କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲା : ତଦନ୍ତ ସାରି ଫେରିଲେ ଏସ୍‌ଆଇଟି ସଦସ୍ୟ

କୋରାପୁଟ : କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଦୁଇ ଦିନ ମାରାଥନ ତଦନ୍ତ କରିବା ପରେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ୍‌ (ଏସଆଇଟି)ର ଦୁଇ ସଦସ୍ୟ ଫେରି ଯାଇଛନ୍ତି। ଏହି ମାମଲାରେ ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ସହ ମାମଲା ସହ ଜଡ଼ିତ ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ଏହାପରେ ଦକ୍ଷିଣାଞ୍ଚଳ ରେଂଜ ଡିଆଇଜି ସତ୍ୟବ୍ରତ ଭୋଇ ଓ ପଶ୍ଚିମାଞ୍ଚଳ ରେଂଜ ଡିଆଇଜି ହିମାଂଶୁ ଲାଲ ଫେରି ଯାଇଛନ୍ତି। ତେବେ ଘଟଣାର ତଦନ୍ତ ଶେଷ ହୋଇ ନାହିଁ। କିଛି ତଥ୍ୟ ସଂଗ୍ରହ କରିବା ପରେ ଖୁବଶୀଘ୍ର ତଦନ୍ତ ରିପୋର୍ଟ ଦାଖଲ କରାଯିବ ବୋଲି ସୂଚନା ମିଳିଛି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ନିକଟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ୨୦୧୭ ଅକ୍ଟୋବର ୧୦ ତାରିଖରେ ଯବାନ ପୋଷାକ ପିନ୍ଧିଥିବା ୪ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥି‌ଲେ। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ (ଏସଆଇଟି) ମାମଲାର ତଦନ୍ତ କରୁଛି। ପଶ୍ଚିମାଞ୍ଚଳ ରେଂଜ ଡିଆଇଜି ହିମାଂଶୁ ଲାଲ, ଦକ୍ଷିଣାଞ୍ଚଳ ରେଂଜ ଡିଆଇଜି ସତ୍ୟବ୍ରତ ଭୋଇ ଓ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଂଜ ଡିଆଇଜି ସେଫିନ ଅହମ୍ମଦ କେ. ଏହି ମାମଲରେ ଗତ ସୋମବାରଠାରୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ପୀଡ଼ିତା ଛାତ୍ରୀଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲେ। ପରେ ବିଭିନ୍ନ ପର୍ଯ୍ୟାୟରେ ଏହି ମାମଲା ସହ ଜଡ଼ିତ ଅଧିକାରୀ, କର୍ମଚାରୀ ଓ ସାଧାରଣ ଲୋକଙ୍କୁ ପଚରାଉଚୁରା କରି ତଥ୍ୟ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର