ମାଓ ଅଞ୍ଚଳରେ ଶୃଙ୍ଖଳିତ ନିର୍ବାଚନ : ୨୨ରେ ଅନ୍ତଃରାଜ୍ୟ ସହଯୋଗ ବୈଠକ

ଭୁବନେଶ୍ୱର : ମାଓ ଉପଦ୍ରୁତ ଅଞ୍ଚଳରେ ଶୃଙ୍ଖଳିତ ନିର୍ବାଚନ କରାଇବାକୁ ନେଇ ଚିନ୍ତା ବଢ଼ିଛି। ଭୋଟରମାନଙ୍କୁ ସୁରକ୍ଷା ଦେବା ସହ ଶୃଙ୍ଖଳିତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୨୨ ତାରିଖରେ ଅନ୍ତଃରାଜ୍ୟ ସହଯୋଗ ବୈଠକ ବସିବାକୁ ଯାଉଛି। ଓଡ଼ିଶା ସୀମାକୁ ଲାଗିଥିବା ରାଜ୍ୟ ସହ ମାଓବାଦୀଙ୍କ କାର୍ଯ୍ୟକଳାପ ନେଇ ଆଲୋଚନା କରାଯିବ। ଅନ୍ୟ ରାଜ୍ୟଠାରୁ ଗୁଇନ୍ଦା ତଥ୍ୟ ସଂଗ୍ରହ ଓ ନିର୍ବାଚନ ସମୟରେ କୌଣସି ପ୍ରକାରର ଆପରାଧିକ କାର୍ଯ୍ୟକଳାପରେ ଅନ୍ୟ ରାଜ୍ୟମାନଙ୍କର ସହଯୋଗକୁ ନେଇ ଆଲେଚାନା ହେବ। ଏହା ସହିତ ଏହି ସମୟରେ ବାମପନ୍ଥୀ କାର୍ଯ୍ୟକଳାପ, ନିଶା କାରବାର, ବନ୍ଧୁକ ଓ ଗୁଳିଗୋଳା କାରବାର ରୋକିବା ଏହି ଆଲୋଚନାର ମୁଖ୍ୟ ହେବ ବୋଲି ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ଆଜି ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ଭୁବନେଶ୍ବର କ୍ୟାମ୍ପ ଅଫିସ୍‌ରେ ବସିଥିବା ଏକ ପ୍ରସ୍ତୁତି ବୈଠକରେ ଏହା ଉପରେ ଆଲୋଚନା ହୋଇଛି। ୨୨ ତାରିଖ ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ଏକ ତାଲିକା ପ୍ରସ୍ତୁତ ହୋଇଛି। ନିର୍ବାଚନ ସମୟରେ ଆନ୍ତରାଜ୍ୟ ଅପରାଧୀମାନେ ଗୋଟିଏ ଜାଗାରେ ଅପରାଧ ଘଟାଇ ଅନ୍ୟ ରାଜ୍ୟକୁ ଚାଲି ଯାଉଥିବାରୁ ସମସ୍ୟା ହେଇଥାଏ। ତା ଛଡ଼ା ନିଶା ଓ ଗୁଳିଗୋଳା କାରବାର ଏହି ସମୟରେ ପୁଲିସର ମୁଣ୍ଡବିନ୍ଧା ସାଜିଥାଏ। ଏଣୁ ଚଳିତବର୍ଷ ଏହି ଦୁଇଟି ପ୍ରସଙ୍ଗକୁ ଗୁରୁତ୍ବର ସହ ନିଆଯିବ ବୋଲି ପୁଲିସ ଡିଜି ସୂଚନା ଦେଇଛନ୍ତି। କେବଳ ମାଓ ଉପଦ୍ରୁତ ଇଲାକା ନୁହେଁ, ବରଂ ସମସ୍ତ ସ୍ଥାନରେ କିଭଳି ଶୃଙ୍ଖଳିତ ମତଦାନ କରାଯାଇ ପାରିବ ସେ ନେଇ ପୁଲିସ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର