ରାଜନୈତିକ ଚକ୍ରବ୍ୟୁହରେ  ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପ୍ରସଙ୍ଗ: ପ୍ରଶାସନର ଦୋମୁହାଁ ନୀତିକୁ ବୁଦ୍ଧିଜୀବୀଙ୍କ ନିନ୍ଦା

ଭଦ୍ରକ: ରାଜନୈତିକ ଚକ୍ରବ୍ୟୁହରେ ଫସିଛି  ଡ. ହରେକୃଷ୍ଣ ମହତାବଙ୍କ  ପ୍ରତିମୂର୍ତ୍ତି ସ୍ଥାପନ ପ୍ରସଙ୍ଗ। ଭଦ୍ରକ ଜିଲ୍ଲାର ଆଗରପଡାଠାରେ ପ୍ରତିମୂର୍ତ୍ତି ନିର୍ମାଣ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନର ଦୋମୁହାଁ ନୀତିକୁ ଜିଲ୍ଲାର ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ନିନ୍ଦା କରିଛନ୍ତି। ଡ. ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଜିଲ୍ଲାର ପ୍ରମୁଖ ବୁଦ୍ଧିଜୀବୀମାନେ ପାଦଭୂମି ପୂଜା ନେଇ ଗତ ନଭେମ୍ବର  ୪ ତାରିଖରେ ଆଗରପଡାର ମୁଖ୍ୟଛକ ଉପରେ ପୂଜା କାର୍ଯ୍ୟ କରିଥିଲେ। ଭୂମି ପୂଜା ପରେ ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ସେଠାରେ ପହଞ୍ଚିଯାଇଥିଲେ  ଆଗରପଡା ପୁଲିସ ଓ ବନ୍ତ ତହସିଲଦାର। ଏଠାରେ ହୋଇ ପାରିବ ନାହିଁ ପ୍ରତିମୂର୍ତ୍ତି ସ୍ଥାପନ ବୋଲି ବାରଣ କରିଥିଲେ। 

ପ୍ରଶାସନର ଏପରି ଦୋମୁହାଁ ନୀତିକୁ ସହଜରେ ହଜମ କରି ପାରି ନଥିଲେ ଭଦ୍ରକର ଶିକ୍ଷାବିତ୍ତ, ବୁଦ୍ଧିଜୀବୀ ଓ ସାଧାରଣ ଜନତା। ଗୋଟିଏ ବର୍ଷ ତଳେ ଯେଉଁ ଜିଲ୍ଲା ପ୍ରଶାସନ ଡ. ମହତାବଙ୍କର ପ୍ରତିମୂର୍ତ୍ତୀ ଆଗରପଡାଠାରେ ସ୍ଥାପନ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ। ସେଇ ପ୍ରଶାସନ ଏବେ ଏଠାରେ ପ୍ରତିମୂର୍ତ୍ତି ସ୍ଥାପନ ନକରିବାକୁ  କହିଛନ୍ତି। ଗତ ୫ ତାରିଖ ଦିନ ଜିଲ୍ଲାପାଳ  ତାଙ୍କର ପୂର୍ବ ଅନୁମତିପତ୍ରକୁ ନାକଚ କରି ଦେଇଛନ୍ତି। ଜିଳ୍ଲାପାଳଙ୍କର ଏଭଳି ନିର୍ଦ୍ଦେଶକୁ  ସହଜରେ ଗ୍ରହଣ କରି ନାହାନ୍ତି ଲୋକେ । ଜିଲ୍ଲାପାଳଙ୍କର ଏଭଳି ନିର୍ଦ୍ଦେଶ ପଛରେ ରାଜନୀତି କାମ କରୁଛି ବୋଲି ଲୋକ ଅଭିଯୋଗ ଉଠାଇଛନ୍ତି। ଡ. ହରେକୃଷ୍ଣ ମହତାବ ଏ ମାଟିର ମହକ। ତାଙ୍କ ନିଜ ମାଟିରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ହେବାକୁ ନେଇ ରାଜନୀତି କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି।

ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ଯେଉଁମାନେ ରାଜନୀତି କରିବାକୁ ଚାହୁଁଛନ୍ତି। ସେମାନଙ୍କୁ ଆଗାମୀ  ଦିନରେ ଠିକଣା ଜବାବ ଦିଆଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।  ପ୍ରକାଶ ଛାଉକି, ଭଦ୍ରକ  ଜିଲ୍ଲାର ଆରଗରପଡା ମୁଖ୍ୟଛକରେ ଡ. ହରେକୃଷ୍ଣ ମହତାବଙ୍କର  ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ତାଙ୍କ ନିଜ  ଗାଁ ମାଟିରେ ସ୍ଥାପନ ପାଇଁ କିଛି ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ତ ମନ ବଳାଇ ଥିଲେ। ଏଥିପାଇଁ  ଭଦ୍ରକରେ ଡ. ହରେକୃଷ୍ଣ ମହତାବ ସ୍ମାରକୀ ପରିଷଦ ନାମକ ଏକ ସଂସ୍ଥା ଗଠନ କରାଯାଇଥିଲା। ଏଇ ପରିଷଦ ପକ୍ଷରୁ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ନିଷ୍ପତ୍ତି ହେଲା। ନିଷ୍ପତ୍ତି ହେବା ପରେ  ଜିଲ୍ଲାପାଳଙ୍କୁ ଅନୁମତି ମାଗିଥିଲେ। ଜିଲ୍ଲାପାଳ ଭଦ୍ରକ  ଗତ ୧୩/୭/୧୬ରେ  ଚିଠି ନମ୍ବର – ୧୭୬୦ରେ ଅନୁମତି ଦେଇଥିଲେ। ଏଇ ଅନୁମତି ପତ୍ର ପାଇବା ପରେ ଷରିଷଦ ପକ୍ଷରୁ ଡ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବିଭିନ୍ନ ବର୍ଗର ଲୋକଙ୍କଠାରୁ ସହାୟତା ଆଣି ୯ ଫୁଟ୍ ୬ ଇଞ୍ଚ ଲମ୍ବର ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରି ଏହାର ସ୍ଥାପନା ପାଇଁ ଭୂମି ପୂଜା କରିଥିଲେ। ଭୂମି ପୂଜା  ପରେ ପରେ ଆରମ୍ଭ ହୋଇଯାଇଥିଲା  ଚକ୍ରାନ୍ତର ରାଜୀନତି। ଏଇ ଚକ୍ରାନ୍ତ ବେଶ୍ କୁଟିଳ ଥିଲା।

କିଛି ରାଜନେତାଙ୍କ ଚକ୍ରାନ୍ତର ଚକ୍ରବ୍ୟୁହ ରଚନା କରାଗଲା। କିଏ କାହିଁକି ମହତାବ ପ୍ରତିମୂର୍ତ୍ତି ଉନ୍ମୋଚନ କରି ବାହାଦୂରି ନେଇଯିବ। ଚାଲ ଏହାକୁ ଭଣ୍ଡୁର କରି ଦେବା।  ଏମିତି ଯୋଜନା କରାଯାଇ , ପ୍ରଶାସନକୁ ଆୟୁଧ କରି ଷଢୁଆସି ଆକ୍ରମଣ କରାଗଲା। ଯେଉଁ ପ୍ରଶାସନ ଅନୁମତୀ ଦେଇଥିଲା। ସେଇ ପ୍ରଶାସନ ପୁଣି ଡ. ମହତାବଙ୍କ ପ୍ରତିମୂର୍ତ୍ତି ସେଠାରେ  ସ୍ଥାପନ ନ କରିବାକୁ ମନା କରିଦେଲେ। ଜିଲ୍ଲାପାଳ ମଧ୍ୟ ଊପାୟ ଶୂନ୍ । ଓଡ଼ିଶାର ବରପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ  ଡ. ହରେକୃଷ୍ଣ ମହତାବଙ୍କ ନିଜ ଗାଁ ଆଗରପଡାରେ ପ୍ରତିମୂର୍ତ୍ତି ନହୋଇ ପାରିବା ଘଟଣାକୁ ନେଇ ଏବେ ସାରା ଜିଲ୍ଲାରେ ପ୍ରତିକ୍ରିୟା ପ୍ରକା‌ଶ ପାଇଛି।

ବିଶେଷକରି  ଆଗରପଡାର ରାଜୀନତି ବେଶ୍ ଉଷ୍ମ ହୋଇଛି। କଣ ହେବ ଆଗାମୀ ଦିନରେ। ଆଠ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ଏଇ ବ୍ରୋଞ୍ଚ ପ୍ରତିମୂର୍ତ୍ତି ହେବ କଣ। କେଉଁଠି ପୁଣି ବସାଇବେ ମହତାବଙ୍କର ପ୍ରତିମୂର୍ତ୍ତି । ଆସନ୍ତା ନଭେମ୍ବର ୨୧ ତାରିଖରେ ମହତାବଙ୍କ ଜନ୍ମ ଜୟନ୍ତୀରେ ଏଇ ପ୍ରତିମୂର୍ତ୍ତୀ ଉନ୍ମୋଚନ ହେବାର ଥିଲା। ଏବେ ଏଇ ବିବାଦ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ଆୟୋଜକମାନେ  ଏଥିରେ ମର୍ମାହତ ହୋଇଥିବା ବେଳେ  ଚକ୍ରାନ୍ତକାରୀ ଗୋଷ୍ଠୀ ନାକରେ କାଠି ଦେଇ ନାଟକ ଦେଖୁଛନ୍ତି। ଭଦ୍ରକରେ ଏଭଳି ପ୍ରତିମୂର୍ତ୍ତି ରାଜନୀତିକୁ କିନ୍ତୁ ସାଧାରଣରେ ଗ୍ରହଣ କରାଯାଉ ନାହିଁ। ଏପରି ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ନେଇ ଆନ୍ଦୋଳନ କରାଯିବ ବୋଲି ପରିଷଦ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର