ଦାମ ରାଉତ ଆଶ୍ବସ୍ତ: ଜାତିଆଣ ଆକ୍ଷେପ ସଂପର୍କିତ ମାମଲା ହାଇକୋର୍ଟରେ ରଦ୍ଦ

କଟକ : ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ ନେଇ ୨୦୧୦ରେ କୁଜଙ୍ଗ ଥାନାରେ ରୁଜୁ ମାମଲାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୨୦୧୦, ଅଗଷ୍ଟ ୨୧ରେ ରୁଜୁ ଏତଲା ଓ ଏ ସଂପର୍କିତ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାକୁ ରଦ୍ଦ କରିବା ପାଇଁ ଶ୍ରୀ ରାଉତ ହାଇକୋର୍ଟରେ ଦୁଇଟି ଆବେଦନ ଦାୟର କରିଥିଲେ। ଡକ୍ଟର ଜଷ୍ଟିସ ଏ.‌କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାର୍ଚ୍ଚ ୭ରେ ଶ୍ରୀ ରାଉତଙ୍କ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। କୁଜଙ୍ଗ ନିମ୍ନ ଅଦାଲତରେ ଆବେଦନକାରୀଙ୍କ ବିରୋଧରେ ବିଚାରାଧୀନ ମାମଲା ରଦ୍ଦ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଜଗତସିଂହପୁର ଜିଲ୍ଲା କୁଜଙ୍ଗର ବ୍ଲକ ପଡିଆରେ ୨୦୧୦, ଅଗଷ୍ଟ ୧୮ରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଧାୟକ ତଥା ପୂର୍ବତନ କୃଷି ମନ୍ତ୍ରୀ ଦାମୋଦର ରାଉତ ତତ୍କାଳୀନ ଜଗତସିଂହପୁର ଏଡିଏମ୍ ଉପେନ୍ଦ୍ରନାଥ ମଲ୍ଲିକ, ବିଧାୟକ ବିଷ୍ଣୁ ଚରଣ ଦାସ ଓ ସାଂସଦ ବିଭୂ ପ୍ରସାଦ ତରାଇଙ୍କ ବିରୋଧରେ ଜାତିଆଣ ଆକ୍ଷେପ କରି ମନ୍ତବ୍ୟ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ମନୋଜ କୁମାର ଭୋଇ କୁଜଙ୍ଗ ଥାନାରେ ୨୦୧୦, ଅଗଷ୍ଟ ୨୧ରେ ଶ୍ରୀ ରାଉତଙ୍କ ବିରୋଧରେ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର