ଓଡ଼ିଶା ହାଇକୋର୍ଟକୁ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କ ବଦଳି

ସୁପ୍ରିମକୋର୍ଟ କଲେଜିୟମର ସୁପାରିସ

କଟକ : ଓଡ଼ିଶା ହାଇକୋର୍ଟକୁ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛି। ବର୍ତ୍ତମାନ ଝାଡ଼ଖଣ୍ଡ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ ପଟ୍ଟନାୟକ ୨୦୧୪, ସେପ୍ଟେମ୍ବର ୨୪ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ପରେ ତାଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟକୁ ବଦଳି କରାଯାଇଥିଲା। ୨୦୧୪, ଡିସେମ୍ବର ୨୨ରେ ଜଷ୍ଟିସ ପଟ୍ଟନାୟକ ଝାଡ଼ଖଣ୍ଡ ହାଇକୋର୍ଟର ବିଚାରପତି ଭା‌େବ ଶପଥ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ, ଜଷ୍ଟିସ ଏ.କେ.ସିକ୍ରି, ଜଷ୍ଟିସ ଏସ୍.ଏ.ବୋବ୍‌ଡେ, ଜଷ୍ଟିସ ଏନ.ଭି.ରମଣା ଓ ଜଷ୍ଟିସ ଅରୁଣ ମିଶ୍ରଙ୍କୁ ନେଇ ଗଠିତ କଲେଜିୟମ ଓଡ଼ିଶା ହାଇକୋର୍ଟକୁ ଜଷ୍ଟିସ ପଟ୍ଟନାୟକଙ୍କ ବଦଳି ପାଇଁ ସୁପାରିଶ କରିଛି।

୧୯୫୯, ଜୁନ୍ ୧୪ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ପ୍ରମଥ ପଟ୍ଟନାୟକ ବିଜେବି କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ। ୧୯୮୧ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପାସ କରିବା ପରେ ଭୁବନେଶ୍ବରସ୍ଥିତ ୟୁନିଭରସିଟି ଲ’ କଲେଜରୁ ଆଇନ ଡିଗ୍ରି ହାସଲ କରିଥିଲେ। ସେ ୧୯୮୬ରେ ଆଇନଜୀବୀ ଭାବେ ହାଇକୋର୍ଟରେ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ସ୍ୟାଟ୍‌ରେ ଷ୍ଟାଣ୍ଡିଂ କାଉନସିଲ, ଗଭର୍ଣ୍ଣମେଣ୍ଟ ଆଡଭୋକେଟ୍ ଭାବେ ନିଯୁକ୍ତି ପାଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ। ହାଇକୋର୍ଟରେ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ଓ ଅତିରିକ୍ତି ସରକାରୀ ଓକିଲ ଭାବେ ସେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର