ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ପାଇଁ ୩ ଜିଲ୍ଲାରେ ଆଜିଠୁ ୨ ଦିନ ସ୍କୁଲ୍‌ ଛୁଟି, ଆଉ ୬ ଜିଲ୍ଲାରେ ୯ରେ ଛୁଟି ଘୋଷଣା

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ହେବାକୁ ଥିବା ପବନ ଓ ବର୍ଷା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତିକୁ ଜୋର୍‌ଦାର୍ କରାଯାଇଛି। ଏଥି ପାଇଁ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ବତନ୍ତ୍ର ରିଲିଫ୍ କମିସନର୍‌ ପ୍ରଦୀପ କୁମାର ଜେନା ବାତ୍ୟାର ସମ୍ଭାବ୍ୟ ଗତିପଥ, ପ୍ରଭାବ ଓ ସେଥି ପାଇଁ କରାଯାଇଥିବା ପ୍ରସ୍ତୁତି ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟ ଦପ୍ତରରେ ସମସ୍ତ ଅଧିକାରୀ ଉପସ୍ଥିତ ରହିବା ସହ ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଭୀଷଣ ବର୍ଷାର ସମ୍ଭାବନା ଥିବାରୁ ୮ ଓ ୯ ତାରିଖ ଦୁଇ ଦିନ ପୁରୀ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍କୁଲ ଛୁଟି ଘେ‌ାଷଣା କରାଯାଇଥିବା ବେଳେ ୯ ତାରିଖରେ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଆଦି ୬ଟି ଜିଲ୍ଲାରେ ସ୍କୁଲ୍‌, କଲେଜ ବନ୍ଦ ରଖାଯିବ। ବର୍ଷା ଓ ପବନର ଗତିକୁ ଲକ୍ଷ୍ୟ କରି ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ୮ ତାରିଖ ଦିନ ସ୍କୁଲ୍‌ ବନ୍ଦ ରଖିବା ବିଷୟରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା।

ଏହା ମଧ୍ୟରେ ପ୍ରଭାବିତ ହେବାକୁ ଥିବା ୯ଟି ଜିଲ୍ଲାକୁ ଦୁଇଟି ଲେଖାଏ ଓଡ୍ରାଫ ଓ ଗୋଟିଏ ଲେଖାଏ ଏନ୍‌ଡିଆର୍‌ଏଫ୍‌ ଟିମ୍ ପଠାଯାଇଛି। ଏସବୁ ଜିଲ୍ଲାରେ ଅଗ୍ନିଶମ ସେବା ସଂସ୍ଥା ୟୁନିଟ୍‌ଗୁଡ଼ିକୁ ମଧ୍ୟ ସଜାଗ ରଖାଯାଇଛି। ପବନ ପ୍ରଭାବରେ ଗଛର ଡାଳ ଭାଙ୍ଗିଯିବା ସହ ଗତ ଫନି ବାତ୍ୟା ଯୋଗୁ ଦୁର୍ବଳ ହୋଇଥିବା ଗଛ, ବିଦ୍ୟୁତ ଖୁଣ୍ଟ ଆଦି ପଡ଼ିଯିବାର ଆଶଙ୍କା ଥିବାରୁ ରାସ୍ତାଘାଟ ସଫା କରିବା ନିମନ୍ତେ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ରଖିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଥିଲା। ବାତ୍ୟାର ପ୍ରଭାବରେ କଚ୍ଚା ଘର, ଆଜ୍‌ବେଷ୍ଟ୍‌, ଦୁର୍ବଳ ନଦୀବନ୍ଧ, ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା, ଟେଲି ଯୋଗାଯୋଗ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଏହାର ପୁନଃସ୍ଥାପନ ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ବିଶେଷତଃ ପାଚିଲା ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ସେସବୁ କ୍ଷେତରୁ ନିରାପଦ ସ୍ଥାନକୁ ନେଇ ଆସିବା ପାଇଁ ଚ‌ାଷୀଙ୍କୁ ଅନୁରୋଧ କରାଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ ଡିଜି ବିଜୟ କୁମାର ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର