ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି କଲେଜର ପରିଚାଳନା ସମିତି ଭାଙ୍ଗିଲେ ସରକାର; ଏଡିଏମ୍ ସମିତି ଅଧ୍ୟକ୍ଷ ଦାୟିତ୍ବରେ ରହିବେ

ଭୁବନେଶ୍ୱର: ରାଜ୍ୟ ସରକାର ଡିଗ୍ରି କଲେଜର ଗଭର୍ଣ୍ଣିଂ ବଡି ବ‌ା ପରିଚାଳନା ସମିତିକୁ  ଭଙ୍ଗ କରିଛନ୍ତି। ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ରାଜ୍ୟର ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି କଲେଜ ଗଭର୍ଣ୍ଣିଂ ବଡ଼ି ଭାଙ୍ଗ କରାଯାଇଛି। କେବଳ ସେତିକି ନୁହେଁ, ଏହି ନିର୍ଦ୍ଦେଶକୁ ତତ୍କାଳ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏଥିସହ  ଏଡିଏମ୍ ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜର ପରିଚାଳନା ସମିତି  ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ସେହିଭଳି ଜିଲ୍ଲା ସଦର ମହକୁମା ବାହାରେ ଥିବା କଲେଜଗୁଡିକରେ ଉପ-ଜିଲ୍ଲାପାଳ ପରିଚାଳନା କମିଟିର ଅଧ୍ୟକ୍ଷ ରହିବେ । ତେବେ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ୱାରା ଗଠନ ହୋଇଥିବା କଲେଜଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି ।

odishasuntimes.com

ସୂଚନାଯୋଗ୍ୟ, ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଥିଲେ, କଲେଜ ପରିଚାଳନା କମିଟିରେ ନେତା କି ସ୍ଥାନୀୟ ବିଧାୟକ ରହିବେନି। ଶିକ୍ଷାବିତ୍‌, ଅଭିଭାବକ ଏବଂ ପୂର୍ବତନ ଛାତ୍ରଙ୍କୁ ଗଭର୍ଣ୍ଣିଂ ବଡିରେ ସଦସ୍ୟ ଭାବେ ସ୍ଥାନ ଦିଆଯିବ। କମିଟିର ରୂପରେଖ ନେଇ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, ସ୍ଥାନୀୟ ଅଞ୍ଚଳର ଜଣେ ବିଶିଷ୍ଟ ଶିକ୍ଷାବିତ୍‌ ଏହାର ସଭାପତି ହେବେ। ୨ରୁ ୩ ଜଣ ଅଭିଭାବକଙ୍କୁ ବି ସାମିଲ କରାଯିବ। ପୁରାତନ ଛାତ୍ରଛାତ୍ରୀଙ୍କୁ ବି କମିଟିରେ ସାମିଲ କରିବା ନେଇ ବିଚାର ଆଲୋଚନା ଜାରି ରହିଛି।

New Indian Express

ତେବେ ଆଜି ନେତା, ବିଧାୟକଙ୍କୁ କଲେଜ ପରିଚାଳନା କମିଟିରୁ ବାଦ ଦେବା ପ୍ରସଙ୍ଗର ଭିନ୍ନ ମତ ପ୍ରକାଶ କରିଥିଲେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ। ସେ କହିଥିଲେ, କଲେଜ ପରିଚାଳନା ସମିତିରେ ବିଧାୟକ ସଭାପତି ନ ରହି ସଦସ୍ୟ ଭାବେ ରହନ୍ତୁ। ଏହା ହେଲେ କଲେଜର ଭିତ୍ତିଭୂମିର ବିକାଶ ହେବା ସହ ଅନେକ ସମସ୍ୟାର ସମାଧାନ ହୋଇପାରିବ। ଏ ବାବଦରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ।

ଆଜି ସକାଳେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଏହି ବୟାନ ଆସିବାର କିଛି ଘଣ୍ଟା ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି କଲେଜ ଗଭର୍ଣ୍ଣିଂ ବଡ଼ି ଭଙ୍ଗାଯିବାର ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର