ଅଣମୌସୁମୀରେ ମହାନଦୀରେ ଜଳସ୍ରୋତ ବଢ଼ିଛି

ଗୃହରେ ଉତ୍ତର ରଖିଲେ ଜଳସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର: ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ର ବେଆଇନ୍‌ ବ୍ୟାରେଜ୍‌ ନିର୍ମାଣ ଯୋଗୁଁ ଅଣମୌସୁମୀ ସମୟରେ ମହାନଦୀରେ ଜଳପ୍ରବାହ କମୁଛି ବୋଲି ଅଭିଯୋଗ ହେଉଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ କାଦୁଅ ଫିଙ୍ଗା ଚାଲୁଛି। କିନ୍ତୁ ଆଜି ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀଙ୍କ ଏକ ଉତ୍ତର ଏପରି ଅଭିଯୋଗକୁ ନୂଆ ଦିଗ ଦେଇଛି। ମହାନଦୀରେ ଅଣମୌସୁମୀ ଜଳସ୍ରୋତ ବଢ଼ିଛି ବୋଲି ମନ୍ତ୍ରୀ କହିଛନ୍ତି। ଶାସକ ଦଳ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଏକ ପ୍ରଶ୍ନ କରିଥିଲେ, ଅଣମୌସୁମୀ ସମୟରେ ସମସ୍ତ ନଦୀରେ ଜଳସ୍ରୋତ ୮୦ ପ୍ରତିଶତ ହ୍ରାସ ପାଇଥିବା ସମ୍ପର୍କରେ ସରକାର ଅବଗତ ଅଛନ୍ତି କି ? ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ପ୍ରଶ୍ନ ସହିତ ଏକମତ ହୋଇନାହାନ୍ତି। ସେ ତାଙ୍କ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି, ରାଜ୍ୟର ସମସ୍ତ ନଦୀର ଜଳସ୍ରୋତ ଅଣମୌସୁମୀ ଋତୁରେ ୮୦ ପ୍ରତିଶତ ହ୍ରାସ ପାଇ ନାହିଁ। କେନ୍ଦ୍ରୀୟ ଜଳ ଆୟୋଗର ଜଳପ୍ରବାହ ତଥ୍ୟ ଅନୁଯାୟୀ ବିଗତ ୧୦ ବର୍ଷର ହାରାହାରି ଅଣମୌସୁମୀ ଜଳର ପରିମାଣ ପୂର୍ବର ହାରାହାରି ଜଳପ୍ରବାହ ତୁଳନାରେ କିଛି ନଦୀରେ ବଢ଼ିଛି ଓ କିଛି ନଦୀରେ କମିଛି। ଏହାର ବିଶ୍ଳେଷଣ କରି ମନ୍ତ୍ରୀ ଦର୍ଶାଇଛନ୍ତି, ମହାନଦୀ ସମେତ ବୈତରଣୀ, ବଂଶଧାରା, କୋଲାବ, ସୁବର୍ଣ୍ଣରେଖା ଓ ନାଗାବଳୀ ନଦୀର ହାରାହାରି ଅଣମୌସୁମୀ ଜଳସ୍ରୋତ ବଢ଼ିଛି। ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, ଇନ୍ଦ୍ରାବତୀ ଓ ଋଷିକୂଲ୍ୟା ନଦୀର ହାରାହାରି ଅଣମୌସୁମୀ ଜଳସ୍ରୋତ କମିଛି। ଇନ୍ଦ୍ରାବତୀ ନଦୀର ନବରଙ୍ଗପୁର ଠାରେ ହାାରାହାରି ୩୧ ପ୍ରତିଶତ ଅଣମୌସୁମୀର ଜଳପ୍ରବାହ କମିଛି। ଯେଉଁଠି ଜଳସ୍ରୋତ ହ୍ରାସ ପାଇଛି, ତାହାର ନିରାକରଣ ପାଇଁ ଆବଶ୍ୟକ ସ୍ଥଳେ ବିଚାର ବିମର୍ଷ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର