ଜୁଲାଇ ୧୭ରୁ ହଜ ଯାତ୍ରା, ୭୩୦ ଯାତ୍ରୀ

କଟକ : ଆସନ୍ତା ଜୁଲାଇ ୧୭ ତାରିଖରୁ ଆରମ୍ଭ ହେବ ହଜ ଯାତ୍ରା। ଅଗଷ୍ଟ ଶେଷ ଭାଗରେ ସାଉଦି ଆରବସ୍ଥିତ ମକ୍କା ମଦିନାରେ ହଜ ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ପ୍ରସ୍ତୁତି ହୋଇଛି। ସୂଚନା ଅନୁଯାୟୀ, ଚଳିତ ବର୍ଷ ରାଜ୍ୟର ୭୩୦ ଜଣ ଯାତ୍ରୀ ହଜଯାତ୍ରା କରିବେ। ଏଥିପାଇଁ ଯାତ୍ରୀମାନେ ଜୁଲାଇ ୧୭ରୁ ୨୯ ତାରିଖ ମଧ୍ୟରେ କୋଲକାତା ଯାଇ ବିମାନରେ ସାଉଦି ଯାତ୍ରା କରିବେ। ଏହି ପରିପ୍ରେକ୍ଷୀରେ ଯାତ୍ରୀମାନଙ୍କୁ ପ୍ରଶିକ୍ଷଣ ପାଇଁ ରାଜ୍ୟ ହଜ କମିଟି ପକ୍ଷରୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତି ହୋଇଛି। ଏ ନେଇ ରାଜ୍ୟରେ ଜୋନ (କଟକ, ଯାଜପୁର, ବାଲେଶ୍ୱର, ରାଉରକେଲା, ତରଭା) ଗଠିତ ହୋଇଛି। କଟକ ଜୋନରେ ପୁରୀ, ଢେଙ୍କାନାଳ, ନୟାଗଡ, ଅନୁଗୁଳ, ଗଞ୍ଜାମ, କେନ୍ଦ୍ରାପଡା, ଜଗତସିଂହପୁର ଆଦି ଜିଲ୍ଲାକୁ ସାମିଲ କରାଯାଇଛି। ସର୍ବାଧିକ ୩୮୨ ଜଣ ଯାତ୍ରୀ ଏହି ଜୋନ୍‌ରେ ନାମ ପଞ୍ଜିକରଣ କରିଛନ୍ତି। ଏଥିମଧ୍ୟରୁ କଟକ ସହରରେ ୧୩୬ ଜଣ ଯାତ୍ରୀ ଥିବା ଜଣାପଡିଛି। ସେହିପରି ଯାଜପୁର ଜୋନରେ ୮୧, ବାଲେଶ୍ୱର ଜୋନ (ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ)ରେ ୧୨୧, ରାଉରକେଲା (ରାଉରକେଲା, ଝାରସୁଗୁଡା)ରେ ୯୭, ତରଭା (ବଲାଙ୍ଗୀର, ସୋନପୁର, ସମ୍ବଲପୁର)ରେ ୪୯ ଜଣ ଶ୍ରଦ୍ଧାଳୁଙ୍କ ନାମ ପଞ୍ଜୀକୃତ ହୋଇଛି। ଖୁବଶୀଘ୍ର ଏମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ହଜ କମିଟି ସୂଚନା ଦେଇଛି।

ସମ୍ବନ୍ଧିତ ଖବର