ଭାରତ ଗଢ଼ିବ ଇସ୍ପାତ କାରଖାନାର ବଡ଼ ମେସିନ୍‌

ଓଡ଼ିଶା ହେବ ଦେଶର ଇସ୍ପାତ ହବ୍‌, କୋଇଲାରୁ ଏବେ ବିକଳ୍ପ ଇନ୍ଧନ: ଧର୍ମେନ୍ଦ୍ର

0 98

ଅନୁଗୁଳ : ଇସ୍ପାତ କାରଖାନା ନିର୍ମାଣ କରିବା ବେଳେ ଯେଉଁ ସବୁ ବଡ଼ ବଡ଼ ମେସିନ୍‌, ଯନ୍ତ୍ରାଂଶ ଓ ଉପକରଣ ଦରକାର ହେଉଛି ତାହା ଏବେ ବାହାରୁ ଆମଦାନି କରାଯାଉଛି। ଏଥିପାଇଁ ବିପୁଳ ପରିମାଣର ବିଦେଶୀ ମୁଦ୍ରା ଖର୍ଚ କରିବାକୁ ପଡୁଛି। ଏହାକୁ ଦୃଷ୍ଟିରେ ରଖି, ଏହି ସବୁ ମେସିନ୍‌ଗୁଡ଼ିକୁ ଦେଶ ଭିତରେ ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଯେଉଁ ବିଦେଶୀ କଂପାନି ଏହି ମେସିନ୍‌ ଉତ୍ପାଦନ କରୁଛନ୍ତି ସେମାନଙ୍କୁ ଭାରତରେ କାରଖାନା ପ୍ରତିଷ୍ଠା କରିବା ପାଇଁ ଆମନ୍ତ୍ରଣ କରାଯିବ। ସେମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂହ କହିଛନ୍ତି।

ଅନୁଗୁଳଠାରେ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ଵାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌) କାରଖାନା ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି। ସେ କହିଲେ, ଜାତୀୟ ଇସ୍ପାତ ନୀତି ଅନୁଯାୟୀ ୨୦୩୦ ସୁଦ୍ଧା ଦେଶରେ ୩୦୦ ନିୟୁତ ଟନ୍‌ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧୦ ଲକ୍ଷ କୋଟି ଟଙ୍କା ନିବେଶ ହେବ। ସେଥିମଧ୍ୟରୁ ୪ ଲକ୍ଷ କୋଟି ଟଙ୍କା କେବଳ ମେସିନ୍‌ କିଣାକିଣି ବାବଦରେ ଖର୍ଚ କରିବାକୁ ପଡ଼ିବ। ଏବେ ଜର୍ମାନ ଓ ଅନ୍ୟାନ୍ୟ ଦେଶରୁ ଏହି ସବୁ ମେସିନ୍‌ ଆମଦାନି କରିବାକୁ ପଡୁଛି। ଯଦି ଦେଶ ଭିତରେ ଏସବୁ ମେସିନ୍‌ ଉତ୍ପାଦନ କରାଯାଇପାରିବ ତେବେ ଆମଦାନିରେ ଖର୍ଚ ହେଉଥିବା ବିପୁଳ ପରିମାଣର ବିଦେଶୀ ମୁଦ୍ରା ସଞ୍ଚୟ ହୋଇପାରିବ ବୋଲି ସେ କହିଛନ୍ତି।

ଆଗାମୀ ୧୨ ବର୍ଷ ଭିତରେ ଓଡ଼ିଶା ଦେଶର ଇସ୍ପାତ ହବ୍‌ ଭାବେ ଉଭା ହେବ ଓ ଏଠାରେ ଦେଶର ଏକ ତୃତୀୟାଂଶ (୩୦%) ଇସ୍ପାତ ଉତ୍ପାଦନ ହେବ ବୋଲି ସେ ଆକଳନ କରିଛନ୍ତି। ବର୍ତ୍ତମାନ ସାରା ଦେଶରେ ୧୩୪ ନିୟୁତ ଟନ୍‌ ଇସ୍ପାତ ଉତ୍ପାଦନ କରାଯାଉଛି। ଜାପାନ ଓ ଦକ୍ଷିଣ କୋରିଆ ଭଳି ଭାରତରେ ମଧ୍ୟ ଉଚ୍ଚ ମାନର ଇସ୍ପାତ ଉତ୍ପାଦନ କରାଯିବ। ଏଭଳି ଏକ ସମୟ ଆସିବ ଯେତେବେଳେ ବିଶ୍ୱର ୨୮% ଗାଡ଼ି ଭାରତରେ ନିର୍ମାଣ କରାଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ତିନି ବର୍ଷ ତଳେ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଭାରତର ସ୍ଥାନ ଚୀନ୍‌, ଆମେରିକା ଓ ଜାପାନ ତଳକୁ ଚାରି ନମ୍ବରରେ ଥିଲା। ଏବେ ଭାରତ ଦ୍ୱିତୀୟ ସ୍ଥାନରେ ପହଞ୍ଚିଯାଇଛି। ଇସ୍ପାତ ଆମଦାନି ମଧ୍ୟ ୪୦% କମିଯାଇଛି ବୋଲି ସେ କହିଛନ୍ତି। ଚାରି ବର୍ଷ ପୂର୍ବେ ମୁଣ୍ଡପିଛା ଇସ୍ପାତ ଉତ୍ପାଦନ ୫୮ କିଲୋଗ୍ରାମ ଥିଲା। ଏବେ ତାହା ୬୭ କେଜିରେ ପହଞ୍ଚିଯାଇଛି ବୋଲି ଶ୍ରୀ ସିଂହ କହିଛନ୍ତି। ଇସ୍ପାତ ଶିଳ୍ପରେ ୩୦ ଲକ୍ଷ ଲୋକ ନିଯୁକ୍ତ େହୋଇଛନ୍ତି। ବିଗତ ଚାରି ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ୫ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।

ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କୋଇଲାରୁ ସିଧା ବିଜୁଳି ପରିବର୍ତେ ବିକଳ୍ପ ଇନ୍ଧନ ପ୍ରସ୍ତୁତି ପାଇଁ ନୂଆ ପ୍ରଯୁକ୍ତିର ଯୁଗ ଆସିଛି। ଜିନ୍ଦଲ ପରେ ତାଳଚେର ସାର କାରଖାନାରେ ଗେଲ୍‌, କୋଲ୍‌ ଇଣ୍ଡିଆ ଓ ସେଲ୍‌ ପକ୍ଷରୁ ନୂତନ ପ୍ରଯୁକ୍ତି ବ୍ୟବହାର କରି ଗ୍ୟାସ୍‌ ଉତ୍ପାଦନ କରିବାର ପ୍ରକଳ୍ପ ନିର୍ମାଣ କରୁଛନ୍ତି ବୋଲି ସେ କହିଛନ୍ତି।

ଜିନ୍ଦଲ କଂପାନି ଦ୍ୱାରା ପ୍ରତିଷ୍ଠା କରାଯାଇଥିବା କ୍ଷୁଦ୍ର ବିମାନ ବନ୍ଦରକୁ ପ୍ରଧାନମନ୍ତ୍ରୀଙ୍କ ଉଡ଼ାନ ଯୋଜନାରେ ସଂଯୋଗ କରିବାକୁ ସେ ଜେଏସ୍‌ପିଏଲ୍‌ର ମୁଖ୍ୟ ନବୀନ ଜିନ୍ଦଲଙ୍କୁ ପ୍ରସ୍ତାବ ଦେଇଥିଲେ। ସେଥିରେ ନବୀନ ସମ୍ମତି ପ୍ରକାଶ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି। ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ଟାଟା, ଜିନ୍ଦଲ୍‌, ଏମ୍‌ସିଏଲ୍‌, ନାଲ୍‌କୋ ଓ ଏନ୍‌ଟିପିସି ଭଳି ଶିଳ୍ପ ସଂସ୍ଥା ଏହି ଅଞ୍ଚଳରୁ ଦ୍ରାରିଦ୍ର୍ୟ ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି।

ଆଜି ଜେଏସ୍‌ପିଏଲ୍‌ ଅନୁଗୁଳ କାରଖାନା ପରିସରରେ ନିର୍ମାଣ କରିଥିବା ଦେଶର ସର୍ବବୃହତ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌, ବାର୍ଷିକ ୩ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ବେସିକ୍‌ ଅକ୍ସିଜେନ୍‌ ଫର୍ଣ୍ଣାନ୍ସ (ବିଓଏଫ୍‌), ବିଶ୍ୱର ପ୍ରଥମ ଓ ସର୍ବବୃହତ ସିନ୍‌ଗ୍ୟାସ୍‌ ଭିତ୍ତିକ ଡିଆର୍‌ଆଇ ପ୍ଲାଣ୍ଟ୍‌ ( କ୍ଷମତା ୨ ନିୟୁତ ଟନ୍‌) ଓ କୋଲ୍‌ ଗ୍ୟାସିଫିକେସନ୍‌ ପ୍ଲାଣ୍ଟ୍‌କୁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂହ ଓ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

ଏହି ଅବସରରେ ଜେଏସ୍‌ପିଏଲ୍‌ର ମୁଖ୍ୟ ନବୀନ ଜିନ୍ଦଲ, ତାଙ୍କ ପତ୍ନୀ ସାଲୁ ଜିନ୍ଦଲ, ଓପି ଜିନ୍ଦଲ ଗ୍ରୁପ୍‌ର ଚେୟାରପର୍ସନ୍‌ ଏମେରିଟସ୍‌ ସାବିତ୍ରୀ ଜିନ୍ଦଲ୍‌ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.