କଣ୍ଟିଲୋରେ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା : ଫେରାର ଛାତ୍ରଙ୍କୁ ଖୋଜୁଛି ପୁଲିସ୍‌ର ୪ ଟିମ୍‌

ନୟାଗଡ଼/କଣ୍ଟିଲୋ : କଣ୍ଟିଲୋର ଏକ ମହାବିଦ୍ୟାଳୟର ନାବାଳିକା ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌ ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଥାନାରେ ମାମଲା ରୁଜୁର ତୃତୀୟ ଦିନରେ ବି ପୁଲିସକୁ କୌଣସି ସଫଳତା ମିଳିନି। ତୃତୀୟ ଦିନରେ ବି ସଂପୃକ୍ତ ଛାତ୍ର ଓ ତାଙ୍କ ପରିବାରର କୌଣସି ଖୋଜ୍‌ଖବର ପାଇନି ପୁଲିସ। ପୁଲିସ୍‌ର ଚାରିଟି ଟିମ୍‌ ଏ ନେଇ ଜିଲ୍ଲା ତଥା ଜିଲ୍ଲା ବାହାରେ ଖୋଜୁଛି। ସେପଟେ ଭିଡିଓ ରେକର୍ଡିଂ ସ୍ଥାନରେ ଯେଉଁ ତୃତୀୟ ବ୍ୟକ୍ତି ଥିବା ସନ୍ଦେହ କରାଯାଉଛି, ପୁଲିସ ସେ ସଂପର୍କରେ ବି କୌଣସି ସୂଚନା ପାଇନି। ପୁଲିସକୁ ପଚାରିବାରେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ବି ମିଳୁନି।

କଣ୍ଟିଲୋର ଏହି ମହାବିଦ୍ୟାଳୟର ଜନୈକ ଛାତ୍ରଙ୍କ ସହ ନାବାଳିକା ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌ ହେବା ପରେ ଗତ ୮ ତାରିଖରେ ଛାତ୍ରୀଙ୍କ ପରିବାର ଲୋକେ ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସଂପୃକ୍ତ ଛାତ୍ରଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ପୁଲିସ ଅଭିଯୋଗ ଭିତ୍ତିରେ ୩୭୬ ଆଇପିସି ସହ ପୋକ୍ସୋ ଆକ୍ଟ ଓ ଆଇଟି ଆକ୍ଟ ୬୭(ବି)ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୁଲିସ କହିବା ମୁତାବକ, ଗତକାଲି କିଛି ପୁଲିସ ଅଧିକାରୀ ଛାତ୍ରଙ୍କ ସିଧାମୁଳସ୍ଥିତ ଘରକୁ ଯାଇଥିଲେ। କିନ୍ତୁ ସେଠାରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଛାତ୍ରଙ୍କ ସହ ତାଙ୍କ ପରିବାର ଲୋକେ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ସଂପୃକ୍ତ ଛାତ୍ରର ମୋବାଇଲ୍‌ ବି ଟ୍ରାକିଂ କରାଯାଉଛି ଓ ଖୁବ୍‌ଶୀଘ୍ର ତାକୁ ଧରାଯିବ ବୋଲି ପୁଲିସ କହିଛି। ଗତକାଲି ପୁଲିସ ଛାତ୍ରୀ ଓ ତାଙ୍କ ପରିବାର ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ଡାକ୍ତରୀମାଇନା କରିଥିଲା। ୧୬୪ରେ କୋର୍ଟରେ ବୟାନ ରେକର୍ଡ କରାଯାଇଥିଲା।

ଏସ୍‌ପିଙ୍କୁ ଭେଟିଲେ ଛାତ୍ର ସଂଗଠନ

ନୟାଗଡ଼ : ଭିଡିଓ ଭାଇରାଲ୍‌ ଘଟଣାରେ ନୟାଗଡ଼ ଜିଲ୍ଲା ଛାତ୍ର ସଂଗଠନ ଏସ୍‌ପିଙ୍କୁ ଭେଟିଛି। ଏପରି ଘଟଣା ଅନ୍ୟ ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକାଉଥିବା ଓ ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣରେ ଅନ୍ତରାଳ ସୃଷ୍ଟି କରୁଥିବାରୁ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସଂଗଠନ ଦାବି କରିଛି। ଯେଉଁ ଛାତ୍ର ଏହି ଘଟଣାରେ ସଂପୃକ୍ତ ରହିଛି ଓ ଯେଉଁମାନେ ଏଭଳି ଭିଡିଓକୁ ଭାଇରାଲ କରିବାରେ ସଂପୃକ୍ତ ରହିଛନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ସଂଗଠନ ଦାବି କରିଛି। ଆସନ୍ତା ସୋମବାର ସଂଗଠନ ଏ ନେଇ ଜିଲ୍ଲାପାଳଙ୍କୁ ଭେଟିବ ବୋଲି କହିଛି।

ସମ୍ବନ୍ଧିତ ଖବର