କନ୍ଧମାଳ ଫେରିବାକୁ ପ୍ରବାସୀ ବ୍ୟାକୁଳ: ବସଭଡା କରି ଆସିବାକୁ ପାଖରେ ଟଙ୍କା ନାହିଁ, ସରକାର ଓ ପ୍ରଶାସନକୁ ସହାୟତା ମାଗିଲେ ଶ୍ରମିକ 

ଫୁଲବାଣୀ: ଆସନ୍ତା ମେ ୩ରେ କରୋନା ଲକ୍ ଡାଉନ ଉଠିବ। ଏଥି ନିମନ୍ତେ ବାହାର ଫସି ରହିଥିବା ପ୍ରବାସୀ ଓଡିଆ ରାଜ୍ୟକୁ ଆସିବାକୁ ଗୋଡ କାଢି ବସିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସୁରତରୁ ଗଞ୍ଜାମ ଜିଲ୍ଲାକୁ ୨୦୦ରୁ ଉର୍ଦ୍ଧ୍ବ ଶ୍ରମିକ ନିଜ ଖର୍ଚ୍ଚରେ ବସ ଭଡା କରି ପହଞ୍ଚି ସାରିଲେଣି। ଆହୁରି ବି ବସ ଯୋଗେ ଆସୁଛନ୍ତି।

କନ୍ଧମାଳ ଜିଲ୍ଲାକୁ ବାହାରେ ରହୁଥିବା ଶ୍ରମିକମାନେ ଆସିବାକୁ ବ୍ୟାକୁଳ ହେଲେଣି। ଜିଲ୍ଲାକୁ ସମୁଦାୟ ୧୬ହଜାର ୮୮୨ ଜଣ ଫେରିବାର ରହିଛି। ବିଶେଷତଃ ତାଲିମନାଡୁ,ଗୁଜୁରାଟ,କେରଳ,ଓ ପଞ୍ଚିମବଙ୍ଗରୁ ଏମାନେ ସବୁ ଆସିବାର ଅଛି। ଏଥି ନିମନ୍ତେ ୫ ଦିନ ହେଲା ନାମ ପଞ୍ଜିକରଣ ଚାଲିଛି। ଆଜି ସୁଦ୍ଧା ୧୦ହଜାରରୁ ଉର୍ଦ୍ଧ୍ବ ଜଣ ନାମ ପଞ୍ଜୀକରଣ କରି ସାରିଲେଣି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ହେଲେ ଆସିବାର ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ।

କହିବାକୁ ଗଲେ ନିଜ ଖର୍ଚ୍ଚରେ ସେମାନେ ଆସିବାକୁ ପଡିବ। ହେଲେ ଟ୍ରେନ ଚଳାଚଳ କରୁ ନଥିବାରୁ ବସ ଭଡା କରିବାକୁ ହେବ। ଏଥି ନିମନ୍ତେ ଶ୍ରମିକଙ୍କ ପାଖରେ ଟଙ୍କା ନାହିଁ। କାମ କରି ଯାହା ସଂଞ୍ଚିତ ଟଙ୍କା ଥିଲା ତାହା କରୋନା ଲକ୍ ଡାଉନ ସମୟରେ ଦେଢ ମାସ ମଧ୍ୟରେ ସରିଗଲା। ଏବେ ପାଖରେ ଟଙ୍କା ନାହିଁ ଖାଇବା ପାଇଁ। ଯଦିଓ ସେଠାକାର ସରକାର ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦେଉଛନ୍ତି। ଏହା ଯଥେଷ୍ଟ ହୋଇ ନଥିବାରୁ ବାହାରୁ କିଣିବାକୁ ପଡିଛି। ଏଥି ଯୋଗୁଁ ଯାହା ଟଙ୍କା ଥିଲା ସରି ଗଲାଣି ବୋଲି କହନ୍ତି କେରଳରେ ଫସିଥିବା ଦାରିଙ୍ଗବାଡି ଅଞ୍ଚଳର ଜଣେ ଶ୍ରମିକ ସାନ୍ତନୁ ସିଂ ଓ ବିଜୟ ମଲ୍ଲିକ। କାମ କରୁଥିବା କଂପାନୀ ବନ୍ଦ। କଂପାନୀ ଚାଲିବା ନେଇ ଅନିଶ୍ଚିତତା ଲାଗି ରହିଛି। ତାପରେ କରୋନା ରୋଗର ଭୟ ବି ରହିଛି।

