ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଘଟଣା : ସାଇବର୍ ଫରେନ୍ସିକ ଲ୍ୟାବ୍ ଯିବ ମୋବାଇଲ୍ !
ଆଜି କ୍ରାଇମ୍ବ୍ରାଞ୍ଚରେ ଦୁଇଜଣଙ୍କୁ ହାଜର ନିର୍ଦ୍ଦେଶ
କଟକ : ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ପ୍ରସଂଗରେ କେନ୍ଦ୍ରାପଡ଼ା ଟୁଙ୍ଗି ଅଞ୍ଚଳର ଦୁଇ ସନ୍ଦିଗ୍ଧ ଯୁବକଙ୍କୁ ଆସନ୍ତାକାଲି କଟକ କ୍ରାଇମ୍ବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି। ସେମାନଙ୍କ ମୋବାଇଲ୍ ଫୋନ ମଧ୍ୟ କ୍ରାଇମ୍ବ୍ରାଞ୍ଚ ନିକଟରେ ଦାଖଲ କରିବାକୁ କୁହାଯାଇଛି । ନିର୍ଦ୍ଦେଶନାମା ଆଧାରରେ ଦୁଇ ଯୁବକ କ୍ରାଇମ୍ବ୍ରାଞ୍ଚରେ ପହଞ୍ଚିଲା ପରେ ମାତୃଭାଷା ପ୍ରଶ୍ନପତ୍ର ଲିକ୍ ସମ୍ପର୍କରେ ପଚରାଉଚରା କରାଯିବ ।
Sambad is now on WhatsApp
Join and get latest news updates delivered to you via WhatsApp
ରସୁଲଗଡ଼ସ୍ଥିତ ସାଇବର ଫରେନ୍ସିକ ଲାବ୍ରୋଟାରୀରେ ମୋବାଇଲ୍ର ହାର୍ଡଓୟାର, ହ୍ଵାଟସ୍ଆପ୍ ସଫ୍ଟଓୟାର ଏବଂ ମୋବାଇଲ୍ର ମେମୋରୀ କାର୍ଡ ଯାଞ୍ଚ କରାଯିବାକୁ କ୍ରାଇମ୍ବ୍ରାଞ୍ଚ ଯୋଜନା କରୁଛି। ପ୍ରକୃତରେ ପ୍ରଶ୍ନପତ୍ର ଭାଇରାଲ୍ ହେବାର ମୂଳ ଉତ୍ସ ଉକ୍ତ ଦୁଇ ଯୁବକଙ୍କ ମୋବାଇଲ ଥିଲା ନା ଅନ୍ୟ କେଉଁ ମୋବାଇଲ୍ ଫୋନ୍ ବ୍ୟବହାର କରାଯାଇଥିଲା, ସେ ନେଇ ଲ୍ୟାବ୍ ରିପୋର୍ଟ ଆଧାରରେ ତଦନ୍ତ ଚାଲିବ ବୋଲି କ୍ରାଇମ୍ବ୍ରାଞ୍ଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଚଳିତ ମାଟ୍ରିକ ପରୀକ୍ଷା ଆରମ୍ଭରୁ ଗତ ୨୩ ତାରିଖରେ କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ମାତୃଭାଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ପରେ ୨୬ ତାରିଖରେ ଇଂରାଜୀ ପ୍ରଶ୍ନପତ୍ର ଲିକ୍ ହେବାରୁ ବୋର୍ଡର ସଭାପତି ଡକ୍ଟର ଜାହାନ୍ ଆରା ବେଗମ କ୍ରାଇମ୍ବ୍ରାଞ୍ଚରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ କ୍ରାଇମ୍ବ୍ରାଞ୍ଚର ସାଇବର୍ ସେଲ୍ ପ୍ରଥମେ ବୋର୍ଡ କାର୍ଯ୍ୟାଳୟରେ ତନାଘନା କରିଥିଲା।
ଗତକାଲି କେନ୍ଦ୍ରାପଡ଼ାରେ ଦୁଇ ଜଣିଆ ଟିମ୍ ପହଞ୍ଚି ନୋଡ଼ାଲ ସେଣ୍ଟର କରାଯାଇଥିବା ଆଳି ହାଇସ୍କୁଲ୍ରେ ତଦନ୍ତ କରିଛି। ଉକ୍ତ ହାଇସ୍କୁଲ୍ ପରୀକ୍ଷା କେନ୍ଦ୍ରର ନିରୀକ୍ଷକ ଭାସ୍କର ଚନ୍ଦ୍ର ମିଶ୍ରଙ୍କୁ ପଚରାଉଚରା କରିବା ସହିତ ଆଳି ବ୍ଲକର ଏକାଧିକ ପରୀକ୍ଷା କେନ୍ଦ୍ରରେ କାଗଜପତ୍ର ଯାଞ୍ଚ କରିଥିଲା । ଏହାସହିତ ଟୁଙ୍ଗି ଅଞ୍ଚଳର ସଂଜୀବ ବାରିକ ନାମକ ଜଣେ ଯୁବକକୁ କ୍ରାଇମ୍ବ୍ରାଞ୍ଚ ପଚରାଉଚରା କରିଥିବା ବେଳେ ଅନ୍ୟ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଆଳି ଥାନାକୁ ଡାକରା ହୋଇଥିଲା। ମାତ୍ର ସମ୍ପୃକ୍ତ ଯୁବକ ଅନୁପସ୍ଥିତ ଥିବା କୁହାଯାଉଛି। ଉଭୟଙ୍କୁ ଆସନ୍ତାକାଲି କଟକ କ୍ରାଇମ୍ବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ପାଇଁ ଡାକରା ହୋଇଛି। ଉଭୟ ପହଞ୍ଚିଲା ପରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।