତ୍ରା, ରଥଯାତ୍ରା ଆଦି କଥା ବୁଝିବାକୁ ଏତେ ବଡ଼ ବ୍ୟବସ୍ଥା ତିଆରି ହୋଇଛି? ରତ୍ନଭଣ୍ଡାରରେ ଯେତିକି ରତ୍ନ ଅଛି, ତାହାର ଆଜି ଦିନରେ ବଜାର ମୂଲ୍ୟ ୫୦ କୋଟି ବି ଟପିବ ନାହିଁ। ଏପରିସ୍ଥଳେ ମହାପ୍ରଭୁଙ୍କ ଶହ ଶହ କୋଟି ଟଙ୍କା ଗିଳି ହଜମ କରିଦେବାକୁ ବସିଥିବା ହଡ଼ପକାରୀ ଗୋଷ୍ଠୀକୁ କିଏ ଧରିବ?

ସମ୍ବନ୍ଧିତ ଖବର

Leave A Reply

Your email address will not be published.