କମିଲା ମାତୃ ମୃତ୍ୟୁହାର, ଏକାଥରରେ ୪୨ପଏଣ୍ଟ ହ୍ରାସ

ଭୁବନେଶ୍ୱର : ରାଜ୍ୟରେ ମାତୃ ମୃତ୍ୟୁ ହାର ହ୍ରାସ ପାଇଛି। ୨୦୧୧/୧୩ରେ ରାଜ୍ୟରେ ମାତୃ ମୃତ୍ୟୁହାର ୨୨୨ ଥିବା ବେଳେ ୨୦୧୪/୧୬ରେ ଏହା କମି ୧୮୦ରେ ପହଞ୍ଚିଛି। ସାମ୍ପଲ ରିଜେଷ୍ଟ୍ରେସନ୍‌ ସିଷ୍ଟିମ୍‌ ବା ଏସ୍‌ଆରଏସ୍‌ରୁ ଏହି ତଥ୍ୟ ମିଳିଛି। ଜାତୀୟ ସ୍ତରରେ ମାତୃ ମୃତ୍ୟୁହାର ୩୭ପଏଣ୍ଟ ହ୍ରାସ ପାଇଥିବା ବେଳେ ଓଡ଼ିଶାରେ ଏହାର ୪୨ ପଏଣ୍ଟ କମିଥିବା ଜଣାପଡ଼ିଛି। ମାତୃ ମୃତ୍ୟୁହାର କମାଇବାରେ ଏହା ରାଜ୍ୟ ସରକାରଙ୍କ ଏହା ଏକ ବଡ଼ ସଫଳତା।

ଦେଶରେ ମାତୃ ମୃତ୍ୟୁହାରକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ ୩ଟି ଭାଗରେ ବିଭକ୍ତ କରାଯାଇଛି। ଏମ୍ପାଓ୍ଵାର୍ଡ ଆକ୍ସନ୍‌ ଗ୍ରୁପ୍‌ ବା ଇଏଜି ଅଧୀନରେ ଓଡ଼ିଶା ସମେତ ୯ଟି ରାଜ୍ୟ ରହିଛନ୍ତି। ଏହିସବୁ ରାଜ୍ୟଗୁଡ଼ିକରେ ମାତୃ ମୃତ୍ୟୁହାର କମାଇବାରେ ଓଡ଼ିଶା ଆଗରେ ରହିଛି। ଏସ୍‌ଆରଏସ୍‌ର ତଥ୍ୟ ଅନୁଯାୟୀ, ୧ଲକ୍ଷ ଶିଶୁ ଜନ୍ମରେ ଏବେ ରାଜ୍ୟରେ ମାତୃ ମୃତ୍ୟୁହାର ୧୮୦ ରହିଛି। ଉତ୍ତରପ୍ରଦେଶ/ଉତ୍ତରଖଣ୍ଡ, ରାଜସ୍ଥାନ ଓ ଆସାମ ଭଳି ରାଜ୍ୟ ଓଡ଼ିଶା ତଳେ ରହିଛନ୍ତି।

ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟରେ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର କମାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିପାଇଁ ସ୍ୱତନ୍ତ୍ର ମିସନ କାର୍ଯ୍ୟ କରୁଛି। ୧୫ଟି ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଏହାସହ ସ୍ୱାସ୍ଥ୍ୟାନୁଷ୍ଠାନରେ ପ୍ରସବ ବଢ଼ିବା ସହିତ ବିଭିନ୍ନ ଜିଲ୍ଲାରେ ପ୍ରସୂତି ଅପେକ୍ଷା ଗୃହ ନିର୍ମାଣ କରାଯାଇଛି। ଏଥିରେ ପ୍ରସୂତିଙ୍କ ବ୍ୟତିତ ତାଙ୍କ ପରିବାର ଲୋକ ରହିବାରୁ ସୁବିଧା ହୋଇଛି। ଏହାସହ ଜନନୀ ସୁରକ୍ଷା ଯୋଜନାରେ ପ୍ରସୂତିଙ୍କୁ ସହାୟତା ଦିଆଯାଉଛି। ଏସବୁ କାର୍ଯ୍ୟକ୍ରମ ରାଜ୍ୟରେ ମାତୃ ମୃତ୍ୟୁହାର କମାଇବାରେ ସହାୟକ ହୋଇପାରିଛି। ଆଜି ୨୦୧୪/୧୬ ମସିହାର ରିପୋର୍ଟ ପ୍ରକାଶ ପାଇଛି। ଇତିମଧ୍ୟରେ ୨ବର୍ଷ ବିତିଗଲାଣି। ଆଗକୁ ଯେଉଁ ରିପୋର୍ଟ ପ୍ରକାଶ ପାଇବ ସେଥିରେ ମଧ୍ୟ ମାତୃ ମୃତ୍ୟୁହାର ଆହୁରି କମିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର