ଜରିମାନା ଆଦାୟ କରାଯାଉ: ଜିଲ୍ଲାପାଳ

ଗୁରୁପ୍ରିୟା ସେତୁ ନିର୍ମାଣରେ ମାତ୍ରାଧିକ ବିଳମ୍ବ

ଏପ୍ରିଲ ମାସରେ ହିଁ ସରିବ ନିର୍ମାଣ: ସଚିବ

ଭୁବନେଶ୍ୱର : ଗୁୁରୁପ୍ରିୟା ନଦୀ ଉପରେ ସେତୁ ନିର୍ମାଣରେ ମାତ୍ରାଧିକ ବିଳମ୍ବ ଘଟୁଛି। ଏହାର ନିର୍ମାଣ କରୁଥିବା ଠିକା କମ୍ପାନି ସେତୁ ନିର୍ମାଣ ସଂପୂର୍ଣ୍ଣ ହେବା ନେଇ ବାରମ୍ବାର ତାରିଖ ଗଡ଼ାଉଛି। ଏଣୁ, ପ୍ରକଳ୍ପ ରାଜିନାମା ଖିଲାପ କରୁଥିବା ନେଇ କମ୍ପାନି ବିରୋଧରେ ଜରିମାନା ଆଦାୟ କରାଯାଉ ବୋଲି ମାଲକାନଗିରି ଜିଲ୍ଲାପାଳ ପ୍ରସ୍ତାବ ଦେଇଛନ୍ତିି। ତେବେ ବିଭିନ୍ନ କାରଣରୁ ସେତୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟିଛି। ଏହାର କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚଛି। ଏପ୍ରିଲ ମାସର ଯେ କୌଣସି ଦିନ ଏହି ପ୍ରକଳ୍ପ କାର୍ଯ୍ୟ ସରିବ ବୋଲି କହିଛନ୍ତି ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ।

ସୂଚନାଯୋଗ୍ୟ, ଗୁରୁପ୍ରିୟା ନଦୀ ଉପରେ ଉଚ୍ଚତାସଂପନ୍ନ ସେତୁ ନିର୍ମାଣ ପାଇଁ ୨୦୧୪ ସେପ୍ଟେମ୍ବର ମାସ ୨୧ ତାରିଖରେ କଲ୍‌କାତାର ରୟାଲ୍‌ ଇନ୍‌ଫ୍ରା କନ୍‌ଷ୍ଟ୍ରକ୍‌ସନ ଲିମିଟେଡ୍‌କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ସେତୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବାର ନିର୍ଧାରିତ ସମୟସୀମା ଥିଲା ୨୦୧୭ ସେପ୍ଟେମ୍ବର ୨୦ ତାରିଖ। କିନ୍ତୁ ନିର୍ଧାରିତ ତାରିଖରେ କମ୍ପାନି ନିର୍ମାଣ କାର୍ଯ୍ୟ ସାରିପାରି ନଥିଲା। ଏଣୁ, ଚଳିତ ବର୍ଷ ଫେବ୍ରୁଆରି ଶେଷ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟର ସମୟସୀମା ବୃଦ୍ଧି କରାଯାଇଥିଲା। ପରେ ଏହାର ସମୟସୀମା ମାର୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ତଥାପି ଏହାର ନିର୍ମାଣ କାର୍ଯ୍ୟ ସରିନାହିଁ।

ଏ ନେଇ ମାଲକାନଗିରି ଜିଲ୍ଲାପାଳ ପୂର୍ତ୍ତ ବିଭାଗ ସଚିବଙ୍କ ନିକଟରେ ଅଭିଯୋଗ କରିଛନ୍ତିି। ଇତି ମଧ୍ୟରେ ସେ ଗୁରୁପ୍ରିୟା ସେତୁ ନିର୍ମାଣସ୍ଥଳକୁ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବାକୁ ଯାଇଥିଲେ। ସଂପୃକ୍ତ ଠିକା କମ୍ପାନି କାର୍ଯ୍ୟ ସଂପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦେଉନାହିଁ। ଏପରି କି ସେହି କମ୍ପାନିର ପେସାଦାର ମନୋବୃତ୍ତି ନ ଥିବା ସେ ଦେଖିବାକୁ ପାଇଥିବା ଉଲ୍ଲେଖ କରିଛନ୍ତିି। ଫଳରେ ନିର୍ମାଣ କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି। ଯେ କୌଣସି ସମୀକ୍ଷା ବୈଠକ ହେଉ କିମ୍ବା ଉଚ୍ଚସ୍ତରୀୟ ଅଧିକାରୀଙ୍କ କ୍ଷେତ୍ରସ୍ତରୀୟ ଗସ୍ତ ବେଳକୁ କମ୍ପାନି କେବଳ ମିଥ୍ୟା ସମୟସୀମା ଦେଉଛି। ଏଣୁ, ଚୁକ୍ତିନାମା ଖିଲାପ କରିଥିବାରୁ କମ୍ପାନି ବିରୋଧରେ ପ୍ରତ୍ୟେକ ଦିନର ବିଳମ୍ବ ନିମନ୍ତେ ଜରିମାନା ଆଦାୟ କରାଯାଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି।

ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ନେଇ ବିଭାଗୀୟ ସଚିବ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ଯେ ବାଲିମେଳା ନଦୀରୁ ଜଳସ୍ତର ହ୍ରାସ ପାଇବା ପ୍ରଭାବରେ ଗୁୁରୁପ୍ରିୟା ନଦୀରେ ହଠାତ୍‌ ଜଳସ୍ତର ପ୍ରାୟ ୧୬ ଫୁଟ୍‌ କମିଗଲା। ଏ ନେଇ କାର୍ଯ୍ୟ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା। ତେବେ ରାଉରକେଲାରୁ କ୍ରେନ୍‌ ଅଣାଯିବା ପରେ କାମ ଆଗେଇ ଚାଲିଛି। ବର୍ତମାନ ସୁଦ୍ଧା ମୋଟ ୨୨ଟିରୁ ଶେଷ ସ୍ପାନ୍‌ର କାର୍ଯ୍ୟ ସରିବାକୁ ବସିଲାଣି। ଏଣୁ ଏପ୍ରିଲ ମାସର ଯେ କୌଣସି ଦିନ ଏହାର ନିର୍ମାଣ କାର୍ଯ୍ୟ ସରିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଜରିମାନା ଆଦାୟ ପ୍ରସ୍ତାବକୁ ସେ ଏଡ଼ାଇ ଯାଇଥିଲେ।

ସମ୍ବନ୍ଧିତ ଖବର