ଗୌରହରି ଦାସ ଓ ବିପିନ ନାୟକଙ୍କୁ କୋରାପୁଟ ସାହିତ୍ୟ ସମ୍ମାନ

ପୃଥିବୀକୁ ବୈକୁଣ୍ଠରେ ପରିଣତ କରିବାର ଶକ୍ତି ସାହିତ୍ୟର ଅଛି: ରାଜ୍ୟପାଳ

କୋରାପୁଟ : ଆମର ସୁଖ କି ସୁବିଧା ପାଇଁ ନୁହେଁ, ବରଂ ସମାଜର ହିତ ପାଇଁ ସାହିତ୍ୟ। ସମାଜରେ ଭ୍ରାତୃଭାବ ଓ ପ୍ରେମର ବାର୍ତ୍ତା ବାଣ୍ଟିବା ସାହିତ୍ୟ ଓ ସାହିତ୍ୟିକଙ୍କ ଧ୍ୟେୟ ହେଉ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଦ୍ବିତୀୟ କୋରାପୁଟ ସାହିତ୍ୟ ଉତ୍ସବର ଉଦ୍‌ଯାପନୀ ଉତ୍ସବରେ ‌ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୃଥିବୀକୁ ବୈକୁଣ୍ଠରେ ପରିଣତ କରିବାର ଶକ୍ତି ସାହିତ୍ୟ ପାଖରେ ଅଛି ବୋଲି ସେ କହିଥିଲେ। ଏହି ଅବସରରେ କଥାକାର ଗୌରହରି ଦାସ ଓ କବି ବିପିନ ନାୟକଙ୍କୁ କୋରାପୁଟ ସାହିତ୍ୟ ସମ୍ମାନ ପ୍ରଦାନ କରିଥିଲେ ରାଜ୍ୟପାଳ। ସମ୍ମାନ ବାବଦକୁ ୨୧ ହଜାର ଅର୍ଥ ରାଶି ସହ ମାନପତ୍ର, ଉପ‌ଢୌକନ ପ୍ରଦାନ କରାଯାଇଥିଲା।

ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟରେ ଆଜି ସନ୍ଧ୍ୟାରେ ଦ୍ବିତୀୟ କୋରାପୁଟ ସାହିତ୍ୟ ଉତ୍ସବ ଉଦ୍‌ଯାପିତ ହୋଇଛି। ଏଥିରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟ ଆତ୍ମା ଓ ପରମାତ୍ମା ଭିତରେ ମିଳନର ସେତୁ ବୋଲି କହିଥିଲେ। ଧର୍ମର ରାସ୍ତାରେ ଚାଲି ସମାଜକୁ ଠିକଣା ଦିଗଦର୍ଶନ ଦେବାକୁ ସେ ସାହିତ୍ୟିକମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ କୋରାପୁଟକୁ ସୃଜନଶୀଳତାର ଚରାଭୁଇଁ ବୋଲି କହିଥିଲେ। ଏଠାକାର ନୈସର୍ଗିକ ପ୍ରାକୃତିକ ପରିବେଶ, ନିଷ୍କପଟ ମଣିଷ, ଛନ୍ଦହୀନ ଜୀବନ ଭିତରେ ସାହିତ୍ୟ ପାଇଁ ଅମାପ ଉପାଦାନ ଖୁନ୍ଦି ହୋ‌ଇ ରହିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ପଡାଲ ଯୋଗଦେଇ କୋରାପୁଟ ସାହିତ୍ୟ ଉତ୍ସବ କୋରାପୁଟ ସାରସ୍ବତ ପରିବେଶକୁ ଅଧିକ ସମୃଦ୍ଧ କରିବ ବୋଲି କହିଥିଲେ। ଅନ୍ୟତମ ଅତିଥି ଜାମ୍ମୁ ଓ କାଶ୍ମୀରର ପ୍ରସିଦ୍ଧ ଲେଖକ ଲଳିତ ମାଙ୍ଗୋତ୍ରା ଯୋଗଦେଇ କୋରାପୁଟ ପରି ଏକ ସୁନ୍ଦର ପରିବେଶରେ ଏମିତି ଉତ୍ସବ ଏକ ବିରଳ ଅନୁଭୂତି ଦେଇଥିବା କହିଥିଲେ। ଏହି ଅବସରରେ ସଫଳ କୃଷି ଉଦ୍ୟୋଗୀ ସୁଜୟ ପ୍ରଧାନ, ଜୟପୁରର ବନ୍ୟପ୍ରାଣୀ ଉଦ୍ଧାରକ ସଂସ୍ଥା ୱାର ଟିମ, ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଳିଆ, ଲେଖକ ସତ୍ୟନାରାୟଣ ଗନ୍ତାୟତ, ଜୟପୁରର ସାରସ୍ବତ ସଂଗଠକ ଚନ୍ଦ୍ରକାନ୍ତ ବିଶ୍ବାଳ, ଶୋଭାର ସଂଜିତ ପଟ୍ଟନାୟକ, ନାଟ୍ୟ ବ୍ୟକ୍ତିତ୍ବ ଅଶୋକ କର, ଯୁବ ବ୍ୟବସାୟୀ ଅକ୍ଷୟ କୁମାର ପାତ୍ର, ବିଶିଷ୍ଟ ଲେଖକ ଜଳଧର ସ୍ବାଇଁ ଓ ସାମ୍ବ‌ାଦିକ ସାନ୍ତାକାରଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବର ଆୟୋଜକ ଓଡ଼ିଆ ମିଡିଆର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲା ବେଳେ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର