ରାତି ଅଧରେ ଭୁବନେଶ୍ବର ଷ୍ଟେସନ୍‌ରେ ତୁମୁଳକାଣ୍ଡ : ପୁଣି ଉତ୍ପାତ କଲେ ସହସ୍ରାଧିକ ସେନା ପରୀକ୍ଷାର୍ଥୀ

ଭୁବନେଶ୍ବର: ଦିନକ ତଳେ ସେନା ନିଯୁକ୍ତି ପରୀକ୍ଷା ଦେବାକୁ ଆସିଲାବେଳେ ଅଧା ବାଟରେ ନନ୍ଦନକାନନ ଏକ୍ସପ୍ରେସ୍‌କୁ କବ୍‌ଜା କରି ଉତ୍ପାତ କରିଥିଲେ। ଟ୍ରେନ୍‌ରେ ଟିକଟ କାଟି ଦିଲ୍ଲୀରୁ ଓଡ଼ିଶା ଆସୁଥିବା ଯାତ୍ରୀଙ୍କୁ ୨୨ ଘଣ୍ଟା‌ କାଳ ଅକଥନୀୟ ନିର୍ଯାତନା ଦେଇଥିଲେ। ଆଜି ପରୀକ୍ଷା ସରିବା ପରେ ଉତ୍ତରପ୍ରଦେଶ ଓ ବିହାରର ଏହି ପରୀକ୍ଷାର୍ଥୀମାନେ ଫେରିବା ପାଇଁ ପୁରୁଷୋତ୍ତମ ଏକ୍ସପ୍ରେସ୍‌କୁ ଟାର୍ଗେଟ୍‌ କରିଥିଲେ। ଟ୍ରେନ୍‌ରେ ଜୋରଜବରଦସ୍ତ ଚଢ଼ି ଯାଇଥିବା ହଜାରେରୁ ଅଧିକ ପରୀକ୍ଷାର୍ଥୀଙ୍କ ତୁମୁଳକାଣ୍ଡ ଯୋଗୁଁ ରାତି ଅଧରେ ଭୁବନେଶ୍ବର ଷ୍ଟେସନ୍‌ରେ ତୀବ୍ର ଉତ୍ତେଜନା ସୃଷ୍ଟି ‌ହୋଇଛି। ସେମାନଙ୍କୁ ଘଉଡ଼ାଇବାକୁ ଯାଇ ରେଳବାଇ ପୁଲିସ, ଆର୍‌ପିଏଫ୍‌ ଓ ସ୍ଥାନୀୟ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଛି। ଶେଷରେ ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଲାଠିଚାର୍ଜ କରି ବିଦା କରିବା ପରେ ଘଣ୍ଟାଏରୁ ଅଧିକ ସମୟ ବିଳମ୍ବରେ ପୁରୁଷୋତ୍ତମ ଏକ୍ସପ୍ରେସ୍ ଭୁବନେଶ୍ବର ଷ୍ଟେସନ୍‌ରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ଅନ୍ୟପକ୍ଷରେ ଘରକୁ ଫେରିବା ପାଇଁ ଏବେ ବି ସହସ୍ରାଧିକ ପରୀକ୍ଷାର୍ଥୀ ପ୍ଲାଟଫର୍ମରେ ଅପେକ୍ଷା କରିଥିବାରୁ ଆର୍‌ପିଏଫ୍‌ ଓ ଜିଆର୍‌ପି ସେମାନଙ୍କ ଉପରେ କଡ଼ା ନଜର ରଖିଛି। ଏହାଛଡ଼ା ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଲଗେଜ୍ ବଗିର ତାଲା ଭାଙ୍ଗି ଭିତରେ ପଶିଥିବା ଅଭିଯୋଗରେ ରେଳବାଇ ପୁଲିସ ଉତ୍ତରପ୍ରଦେଶ ମିରଟ୍‌ର ଜଣେ ଯୁବକକୁ ଅଟକ ରଖିଛି।

ପୁରୁଷୋତ୍ତମ ଏକ୍ସପ୍ରେସ୍‌ରେ ଜୋରଜବରଦସ୍ତ ଚଢ଼ିଗଲେ
୫ ଥର ଚେନ୍‌ ଟାଣିଲେ, ରେଳଧାରଣା ଉପରେ ବସିଲେ
ଗୋଡ଼ାଇ ଗୋଡ଼ାଇ ପିଟିଲା ଆର୍‌ପିଏଫ୍‌, ଜିଆର୍‌ପି ଓ ପୁଲିସ
ଟ୍ରେନ୍ ଲଗେଜ୍‌ ବଗିର ତାଲା ଭାଙ୍ଗି ଜଣେ ଅଟକ

ରବିବାରଠାରୁ ଭୁବନେଶ୍ବରର ୧୨୦ ବାଟାଲିଆନ୍‌ରେ ସେନା ନିଯୁକ୍ତି ମେଳା ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ହେଉଥିବା ଏହି ପରୀକ୍ଷାରେ ଓଡ଼ିଶା ସମେତ ବିହାର ଓ ଉତ୍ତରପ୍ରଦେଶର ପରୀକ୍ଷାର୍ଥୀମାନେ ହଜାର ହଜାର ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି। ବିଶେଷକରି ଉତ୍ତରପ୍ରଦେଶ ଓ ବିହାରର ପରୀକ୍ଷାର୍ଥୀମାନେ ପୂର୍ବରୁ କୌଣସି ରିଜର୍ଭେସନ୍ ନକରି ଦିଲ୍ଲୀରୁ ଓଡ଼ିଶା ଆସୁଥିବା ବିଭିନ୍ନ ଏକ୍ସପ୍ରେସ୍ ଟ୍ରେନ୍‌ରେ ଜୋରଜବରଦସ୍ତ ଚଢ଼ି ଭୁବନେଶ୍ବର ଆସିଥିଲେ। ଫଳରେ ଦୁଇଦିନ ହେଲା ନନ୍ଦନକାନନ ଏକ୍ସପ୍ରେସ୍ ଓ ନୀଳାଚଳ ଏକ୍ସପ୍ରେସ୍ ଆଦି ଟ୍ରେନଗୁଡ଼ିକରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ଗୋଟିଏ ସଂରକ୍ଷିତ ବଗିରେ ଶହ ଶହ ସଂଖ୍ୟାରେ ପ୍ରବେଶ କରି ସେମାନେ ଏଭଳି ଉତ୍ପାତ କରୁଥିଲେ ଯେ ଟ୍ରେନ୍‌ରେ ଆସୁଥିବା ଯାତ୍ରୀମାନେ ଅକଥନୀୟ ନିର୍ଯାତନାର ଶିକାର ହୋଇ ତ୍ରାହି ତ୍ରାହି ଡାକିଥିଲେ। ଏପରିକି ଯାତ୍ରୀମାନେ ଶୌଚାଳୟକୁ ମଧ୍ୟ ଯାଇ ପାରି ନ ଥିଲେ। ଏ ନେଇ ରବିବାର ନନ୍ଦନକାନନ ଏକ୍ସପ୍ରେସ୍‌ର କିଛି ଯାତ୍ରୀ ଭୁବନେଶ୍ବର ଷ୍ଟେସନ୍‌ରେ ଅଭିଯୋଗ କରିବା ପରେ ଆର୍‌ପିଏଫ୍‌ ପକ୍ଷରୁ ୧୮ ଜଣ ପରୀକ୍ଷାର୍ଥୀଙ୍କୁ ଅଟକ ରଖାଯାଇ ପରେ ଛାଡ଼ି ଦିଆଯାଇଥିଲା।

ଦୁଇ ଦିନ ହେଲା ରାଜଧାନୀର ରାସ୍ତାକଡ଼ରେ ହଜାର ହଜାର ସଂଖ୍ୟାରେ ଡେରା ପକାଇଥିବା ଏହି ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ କେତେ ଜଣ ବିଭିନ୍ନ ବାଡ଼ିବଗିଚାରେ ପଶି ଫଳଗଛରୁ ‌ବିଭିନ୍ନ ଫଳ ଚୋରି କରି ଖାଇବା ଅଭିଯୋଗ ହୋଇଥିଲା। ତେବେ ଏତିକିରେ ସେମାନଙ୍କ ଉତ୍ପାତ ସରି ନ ଥିଲା। ଆଜି ଅପରାହ୍ଣରେ ଉତ୍ତରପ୍ରଦେଶ ପରୀକ୍ଷାର୍ଥୀଙ୍କ ପରୀକ୍ଷା ସରିଯିବା ପରେ ସେମାନେ ଘରକୁ ଫେରିବା ପାଇଁ ହଜାର ହଜାର ସଂଖ୍ୟାରେ ଆସି ଭୁବନେଶ୍ବର ଷ୍ଟେସନରେ ପହଞ୍ଚିଥିଲେ ଏବଂ ବିଭିନ୍ନ ଟ୍ରେନ୍‌ରେ ଯିବାକୁ ଉଦ୍ୟମ କରିଥିଲେ। ରାତି ୧୧ଟାରେ ପୁରୀରୁ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଆସି ପହଞ୍ଚିଲା ବେଳକୁ ସେଥିରେ ହଜାରେ ଅଧିକ ପରୀକ୍ଷାର୍ଥୀ ଚଢ଼ିବାକୁ ଉଦ୍ୟମ କରିଥିଲେ। ୧୧ଟା ୨ରେ ପୁରୁଷୋତ୍ତମ ଏକ୍ସପ୍ରେସ୍‌ରେ ଲାଗିଥିଲା ୧ ନମ୍ବର ପ୍ଲାଟଫର୍ମ। ୧୧ଟା ୭ରେ ଛାଡ଼ିବା କଥା। ତେବେ ଟ୍ରେନ ଠିକ୍ ସମୟରେ ପହଞ୍ଚିଥିଲେ ହେଁ ଠିକ୍‌ ସମୟରେ ଛାଡ଼ି ପାରି ନ ଥିଲା। କାରଣ ଅପେକ୍ଷାରତ ସହସ୍ରାଧିକ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଯିଏ ଯେଉଁ ବଗିରେ ପାରିଲା, ଚଢ଼ିଥିଲା। ସଂରକ୍ଷିତ ବଗିରେ ମଧ୍ୟ ପଶି ସେମାନେ ଯାତ୍ରୀମାନଙ୍କୁ ପେଲାଠେଲା କରି ସଂରକ୍ଷିତ ସିଟ୍ ବି ଅଧିକାର କରି ନେଇଥିଲେ। ଏ ନେଇ ପ୍ରତିବାଦ କରିବାରୁ କିଛି ଯାତ୍ରୀ ସେମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ। କିଛି ଯାତ୍ରୀ ଟ୍ରେନରେ ଚଢ଼ି ମଧ୍ୟ ପାରି ନ ଥିଲେ। ରେଳବାଇ ପୁଲିସ ଉତ୍ପାତ କରୁଥିବା ଏହି ପରୀକ୍ଷାର୍ଥୀମ‌ାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲା। ଏତେ ସଂଖ୍ୟାରେ ପରୀକ୍ଷାର୍ଥୀ ଥିବାରୁ ସେମାନଙ୍କୁ ଅଟକାଇବା ପାଇଁ ଆର୍‌ପିଏଫ୍‌ ଓ ସ୍ଥାନୀୟ ପୁଲିସର ସହାୟତା ନିଆଯାଇଥିଲା। କିଛି ସମୟର ଗୋଡ଼ାଗୋଡ଼ି ପରେ ସେମାନଙ୍କୁ ବଳପୂର୍ବକ ଟ୍ରେନ୍‌ର ବିଭିନ୍ନ ବଗିରୁ ବାହାର କରାଯାଇଥିଲା। ତେବେ ଟ୍ରେନ୍‌ ଠିକ୍ ଗଡ଼ିବା ଆରମ୍ଭ ହେବା ବେଳକୁ ସେଥିରେ ରହିