ପ୍ରବଳ ବର୍ଷା ଯୋଗୁଁ ଆସନ୍ତାକାଲି ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ସ୍ଥାନୀୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ୱାରା ପ୍ରବଳ ବର୍ଷା ହେବା ନେଇ ସୂଚନା ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଛୁଟି କରିବାକୁ ଆଦେଶ ଦେଇଛନ୍ତି। ଛୋଟ ପିଲାମାନଙ୍କୁ ବର୍ଷା ଦାଉରୁ ସୁରକ୍ଷା ଦେବା ପାଇଁ ନବୀନ ଏଭଳି ଆଦେଶ ଦେଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଆଦେଶ ଅନୁସାରେ ଭୁବନେଶ୍ୱରରେ ସମସ୍ତ ସ୍କୁଲ ବନ୍ଦ ରହିବ। ନବୀନ କହିଛନ୍ତି ଜିଲ୍ଲାମାନଙ୍କରେ ସ୍କୁଲ ବନ୍ଦ ରହିବ ନା ନାହିଁ, ସେହି ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟବର୍ତ୍ତୀ ଅଞ୍ଚଳ ଦୀଘା ନିକଟରେ ରହିଛି। ଫଳରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ଟି ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ବୋଲି ଗୁରୁବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଏହି ୧୦ଟି ଜିଲ୍ଲା ମଧ୍ୟରେ କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ଯାଜପୁର, କଟକ, କେନ୍ଦୁଝର, ଢ଼େଙ୍କାନାଳ, ଦେବଗଡ଼, ସମ୍ବଲପୁର ଓ ସୋନପୁର ରହିଛି।

ସେହିପରି ବାଲେଶ୍ୱର, ମୟୁରଭଞ୍ଜ, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଳାହାଣ୍ଡି, ବୌଦ୍ଧ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। କେବଳ ଏତିକି ନୁହେଁ ଏହି ସବୁ ଜିଲ୍ଲାମାନଙ୍କରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ପବନର ବେଗ ୨୩ରୁ ୨୫କିମି ରହିବ । ଏଥିସହିତ ୪୫କିମିର ବେଗରେ ଝଡ଼ ତୋଫାନ୍‌ ମଧ୍ୟ ହୋଇପାରେ।

ସମ୍ବନ୍ଧିତ ଖବର