ଏମ୍‌କେସିଜିରୁ ଡିସଚାର୍ଜ ହେଲା କାହ୍ନା

ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଥିବା ଲୋମଶ ବାଳକ କାହ୍ନାକୁ ଆଜି ଡିସଚାର୍ଜ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ପରେ ତାକୁ ଆଇସିୟୁରେ ରଖା ଯାଇଥିଲା। ତା’ପରେ ଗତ ୨୩ ତାରିଖରୁ ତାକୁ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗକୁ ଅଣା ଯାଇଥିଲା। ସେଠାରେ ପ୍ରାୟ ୨ସପ୍ତାହ ରହିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଜି କାହ୍ନା ମେଡିକାଲରୁ ଘରକୁ ଫେରିଛି। ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ କାହ୍ନା ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା.ଚରଣ ପଣ୍ଡା ସୂଚନା ଦେଇଛନ୍ତି। ୩ ମାସ ପରେ ବିଭାଗୀୟ ଡାକ୍ତରଙ୍କ ପରାମର୍ଶ ଓ ପରିବାର ବର୍ଗଙ୍କ ସହମତି କ୍ରମେ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର କରାଯିବ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବାଘୁଆ ଗାଁର ରାମଚନ୍ଦ୍ର ନାଇକ ଓ ମମତାଙ୍କ ୬ ବର୍ଷର ପୁଅ କାହ୍ନାର ମୁହଁରେ ଯେଉଁ ଲୋମଶ ଅଂଶ ଥିଲା ତାହା ଆଉ ନାହିଁ। କେବଳ କଳା ଚିହ୍ନ ରହିଛି ବୋଲି ପ୍ରଫେସର ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର