ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

ମୟୂରଭଞ୍ଜ ଲୋକସଭା ସମେତ ୫ ବିଧାନସଭାରେ ପ୍ରାର୍ଥୀ ଘୋଷିତ, ୧ ଲୋକସଭା ୨ ବିଧାନସଭା ଆସନରେ ହୋଇପାରେ ବନ୍ଧୁତ୍ବପୂର୍ଣ୍ଣ ଲଢ଼େଇ

ବାରିପଦା : ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌। ଆଜି ଜେଏମ୍‌ଏମ୍‌ କେନ୍ଦ୍ରୀୟ କମିଟି ଅଧ୍ୟକ୍ଷ ଶିବୁ ସୋରେନ୍‌ ଓଡ଼ିଶାର ୫ ବିଧାନସଭା ଏବ ୧ ଲୋକସଭା ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛନ୍ତି। ମୟୂରଭଞ୍ଜ ଲୋକସଭା ନିମନ୍ତେ ଦଳ ଅଞ୍ଜନୀ ସୋରେନ୍‌ଙ୍କୁ ପ୍ରାର୍ଥୀ କରିଛି। ସେହିପରି ଜିଲ୍ଲାର ଏକମାତ୍ର ଅଣସଂରକ୍ଷିତ ଆସନ ମୋରଡ଼ା ନିମନ୍ତେ କଳିଙ୍ଗ କେଶରୀ ଜେନା, ସାରସକଣା ନିମନ୍ତେ ଦଳର ରାଜ୍ୟ ସଭାପତି ମହେଶ ହେମ୍ବ୍ରମ୍‌, ବାଙ୍ଗିରିପୋଷି ନିମନ୍ତେ ସୁନ୍ଦର ମୋହନ ସିଂହ ଏବଂ ରାଇରଙ୍ଗପୁର ନିମନ୍ତେ ସୁନାରାମ ଟୁଡ଼ୁଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଆସନରେ ଦଳ ସେବିୟନ ଆଇନ୍ଦ୍‌ଙ୍କୁ ଦଳ ପ୍ରାର୍ଥୀ କରିଛି। ମାତ୍ର ବୀରମିତ୍ରପୁର ଆସନରେ କଂଗ୍ରେସ୍‌ ପୂର୍ବରୁ ଜର୍ଜ ତିର୍କୀଙ୍କ ପୁଅ ରୋହିତ ଜୋସେଫ ତିର୍କୀଙ୍କୁ ପ୍ରାର୍ଥୀ କରିଛି। ତେଣୁ ଉଭୟ ଦଳ ମଧ୍ୟରେ ଏହି ଆସନରେ ବନ୍ଧୁତ୍ବପୂର୍ଣ୍ଣ ଲଢ଼େଇ ହେବାର ସମ୍ଭାବନା ରହିଛି।

ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ୍‌ ପକ୍ଷରୁ ମୋରଡ଼ାରେ ମଧ୍ୟ ପ୍ରାର୍ଥୀ ଦିଆଯାଇପାରେ। ହେଲେ ଜେଏମଏମ ସମସ୍ତ ଆସନରେ ନୂତନ ପ୍ରାର୍ଥୀ ଘୋଷଣା କରିଛି। ବିଧିବଦ୍ଧ ଭାବେ ମେଣ୍ଟ ଘୋଷଣା ହୋଇନଥିଲେ ମଧ୍ୟ ଜେଏମଏମ ପକ୍ଷରୁ ଆଗୁଆ ପ୍ରାର୍ଥୀ ଘୋଷଣା ଉଭୟ ଦଳ ମଧ୍ୟରେ ସବୁକିଛି ଠିକ୍‌ ନଥିବା ସ୍ପଷ୍ଟ ନଥିବା ସୂଚାଉଛି। କିନ୍ତୁ ମେଣ୍ଟ ପ୍ରାର୍ଥୀ ଭାବେ ଶିବୁ ସୋରେନଙ୍କ କନ୍ୟା ଅଞ୍ଜନୀ ସୋରେନଙ୍କୁ ପ୍ରାର୍ଥୀ କରାଯାଇଛି। ମାତ୍ର ମୋରଡ଼ାରେ ଉଭୟ ଦଳ ବନ୍ଧୁତ୍ବପୂର୍ଣ୍ଣ ଲଢ଼େଇ କରିବେ। ଯାହାକି ଉଭୟ ଦଳକୁ ଦ୍ବନ୍ଦ୍ବରେ ପକେଇଛି। ସାଂସଦ ପ୍ରାର୍ଥୀ ମେଣ୍ଟରୁ ହୋଇଥିବା ବେଳେ ସଂସଦୀୟ କ୍ଷେତ୍ରର ‌ଏକ ଆସନରେ ବନ୍ଧୁତ୍ବପୂର୍ଣ୍ଣ ଲଢ଼େଇ ପୂରା ଜିଲ୍ଲାରେ ଉଭୟ ଦଳର କର୍ମୀଙ୍କୁ ଅଡ଼ୁଆରେ ପକେଇଛି। ରାଜ୍ୟର ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ହୋଇଛି। ‌ଜେଏମଏମକୁ ମୟୂରଭଞ୍ଜ ଲୋକସଭା ସମେତ ଜିଲ୍ଲାର ‌ବାଙ୍ଗିରିପୋଷି, ରାଇରଙ୍ଗପୁର ଏବଂ ସାରସକଣା ବିଧାନସଭା ଆସନକୁ ଜେଏମଏମକୁ ଛାଡ଼ିଛି କଂଗ୍ରେସ। ଏହା ସହିତ ମୟୂରଭଞ୍ଜର ମୋରଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ବିଧାନସଭା ଆସନରେ ଦୁଇ ଦଳ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଲଢ଼େଇ ହେବା ନେଇ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର