ଛାତ୍ରୀଙ୍କ ସୁରକ୍ଷା ଚିନ୍ତା : କେଜିବିଭିରୁ ହଟିବେ ପୁରୁଷ କର୍ମଚାରୀ

ତିନି ବର୍ଷ ତଳର ନିର୍ଦେଶ ପାଳନ ହୋଇନି, ଦୁଇଟି ସିସି କ୍ୟାମେରା ଲଗାଇବାକୁ ନିର୍ଦେଶ

ଭୁବନେଶ୍ବର : ଗତ ଏକ ମାସ ହେଲା ପ୍ରତି ୭ରୁ ୮ ଦିନ ବ୍ୟବଧାନରେ କୌଣସି ନା କୌଣସି ଜିଲ୍ଲାରେ ନାବାଳିକା(ଛାତ୍ରୀ) ଗର୍ଭବତୀ ହେବା ନେଇ ଖବର ଆସୁଛି। ସବୁଠି ଏଭଳି ସମସ୍ୟା ଲାଗି ରହିଥିବାରୁ କସ୍ତୁରୁବା ଗାନ୍ଧୀ ବାଳିକା ବିଦ୍ୟାଳୟ(କେଜିବିଭି)ରେ ସୁରକ୍ଷା ବଢ଼ାଇବା ଉପରେ ଗୁରୁତ୍ବ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ବିଭାଗ ଅଧୀନ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓପେପା) ପକ୍ଷରୁ ରାଜ୍ୟର ୧୦ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଏନେଇ ନିର୍ଦେଶାନାମା ଜାରି ହୋଇଛି। ପ୍ରତି କେଜିବିଭିରେ ଦୁଇଟି ସିସିଟିଭି କ୍ୟାମେରା ଲଗାଇବା ସହ ପୁରୁଷ କର୍ମଚାରୀଙ୍କୁ ହଟାଇବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।

ବଡ଼ କଥା ହେଉଛି, କେଜିବିଭିରେ ଦୁଇଟି ସିସି କ୍ୟାମେରା ଲଗାଇବାକୁ ୨୦୧୬ ଅକ୍ଟୋବର ୨୨ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ କୁହାଯାଇଥିଲା। ବିଦ୍ୟାଳୟର ପ୍ରବେଶ ପଥ ଓ ଡାଇନିଂ ହଲ୍‌ରେ କ୍ୟାମେରା ଲଗାଇବାକୁ ନିର୍ଦେଶ ଥିଲା। ପରବର୍ତୀ ସମୟରେ ଆଉ ଏକ ନିର୍ଦେଶନାମା ଜାରି କରାଯାଇ ବିଦ୍ୟାଳୟରେ ନିଯୁକ୍ତ ହୋଇଥିବା ସମସ୍ତ ପୁରୁଷ କର୍ମଚାରୀଙ୍କୁ ହଟାଇବା(କେବଳ ରାତ୍ରି ଜଗୁଆଳକୁ ଛାଡ଼ି)କୁ ବି କୁହାଯାଇଥିଲା। ତିନି ବର୍ଷ ପରେ ଏବେ କିନ୍ତୁ ଦେଖିବାକୁ ମିଳିଛି ‌ଯେ ଅଧିକାଂଶ କେଜିବିଭିରେ ଲାଗିଥିବା ସିସି କ୍ୟାମେରା କାର୍ଯ୍ୟ କରୁନାହିଁ। କେତେକ କେଜିବିଭିରେ ଏପର୍ଯ୍ୟନ୍ତ ସିସି କ୍ୟାମେରା ଲାଗି ପାରିନାହିଁ। ଏଥିସହ ଦୃଷ୍ଟିକୁ ଆସିଛି ଯେ କେତେକ କେଜିବିଭିରେ ଏବେ ବି ପୁରୁଷ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଯେଉଁଥିପାଇଁ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୧୬ରୁ ନିର୍ଦେଶ ଦିଆଯାଇଥିବା ବେଳେ ଏପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇ ନଥିବାରୁ ଓପେପା ପ୍ରକଳ୍ପ ସଂଯୋଜକ ଭୂପେନ୍ଦ୍ର ସିଂ ପୁନିଆ ଅସନ୍ତୋଷ ପ୍ରକାଶ କରିବା ସହ ବା‌ଲେଶ୍ବର, ବରଗଡ଼, ବୌଦ୍ଧ, ବଲାଙ୍ଗୀର, ଦେବଗଡ଼, ଯାଜପୁର, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ଲେଖି ସିସି କ୍ୟାମେରା ଲଗାଇବା ଓ ଚାଲୁ କରିବା ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି। ଏହାବ୍ୟତୀତ ସମସ୍ତ କେଜିବିଭିରୁ ପୁରୁଷ କର୍ମଚାରୀଙ୍କୁ ତୁରନ୍ତ ହଟାଇବାକୁ ନିର୍ଦେଶ ଦେଇଛନ୍ତି। ଯଦି କୌଣସି କୋର୍ଟ ନିର୍ଦେଶ ଥିବ, ତେବେ ଉପନିର୍ଦେଶକ(ବାଳିକା ଶିକ୍ଷା)ଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ସେ କହିଛନ୍ତି।

ସମ୍ବନ୍ଧିତ ଖବର