ଓଡିଶା ସରକାର କରୋନା ମୁକାବିଲା କରି ନିମନ୍ତେ ବହୁତ ପଦକ୍ଷେପ ନେଉଛନ୍ତି। ତେଣୁ ନିଜର ସୁରକ୍ଷା ସହ ଗାଁରେ ଯାହା କାମ ମିଳିବ ତାହା କରି ପରିବାର ଚଳାଇବୁ। ତେଣୁ ଗାଁକୁ ଫେରିବା ସବୁଠାରୁ ନିରାପଦ। ହେଲେ ପାଖରେ ଟଙ୍କାଟିଏ ନଥିବାରୁ କିଭଳି ବଓ ଭଡା କରି କନ୍ଧମାଳ ଫେରିବୁ ବୋଲି କହିଛନ୍ତି ଭୀଷ୍ମ ଦଣ୍ଡସେନା ଓ ବିଜୟ ନାୟକ। ତେଣୁ ରାଜ୍ୟ ସରକାର ହୁଅନ୍ତୁ କି କନ୍ଧମାଳ ଜିଲ୍ଲା ପ୍ରଶାସନ। ଯିବା ପାଇଁ ସବୁ ପ୍ରକାର ସହାୟତା କରିବାକୁ ନିବେଦନ କରିଛନ୍ତି କେରଳରେ ଫସିଥିବା ଦାରିଙ୍ଗବାଡି ଅଞ୍ଚଳର ୬୩ ଜଣ ଶ୍ରମିକ। ଯଦି ଫେରିବା ପାଇଁ ବସର ସୁବିଧା ନ ହୁଏ ତାହା ହେଲେ ଯିବା ଅସମ୍ଭବ।

ଆବଶ୍ୟକ ପଡିଲେ ଚାଲିଚାଲି କନ୍ଧମାଳକୁ ଫେରିବୁ ବୋଲି କହିଛନ୍ତି ତାମିଲନାଡୁରୁ ଫେରିବାକୁ ଥିବା ରାଇକିଆ ଅଞ୍ଚଳର ଶ୍ରମିକ ବିପଦ ବେହେରା ଓ ରାଇମୋହନ ଦିଗାଲ। ଫେରାଇ ଆଣିବାକୁ ସରକାରଙ୍କ ପଦକ୍ଷେପ ଭଲ। ହେଲେ ଶ୍ରମିକ ପାଖରେ ଟଙ୍କା ନଥିବାରୁ ନିଜ ଖର୍ଚ୍ଚରେ ବସ ଭଡା କରି ଆସିବା ଅସମ୍ଭବ। ତେଣୁ ରାଜ୍ୟ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ଓ ବ୍ୟବସ୍ଥା ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ବସ ଭଡା ବହନ କରନ୍ତୁ ସରକାର:ଆଇଏନଟିୟୁସି

ବାହାର ରାଜ୍ୟରେ କନ୍ଧମାଳର ହଜାରହଜାର ଶ୍ରମିକ ଫସି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଏହା ନିଶ୍ଚିତ ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ଶ୍ରମିକଙ୍କ ପାଖରେ ଖାଇବାକୁ ଟଙ୍କା ନାହିଁ। ଏଭଳି ସମୟରେ ସେମାନେ କିଭଳି ନିଜ ଖର୍ଚ୍ଚରେ ବସ ଭଡା କରି ଗାଁକୁ ଫେରିବେ। ଏ ନେଇ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ବସ ପଠାନ୍ତୁ ନ ହେଲେ ଆସିବାକୁ ଥିବା ବସର ଭଡା ବହନ କରନ୍ତୁ ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜିଲ୍ଲା ସଭାପତି ଘନ କୁମାର ଶବର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର