ଓଡ଼ିଶାର ୧୫ଟି ସାମଗ୍ରୀକୁ ଜିଆଇ ମାନ୍ୟତା ମିଳିଛି

ଭୁବନେଶ୍ୱର : ଓଡ଼ିଶାରେ ଉତ୍ପାଦିତ ୧୫ଟି ସାମଗ୍ରୀକୁ ଏଯାବତ୍‌ ଜିଆଇ ମାନ୍ୟତା ମିଳିଛି। ୨୦୧୫ରୁ ପଶ୍ଚିମବଙ୍ଗ ରସଗୋଲା ପାଇଁ ଆବେଦନ କରି ଗତ ନଭେମ୍ବର ୧୪ ତାରିଖରେ ଜିଆଇ ମାନ୍ୟତା ହାସଲ କରିଥିବା ବେଳେ ଓଡ଼ିଶା ରସଗୋଲା ଲାଗି ଜିଆଇ ମାନ୍ୟତା ପାଇଁ ଆବେଦନ କରିବାକୁ ତଥ୍ୟ ପ୍ରମାଣ ସଂଗ୍ରହ କରୁଛି। ବିଜେପି ବିଧାୟକ ଦିଲୀପ ରାୟଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର।

ସରକାରଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୫ଟି ବୟନଶିଳ୍ପ ଓ ହସ୍ତତନ୍ତ, ୮ଟି ହସ୍ତଶିଳ୍ପ ଏବଂ ୨ଟି କୃଷିଜାତ ସାମଗ୍ରୀ ଲାଗି ୨୦୦୫-୦୬ରୁ ୨୦୧୩-୧୪ ମଧ୍ୟରେ ଓଡ଼ିଶା ଜିଆଇ ମାନ୍ୟତା ହାସଲ କରିଛି। ସର୍ବପ୍ରଥମେ କୋଟପାଡ଼ର ହ୍ୟାଣ୍ଡଲୁମ୍‌ ଫ୍ୟାବ୍ରିକ୍‌ ଓ ଓଡ଼ିଶା ଇକତ୍‌ ଶାଢ଼ୀ ୨୦୦୫-୦୬ ବର୍ଷରେ ଜିଆଇ ମାନ୍ୟତା ହାସଲ କରିଥିଲା। ଓଡ଼ିଶାର ଖଣ୍ଡୁଆ, ଗୋପାଳପୁରର ଟସର୍‌ କପଡ଼ା ଓ ପଟ୍ଟଚିତ୍ର ଖୋଦିତ ଲୁଗାକୁ ମଧ୍ୟ ଏହି ମାନ୍ୟତା ମିଳିଛି। କୋଣାର୍କର ପଥର ଖୋଦେଇ କାମ, ଓଡ଼ିଶା ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ, ଧଳାପଥରର ପରଦା, ସମ୍ବଲପୁର ବାନ୍ଧଶାଢ଼ୀ, ବମ୍‌କେଇ ଶାଢ଼ୀ, ହବସ୍‌ପୁର ଶାଢ଼ୀ, ବ୍ରହ୍ମପୁରର ପାଟ୍ଟଶାଢ଼ୀ ଓ ଯୋଡ଼, ଗଞ୍ଜାମର କେତକୀ ଫୁଲ ଆଦି ଜିଆଇ ମାନ୍ୟତା ହାସଲ କରିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ୱେବ୍‌ସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁଯାୟୀ ବାଂଲାର ରସଗୁଲାର ଜିଆଇ ମାନ୍ୟତା ପାଇଁ ପଶ୍ଚିମବଙ୍ଗ ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଓ ଉଦ୍ୟାନ କୃଷି ଉନ୍ନୟନ ନିଗମ ୨୦୧୫ ସେପ୍‌ଟେମ୍ବର ୧୮ ତାରିଖରେ ଆବେଦନ କରି ଗତ ନଭେମ୍ବର ୧୪ ତାରିଖରେ ଏହା ହାସଲ କରିଛନ୍ତି। ଓଡ଼ିଶା ରସଗୋଲାର ଜିଆଇ ମାନ୍ୟତା ପାଇଁ ଓଡ଼ିଶା ସରକାର ଆବେଦନ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସମ୍ପୃକ୍ତ ସଂଗଠନମାନଙ୍କ ସହିତ ବିଚାର ବିମର୍ଷ କରି ତଥ୍ୟ ପ୍ରମାଣ ସଂଗ୍ରହ କରୁଛନ୍ତି। ମହାରାଷ୍ଟ୍ରର ହଳଦୀକୁ ଜିଆଇ ମାନ୍ୟତା ମିଳି ସାରିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର