ପ୍ରହସନ ପାଲଟିଛି ହରିଶ୍ଚନ୍ଦ୍ର ସହାୟତା ଯୋଜନା : ସହାୟତା ପାଇଁ ଶବ ଦେଲା ହାଜିରା

ଦରଖାସ୍ତ ନ‌ ଦେଲେ ସହାୟତା ମିଳିବନି: ପୌର ନିର୍ବାହୀ ଅଧିକାରୀ, ୩ ମାସ ପରେ ବି ହରିଶ୍ଚନ୍ଦ୍ର ସହାୟତା ମିଳୁନଥିବା ଅଭିଯୋଗ

ବାରିପଦା : ଗରିବ କିମ୍ବା ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ତୁରନ୍ତ ବିନା କୌଣସି ଆବେଦନରେ ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାର ନିୟମ କରିଛନ୍ତି। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏଥିପାଇଁ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପକ୍ଷରୁ କେ ପ୍ରମାଣ ଦେବାର ବି ଆବଶ୍ୟକତା ନାହିଁ। ମାତ୍ର ବାରିପଦା ପୌରପାଳିକାରେ ହରିଶ୍ଚନ୍ଦ୍ର ସହାୟତା ପାଇବା ପାଇଁ ଶବକୁ କିନ୍ତୁ ପୌରପାଳିକା କାର୍ଯ୍ୟାଳୟରେ ହାଜିରା ଦେବାକୁ ପଡ଼ିଛି। ସହାୟତା ରାଶି ପାଇବା ପାଇଁ ରାଜ୍ୟ ସରକାର ଗୋଟିଏ କଥା କହୁଥିବାବେଳେ ବାରିପଦା ପୌରପାଳିକା ନିର୍ବାହୀ ଅଧିକାରୀ କିନ୍ତୁ ଭିନ୍ନ ମତ ରଖିଛନ୍ତି। ବିନା କୌଣସି ଆବେଦନପତ୍ରରେ ହଠାତ୍‌ ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ କରାଯାଇପାରିବ ନାହିଁ ବୋଲି କହିଛନ୍ତି ବାରିପଦା ପୌରପାଳିକା ନିର୍ବାହୀ ଅଧିକାରୀ ସରୋଜ ଦାଶ।

ଆଜି ସ୍ଥାନୀୟ ୱାର୍ଡ ନଂ-୨୬, ଭୁଗୁଡ଼ାକଟା ହରିଜନସାହିର ସୁମତି ଘଡ଼େଇଙ୍କ ମୃତ୍ୟୁ ଘଟିଥିଲା। ସୁମତିଙ୍କ ସ୍ବାମୀ ରମେଶଙ୍କର ମଧ୍ୟ ପୂର୍ବରୁ ମୃତ୍ୟୁ ହୋଇସାରିଛି। ଘରେ ଏକମାତ୍ର ପୁଅ କାହ୍ନୁ ଯାହାଙ୍କ ବୟସ ମାତ୍ର ୧୮-୧୯ ହେବ। କାହ୍ନୁ କିନ୍ତୁ ଏବେ ସୁଦ୍ଧା ରୋଜଗାରକ୍ଷମ ନୁହନ୍ତି। ଉତ୍କଟ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଥିବା କାହ୍ନୁଙ୍କ ପାଖରେ ମା’ଙ୍କ ମୃତ୍ୟୁ ପରେ ଶବ ସଂସ୍କାର ନିମନ୍ତେ ଶ୍ମଶାନରେ ଆବଶ୍ୟକ ପଡ଼ୁଥିବା ସାମଗ୍ରୀ କିଣିବାକୁ ସର୍ବନିମ୍ନ ଅର୍ଥ ମଧ୍ୟ ନଥିଲା। ଅଗତ୍ୟା ହରିଶ୍ଚନ୍ଦ୍ର ସହାୟତାକୁ ଆଶା କରିଥିଲେ କାହ୍ନୁ। ମାତ୍ର ବାରିପଦା ପୌରପାଳିକାରୁ ଶବ ସଂସ୍କାର ନିମନ୍ତେ ହରିଶ୍ଚନ୍ଦ୍ର ସହାୟତା ରାଶି ଆଶା କରିବା ଷାଠିଏ ମହଣ ହେବ ଆଉ ରାଧା ନାଚିବା ସହିତ ସମାନ। କାରଣ ପୂର୍ବରୁ ମଧ୍ୟ ଏହି ସହାୟତା ରାଶି ପାଇଁ ମୃତକଙ୍କ ପରିବାର ୩ ମାସ ପର୍ଯ୍ୟନ୍ତ ଅପେକ୍ଷା କରୁଥିବା ନିର୍ବାଚିତ ଜନପ୍ରତିନିଧିମାନେ ମଧ୍ୟ ଅଭିଯୋଗ କରିଛନ୍ତି। ତେଣୁ ପୌରପରିଷଦରୁ ହରିଶ୍ଚନ୍ଦ୍ର ସହାୟତା ରାଶି ପାଇବା ନିମନ୍ତେ ସୂଚନା ଦେଇ ନିରାଶ ହେବା ପରେ ଶବକୁ ପୌରପାଳିକା କାର୍ଯ୍ୟାଳୟ ଭିତରକୁ ନିଆଯାଇଥିଲା। ସହାୟତା ରାଶି ନପାଇବା ପର୍ଯ୍ୟନ୍ତ ଶବ ସହିତ ସମ୍ପର୍କୀୟମାନେ ପୌରପାଳିକା କାର୍ଯ୍ୟାଳୟ ପରିସରରେ ଧାରଣା ଦେବାର ସୂଚନା ପାଇବା ପରେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ। ଆଉ ତରବରିଆ ଭାବେ ନିର୍ବାହୀ ଅଧିକାରୀଙ୍କ କହିବା ମୁତାବକ ଜଣେ କର୍ମଚାରୀ ସହାୟତା ରାଶିର ଅଧା ୧୫୦୦ ଟଙ୍କା ଦେଇ ଶବକୁ କୌଣସିମତେ କାର୍ଯ୍ୟାଳୟ ପରିସରରୁ ବିଦା କରି ଦେଇଥିଲେ। ଅବଶିଷ୍ଟ ୧୫୦୦ ଟଙ୍କା କେବେ ମିଳିବ ତାହା ପଚାରିଲେ ବି କିଛି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା।

ଏହି ଅଭାବନୀୟ ଘଟଣା ବାରିପଦାରେ ଯୋଜନାର ପ୍ରକୃତ କାର୍ଯ୍ୟକାରିତାକୁ ପଦାରେ ପକାଇଛି। ଯଦି ଗରିବ ଲୋକଙ୍କୁ ଏହି ସହାୟତା ଶବ ସଂସ୍କାର ବେଳେ ପ୍ରଦାନ କରାଯାଇପାରିବ ନାହିଁ ଏବଂ ସହାୟତା ପାଇଁ ଯଦି ଶବକୁ ହାଜର ହେବାକୁ ପଡ଼ିବ ତେବେ ଏହାର ଯଥାର୍ଥତା କ’ଣ ବୋଲି ପ୍ରଶ୍ନ ଉଠିଛି। ଏ କଥା ବି ଅଭିଯୋଗ ହେଉଛି, ବାରିପଦା ପୌରପାଳିକାରେ ଏହି ଯୋଜନା ଘୋର ଅବ୍ୟବସ୍ଥା ମଧ୍ୟରେ ଚାଲୁଛି। ଆବେଦନ କରିବାର ୩ ମାସ ପର୍ଯ୍ୟନ୍ତ ମଧ୍ୟ ହିତାଧିକାରୀ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ପାଇପାରୁନାହାନ୍ତି। ସର୍ବନିମ୍ନ ୧୫ ଦିନ ନ ହେଲା ପର୍ଯ୍ୟନ୍ତ ସହାୟତା ରାଶି ମିଳିପାରୁନାହିଁ। ପୂର୍ବରୁ କାଉନସିଲରମାନେ ନିଜ ହାତରୁ ହିତାଧିକାରୀଙ୍କୁ ଅର୍ଥ ଦେଇ ପରେ ପାଉଥିଲେ। ମାତ୍ର ଚଳିତ ବର୍ଷ ଫେବ୍ରୁଆରି ମାସରୁ ପୌରପରିଷଦ ଭାଙ୍ଗିଗଲା ପରେ ପ୍ରଶାସନ ହାତକୁ କ୍ଷମତା ଯାଇଛି। ମାତ୍ର ଏହା ବର୍ତ୍ତମାନ ଅବ୍ୟବସ୍ଥାର ଏକ ଗନ୍ତାଘର ପାଲଟିଛି ବୋଲି ୱାର୍ଡ ନଂ-୨୬ର ପୂର୍ବତନ କାଉନ୍‌ସିଲର ଲକ୍ଷ୍ମୀଧର ହାବଡ଼ା ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟଯେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବାସକରୁଥିବା ଗରିବ ଓ ଅସ‌ହାୟ ଶ୍ରେଣୀର ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ଶବ ସଂସ୍କାର କରିବା ନିମନ୍ତେ ୨୦୧୩ ମସିହାରୁ ରାଜ୍ୟ ସରକାର ହରିଶ୍ଚନ୍ଦ୍ର ସହାୟତା ଯୋଜନାର କାର୍ଯ୍ୟକାରୀ କରିଛନ୍ତି। ସ୍ଥାନୀୟ ଜନପ୍ରତିନିଧିଙ୍କ ନିକଟରୁ କୌଣସି ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ତୁରନ୍ତ ବିନା କୌଣସି ଆବେଦନରେ ଏହି ସହାୟତା ରାଶି ପ୍ରଦାନ କରିବାକୁ ଓଡ଼ିଶା ସରକାର ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର