ବଢୁଛି ମାମଲା, ମୁକୁଳି ପାରୁନାହାନ୍ତି ବନ୍ଦୀ
୨୪ ପର୍ଯ୍ୟନ୍ତ ଜାରି ରହିବ ଆଇନଜୀବୀ ଆନ୍ଦୋଳନ, ଆକ୍ସନ କମିଟି ଗଠିତ; ଆଗକୁ ଦୁର୍ଗାପୂଜା ଛୁଟି ଚିନ୍ତା
କଟକ : ୨୦୧୮, ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀ ଆନ୍ଦୋଳନ ରାଜ୍ୟବ୍ୟାପୀ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ଜାରି ରଖିବାକୁ ଆଜି ନିଷ୍ପତ୍ତି ନିଆଯାଇଛି। ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଏପରି ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଆନ୍ଦୋଳନକୁ ଅଧିକ ବ୍ୟାପକ କରିବା ପାଇଁ ଆଜି ବିଭିନ୍ନ ବାର୍ ଆସୋସିଏସନର ସଭାପତି, ସଂପାଦକ ଓ କାର୍ଯ୍ୟନିର୍ବାହୀଙ୍କ ସହିତ ଶହେ ଜଣ ଆଇନଜୀବୀଙ୍କୁ ନେଇ ଏକ ଆକ୍ସନ କମିଟି ଗଠନ କରାଯାଇଛି। ଆଜି ଦିନ ୧୧ଟା ବେଳେ ହାଇକୋର୍ଟ ବାର୍ ଆସୋସିଏସନ୍ ହଲରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାର ସଦସ୍ୟମାନେ ତୀବ୍ର ନିନ୍ଦା କରିଥିଲେ। ଏଥି ସହିତ ତଦନ୍ତ ପ୍ରକ୍ରିୟାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ପରେ ମଧ୍ୟ ଏହି ପ୍ରସଂଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ଗିରଫଦାରୀ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ପୂର୍ବ ନିଷ୍ପତ୍ତି ଅନୁସାରେ କାର୍ଯ୍ୟବନ୍ଦ ଆନ୍ଦୋଳନ ବେଳେ କୌଣସି ମହକିଲଙ୍କୁ ଅଦାଲତରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ମାମଲା ପରିଚାଳନା କରିବାକୁ ଦିଆଯିବ ନାହିଁ। ଏଥି ସହିତ କୌଣସି ନୂଆ ମାମଲା ଦାୟର କରାଯିବ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେମାବାର ଦିନ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ। ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଶ୍ରୀକାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ବଂଶୀଧର ଶତପଥୀ, ସଂପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମସଂପାଦକ ରଂଜନ ନାୟକ, ସହକାରୀ ସଂପାଦକ ପ୍ରଦୀପ ମହାନ୍ତି, ପାଠାଗାର ସହକାରୀ ସଂପାଦକ ସୁରେଶ ଜେନା, ସମସ୍ତ କାର୍ଯ୍ୟନିର୍ବାହୀ ସଦସ୍ୟ, କଟକ ବାର୍ ସଭାପତି ଉମାକାନ୍ତ ନନ୍ଦ, ସଂପାଦକ ନରେଶ ଚନ୍ଦ୍ର ଜେନା, କ୍ରିମିନାଲ କୋର୍ଟସ୍ ବାର୍ ଆସୋସିଏସନ୍ ସଭାପତି ଅକ୍ଷୟ କୁମାର ପତି, ଉପସଭାପତି ଟଙ୍କଧର ମିଶ୍ର, ସଂପାଦକ ପ୍ରଦୀପ ପରିଡାଙ୍କ ସହିତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଇନଜୀବୀଙ୍କ କୋର୍ଟ ବର୍ଜନ ଆନ୍ଦାଳନ ଯୋଗୁ ୨୩ ଦିନ ହେବ ହାଇକୋର୍ଟ ସମେତ ସମସ୍ତ ଅଦାଲତରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଏହାର ପ୍ରଭାବ କେନ୍ଦ୍ରାଞ୍ଚଳ ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ, ସଦର ତହସିଲ, ଟ୍ରେଜେରି, ଅବକାରୀ ଅଧୀକ୍ଷକ, ଆରଟିଓ, ବୋର୍ଡ ଅଫ୍ ରେଭିନ୍ୟୁ, ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉପରେ ପଡିଛି। ଆଇନଜୀବୀଙ୍କ ଆନ୍ଦୋଳନ ସେପ୍ଟେମ୍ବର ୨୪କୁ ୨୭ ଦିନରେ ପହଞ୍ଚିବାକୁ ଥିବା ବେଳେ ବିଚାରାଧୀନ ମାମଲା ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି। ହାଇକୋର୍ଟ େଓ୍ଵବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ସେପ୍ଟେମ୍ବର ୧୯ ତାରିଖ ସୁଦ୍ଧା ହାଇକୋର୍ଟରେ ୧ ଲକ୍ଷ ୭୧ ହଜାର ୮୦୪ଟି ମାମଲା ବିଚରାଧୀନ ରହିଛି। ସେହିଭଳି ଗିରଫ ହୋଇ ଜେଲରେ ଥିବା ବନ୍ଦୀଙ୍କ ଜାମିନ ଆବେଦନ ଶୁଣାଣି ହୋଇ ପାରୁ ନାହିଁ। ଫଳରେ ଜେଲରେ ବିଚାରାଧୀନ ବନ୍ଦୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଅଦାଲତରେ ଅକ୍ଟୋବର ୧୩ରୁ ଦୁର୍ଗାପୂଜା ଅବକାଶ ଆରମ୍ଭ ହୋଇ ଅକ୍ଟୋବର ୨୪ରେ ସରିବ। ଦୁର୍ଗାପୂଜା ପୂର୍ବରୁ ଗାନ୍ଧୀ ଜୟନ୍ତୀ ଓ ମହାଳୟା ମଧ୍ୟ ଛୁଟି ରହିବ। ଦୁର୍ଗାପୂଜା ଛୁଟି ପୂର୍ବରୁ ଅଦାଲତରେ ମାତ୍ର ହାତ ଗଣତି କାର୍ଯ୍ୟ ଦିବସ ରହିଛି। ଏପରି ପରିସ୍ଥିତିରେ ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯଦି ଶୀଘ୍ର ଶେଷ ନ ହୁଏ ତେବେ ପରିସ୍ଥିତି ଅଧିକ ଜଟିଳ ହେବା ଏକ ପ୍ରକାର ସ୍ପଷ୍ଟ।