କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା : କୋଲକାତାରୁ ଆସିଲା ପରୀକ୍ଷା ରିପୋର୍ଟ!

କଟକ : କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଅନ୍ତଃବସ୍ତ୍ର କୋଲକାତାସ୍ଥିତ କେନ୍ଦ୍ରୀୟ ଫୋରେନ୍‌ସିକ ସାଇନ୍ସ ଲାବ୍ରୋଟୋରୀ (ସିଏଫ୍‌ଏସ୍‌ଏଲ୍‌)ରୁ ପରୀକ୍ଷା ହୋଇ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚକୁ ରିପୋର୍ଟ ଆସିଛି। ତେବେ ରିପୋର୍ଟରେ ସିମେନ ନମୁନା ରହିଛି କି ନା, ସେ ନେଇ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ । ଅଧିକାରୀମାନେ ଏ ନେଇ ମୁହଁ ଖୋଲୁନାହାନ୍ତି। ସୂଚନାଯୋଗ୍ୟ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ରାଜ୍ୟ ଫୋରେନ୍‌ସିକ ସାଇନ୍ସ ଲାବ୍ରୋଟୋରୀକୁ ଏହି ଅନ୍ତଃବସ୍ତ୍ର ପରୀକ୍ଷା ପାଇଁ ଆସିଥିଲା। ମାତ୍ର ଏହାର ରିପୋର୍ଟ ନେଇ ବିଭିନ୍ନ ମହଲରେ ଦ୍ୱନ୍ଦ୍ୱ ସୃଷ୍ଟି ହେବାରୁ ନମୁନା କୋଲକାତା ପଠାଯାଇଥିଲା।

ସୂଚନାଯୋଗ୍ୟ ଯେ କୋରାପୁଟ କୁନ୍ଦୁଲିର ନବମ ଶ୍ରେଣୀ ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ଶୀକାର ହେବା ପରେ ନ୍ୟାୟ ନପାଇବାରୁ ଜାନୁଆରି ୨୨ ତାରିଖରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପଟ୍ଟାଙ୍ଗୀ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କ୍ରାଇମ୍‌ବ୍ରାଞ୍ଚ ଗତ ୨୭ ତାରିଖରେ ଆତ୍ମହତ୍ୟା ଘଟଣାରେ ଏକ ମାମଲା ରୁୁଜୁ କରି ତଦନ୍ତ ଚଳାଇଥିଲା। ତେବେ ଓଡ଼ିଶା ଷ୍ଟେଟ୍‌ ଫୋରେନ୍‌ସିକ ସାଇନ୍ସ ଲାବ୍ରୋଟୋରି (ଏସ୍‌ଏଫ୍‌ଏସ୍‌ଏଲ୍‌) ରିପୋର୍ଟରେ ଦୁଇଟି ସିମେନ୍‌ ନମୁନା (ଏ ଓ ବି) ମିଳିିଥିବା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୁଲିସର ଭୂମିକାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ସତ୍ୟତା ନଥିବା ଏସ୍‌ଏଫ୍‌ଏସ୍‌ଏଲ୍‌ ନିର୍ଦ୍ଦେଶକ ପିସି ମଣ୍ଡଳ ସଫେଇ ଦେଇଥିଲେ ।

ପୀଡ଼ିତାଙ୍କ ଅନ୍ତଃବସ୍ତ୍ର କୋଲକତା ସିଏଫ୍‌ଏସ୍‌ଏଲ୍‌ରେ ପୁନଃ ପରୀକ୍ଷା ପାଇଁ ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମା ୨୭ ତାରିଖରେ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଆଧାରରେ ଆତ୍ମହତ୍ୟା ଏବଂ ଗଣଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ରାଜ୍ୟ କ୍ରାଇମ୍‌ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ କୋରାପୁଟ ଜୟପୁରର ଏସ୍‌ଡିଜେଏମ୍‌ଙ୍କ କୋର୍ଟ ଅନୁମତି ଲୋଡ଼ି ଅନ୍ତଃବସ୍ତ୍ର କୋଲକତାସ୍ଥିତ ସିଏଫ୍‌ଏସ୍‌ଏଲ୍‌କୁ ପଠାଇବାକୁ ଆବେଦନ କରିଥିଲେ । କୋର୍ଟ ଅନୁମତି ପ୍ରଦାନ କରିବା ପରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ୩୦ ତାରିଖରେ ସିଏଫ୍‌ଏସ୍‌ଏଲ୍‌କୁ ପଠାଇ ଦିଆଯାଇଥିଲା। ଏହି ରିପୋର୍ଟକୁ ସେଠାରେ ବିଶେଷଜ୍ଞ ଟିମ୍‌ ଯାଞ୍ଚ କରିବା ପରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚକୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର