ଜୟପୁର: ୬୬୦ କିଲେ ଗଞ୍ଜାଇ ଜବତ; ୧୦ ଜଣ ଗିରଫ

ଜୟପୁର: ସୋମବାର ଦିନ ଜୟପୁର ଏସ୍‌ଡିପିଓ ଅଧୀନସ୍ଥ ତିନୋଟି ଥାନା ଅଞ୍ଚଳରୁ ୬୬୦ କିଲୋ ଗଞ୍ଜାଇ ଜବତ କରାଯାଇ ୧୦ ଜଣଙ୍କୁ ଗିରଫ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ସାଗରିକା ନାଥ, ବୈପାରିଗୁଡ଼ା ଆଇଓସି ରମେଶ ଦେବତା, ସଦର ଆଇଆଇସି ଧୀରେନ୍‌ ବେହେରା ଓ ଟାଉନ୍‌ ଥାନା ଆଇଆଇସି ବାଲେଶ୍ୱର ଗିଧିଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତ ଘୋଷଣା କରାଯାଇଥିଲା।

ଭୋର୍‌ ପ୍ରାୟ ୪: ୩୦ରେ ବୈପାରୀଗୁଡ଼ା ଥାନା ଅନ୍ତର୍ଗତ କୋଟା ଜଙ୍କ୍‌ସନ୍‌ ଘାଟି ପାଖରେ ହୋଣ୍ଡା ସାଇନ୍‌ ମଟରସାଇକେଲ୍‌ରେ ଗଞ୍ଜାଇ ନେଇ ଯାଉଥିବା ୨ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି। ଗିରଫ ଯୁବକଦ୍ୱୟ ହେଲେ କଳାହାଣ୍ଡିର ୪୦ ବର୍ଷିୟ ଦାମୋଦର ମେହେର ଓ ୪୫ ବର୍ଷିୟ ପଟେଲ ନାୟକ। ସେମାନଙ୍କ ଠାରୁ ୪୫ କିଲୋ ଗଞ୍ଜାଇ ଜବତ କରାଯାଇଛି।

ସକାଳ ୧୦: ୨୫ରେ ଜୟପୁର ସଦର ଥାନା ଅନ୍ତର୍ଗତ ପାତ୍ରପୁର ଛକରେ ଆମ୍ବୁଲାନ୍‌ସ୍‌ରେ ଗଞ୍ଜାଇ ନେଇ ଯାଉଥିବା ୪ ଜଣଙ୍କୁ ପୁଲିସ ଗିରଫ କରି ସେମାନଙ୍କ ଠାରୁ ୪୬୯ କିଲୋ ଗଞ୍ଜାଇ ଜବତ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ୫୦ ବର୍ଷିୟ ରୋହିତେଶ୍ୱର ମେହେର, ୨୮ ବର୍ଷିୟ ରମାକାନ୍ତ ତୁରୁକ, ୩୬ ବର୍ଷିୟ ଅଭିଷେକ ଶୁକ୍ଳା ଏବଂ ୩୦ ବର୍ଷିୟ ମୟଙ୍କ ମିଶ୍ରା।

ତୃତୀୟ ଘଟଣାରେ ରାତି ପ୍ରାୟ ୩: ୩୫ରେ ଜୟପୁର ଟାଉନ ଥାନା ଅଞ୍ଚଳର ୩୨୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ହାତୀଶାଳ ଛକ ଠାରେ ଏକ ବୋଲେରରୁ ପୁଲିସ ୧୬୮ କିଲୋ ଗଞ୍ଜାଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ଗିରଫ ବ୍ୟକ୍ତିମାନେ ହେଲେ ୨୫ ବର୍ଷିୟ ସନ୍ତୋଷ ନାୟକ, ୩୨ ବର୍ଷିୟ ମାର୍କଣ୍ଡ ନାୟକ, ୩୩ ବର୍ଷିୟ ମହମ୍ମଦ ଆର୍ଶଦ ଓ ୩୨ ବର୍ଷିୟ ମହମ୍ମଦ ରଜ୍‌ଓ୍ଵି।

ସମ୍ବନ୍ଧିତ ଖବର