ରାଜ୍ୟକୁ ମନେରଗା ଅନୁଦାନ ପ୍ରତିବର୍ଷ ବଢ଼ୁଛି

ଭୁବନେଶ୍ୱର: ମନରେଗା ଯୋଜନାରେ ପ୍ରତିବର୍ଷ କେନ୍ଦ୍ରରୁ ମିଳୁଥିବା ଅନୁଦାନ ପରିମାଣ ବଢିବାରେ ଲାଗିଛି। ୨୦୧୪-୧୫ ବର୍ଷରେ କେନ୍ଦ୍ରରୁ ଏ ବାବଦରେ ୧୦୩୫କୋଟି ୩୦ଲକ୍ଷ ଟଙ୍କା ମିଳିଥିବାବେଳେ ଚଳିତ ଆର୍ଥିକ ବର୍ଷରେ ୨୭ଶହ କୋଟି ଟଙ୍କରୁ ଅଧିକ ଅର୍ଥ ମିଳିବ। ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରରୁ ଏ ବାବଦରେ ୨୭୬୬.୮୭ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ବର୍ତମାନ ସୁଦ୍ଧା ୧୬୧୮କୋଟି ୫୮ଲକ୍ଷ ଟଙ୍କା ମିଳି ସାରିଲାଣି। ଏହିଅର୍ଥରେ ଜବ୍‌ କାର୍ଡଧାରୀମାନଙ୍କୁ କାମ ଯୋଗାଯାଉଥିବା ବେଳେ ରାଜ୍ୟରେ ମୋଟ୍‌ ୫୧୨୦ ପରିବାର ୧୦୦ ଦିନର କାମ ପାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।

ଏହି ସୂଚନାଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୯୯୬ ପରିବାର ୧୦୦ଦିନର କାମ ପାଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ଏହି ସଂଖ୍ୟା ୮୬୦ ରହିଛି। କୋରାପୁଟ ଜିଲ୍ଲାରେ ଥିବା ମୋଟ୍‌ ଜବ୍‌ କାର୍ଡଧାରୀଙ୍କ ମଧ୍ୟରୁ ୫୬୬ ପରିବାର ୧୦୦ ଦିନର କାମ ପାଇଛନ୍ତି। ସୁନ୍ଦରଗଡରେ ୪୭୯, କେନ୍ଦୁଝରରେ ୪୫୪, ବଲାଙ୍ଗୀରରେ ୨୨୮, ନୟାଗଡରେ ୧୫୮ ଓ ସମ୍ବଲପୁରରେ ଏହି ସଂଖ୍ୟା ୧୧୦ ରହିଛି। ଅନ୍ୟ ସମସ୍ତ ଜିଲ୍ଲାରେ ୧୦୦ ଦିନର କାମ ପାଇଥିବା ପରିବାର ସଂଖ୍ୟା ଦୁଇ ଅଙ୍କ ମଧ୍ୟରେ ରହିଛି। ସବୁଠାରୁ କମ୍‌ ମାତ୍ର ୭ଟି ପରିବାର ଜଗତସିଂହପୁର ଜିଲ୍ଲାରେ ୧୦୦ ଦିନର କାମ ପାଇଥିବାବେଳେ ଏହି ଜିଲ୍ଲାରେ ୧ଲକ୍ଷ ୩୧ହଜାର ୪୩୮ ପରିବାରକୁ ଜବ୍‌କାର୍ଡ ଦିଆଯାଇଛି। ସେହିଭଳି କଟକ ଜିଲ୍ଲାରେ ୮ଟି ପରିବାର ୧୦୦ ଦିନର କାମ ପାଇଥିବାବେଳେ ଏହି ଜିଲ୍ଲାରେ ଜବ୍‌କାର୍ଡଧାରୀ ପରିବାର ସଂଖ୍ୟା ରହିଛି ୨ଲକ୍ଷ ୭୮ ହଜାର ୭୪୮। କେନ୍ଦ୍ରାପଡା ଜିଲ୍ଲାରେ ୧୧ଟି ପରିବାର ୧୦୦ ଦିନର କାମ ପାଇଥିବାବେଳେ ସୋନପୁର ଓ ବାଲେଶ୍ୱର ଜିଲ୍ଲାରେ ୧୨ଟି କରି ପରିବାର ଏହି ତାଲିକାରେ ଅଛନ୍ତି। ପୁରୀ ଜିଲ୍ଲାରେ ୧୦୦ ଦିନର କାମ ପାଇଥିବା ପରିବାର ସଂଖ୍ୟା ୧୪ ରହିିଛି। ବୌଦ ଜିଲ୍ଲାର ୨୧ଟି ପରିବାର ଏହି ତାଲିକାରେ ଅଛନ୍ତି। ରାଜ୍ୟ ମନରେଗା ଯୋଜନା ଅଧିନରେ ପ୍ରତି ଗ୍ରାମ ପଞ୍ଚାୟତ ପାଇଁ ଗୋଟିଏ ଲେଖାଏଁ ହିସାବରେ ସମଗ୍ର ରାଜ୍ୟରେ ମୋଟ୍‌ ୬୮୦୧ ଟି ଗ୍ରାମ ରୋଜଗାର ସେବକ ପଦବି ସୃଷ୍ଟି କରାଯାଇଛି। ଏହି ପଦବିରେ ନିଯୁକ୍ତି ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର