ଜୁନିଅର୍‌ କିରାଣି ପରୀକ୍ଷାରେ ଚଞ୍ଚକତା : ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ

ବଲାଙ୍ଗୀର : ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ କନିଷ୍ଠ କିରାଣି ପାଇଁ ରାଜ୍ୟ ସ୍ତରରେ ନିଯୁକ୍ତି ବିଜ୍ଞାପନ ବାହାରିଥିଲା। ଲିଖିତ ପରୀକ୍ଷା ପରେ ମନୋନୀତ ପ୍ରାର୍ଥୀଙ୍କ ପାଇଁ ଅନ୍ୟାନ୍ୟ ପରୀକ୍ଷା ଗତ ମାର୍ଚ୍ଚ ୪ ତାରିଖ ରବିବାର ଦିନ ଜିଲ୍ଲାସ୍ତରରେ ଅନୁଷ୍ଠିତ ହୋଇଥିଲା। କମ୍ପ୍ୟୁଟର ପରୀକ୍ଷାରେ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା କରାଯାଇଥିବା ବେଳେ ସମାନ ପ୍ରକାରର ପ୍ରଶ୍ନ ରଖାଯାଇଥିବା ଅଭିଯୋଗ ହୋଇଥିଲା। ତେବେ, ଅଭିଯୋଗ ଉପରେ କୌଣସି ପଦକ୍ଷେପ ନିଆ ନଯାଇ ଗତ ୧୨ ତାରିଖରେ ଫଳ ପ୍ରକାଶ କରାଯାଇଛି। ଏହାକୁ ନେଇ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।

ପ୍ରକାଶଥାଉ କି, ଜିଲ୍ଲା କ୍ରମରେ କନିଷ୍ଠ କିରାଣି ନିଯୁକ୍ତି ପାଇଁ ଗତ ଜାନୁଆରି ୨୮ ତାରିଖରେ ଲିଖିତ ପରୀକ୍ଷା କରାଯାଇଥିଲା। ଫେବ୍ରୁଆରି ମାସ ୨୩ ତାରିଖରେ ଏହାର ଫଳ ପ୍ରକାଶିତ ହୋଇଥିଲା। କିନ୍ତୁ ନେଟ୍‌ରେ ତାହା ସେହି ମାସ ୨୫ ତାରିଖରେ ପ୍ରକାଶ ପାଇଥିଲା। ମାର୍ଚ୍ଚ ୪ ତାରିଖ ରବିବାର ଦିନ ସରକାରୀ ପଲିଟେକ୍‌ନିକ୍‌, ରାଜେନ୍ଦ୍ର କଲେଜ ସହ ଅନ୍ୟ କେତେକ କେନ୍ଦ୍ରରେ ପ୍ରବନ୍ଧ ଲିଖନ ସହ କମ୍ପ୍ୟୁଟର ଜ୍ଞାନ ପରୀକ୍ଷା କରାଯାଇଥିଲା। ସକାଳ ସାଢେ ୮ରୁ ୯ଟା ଯାଏ ସମସ୍ତଙ୍କ ପାଇଁ ପ୍ରବନ୍ଧ ଲିଖନ ପରୀକ୍ଷା ହେଇଥିଲା। ତେବେ କମ୍ପ୍ୟୁଟର ସଂପର୍କିତ ପରୀକ୍ଷା ୫ଟି ପର୍ଯ୍ୟାୟରେ କରାଯାଇଥିଲା। ପ୍ରଥମ ପରୀକ୍ଷା ସକାଳ ସାଢେ ୯ରୁ ସାଢେ ୧୦ଟା, ଦ୍ୱିତୀୟ ପରୀକ୍ଷା ୧୧ରୁ ୧୨ଟା, ତୃତୀୟ ପର୍ଯ୍ୟାୟ ପରୀକ୍ଷା ସାଢେ ୧୨ରୁ ଦେଢଟା ଥିଲା। ସେହିପରି ଚତୁର୍ଥ ପର୍ଯ୍ୟାୟରେ ପରୀକ୍ଷା ୨ରୁ ୩ ଓ ଶେଷ ପର୍ଯ୍ୟାୟ ୪ରୁ ୫ ଟା ଯାଏ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାରେ କମ୍ପ୍ୟୁଟର ନେଇ ଦିଆଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ପରୀକ୍ଷାର୍ଥୀମାନେ। ତେବେ ପ୍ରଥମ ପର୍ଯ୍ୟାୟ ପରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା କରାଗଲା। ପ୍ରଥମ ପର୍ଯ୍ୟାୟର ପ୍ରଶ୍ନ କିଭଳି ଥିଲା ତାହା ଜାଣିବାକୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାର୍ଥୀଙ୍କ ବ୍ୟଗ୍ରତା ରହିବା ସ୍ୱାଭାବିକ। ସେହିକ୍ରମରେ ପ୍ରଥମ ପର୍ଯ୍ୟାର ପରୀକ୍ଷାର୍ଥୀ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ସଂପର୍କରେ ସୂଚନା ଦେଇଥିଲେ। କିନ୍ତୁ ପ୍ରଥମ ପର୍ଯ୍ୟାୟର ପ୍ରଶ୍ନପତ୍ର ସହ ଦ୍ୱିତୀୟ ପର୍ଯ୍ୟାୟ କମ୍ପ୍ୟୁଟର ପରୀକ୍ଷା ପ୍ରଶ୍ନପତ୍ର ଅବିକଳ ରହିଥିବା ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଦେଇ ଫେରିଥିବା ପରୀକ୍ଷାର୍ଥୀମାନେ କହିଥିଲେ। ଏ ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ। ଅବ୍ୟବସ୍ଥା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ ମଧ୍ୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଲେନାହି। ଗତ ୧୨ ତାରିଖରେ ଫଳ ପ୍ରକାଶ କରାଯାଇଛି। ଯାହାକି ୧୩ ତାରିଖରେ ନେଟ୍‌ରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର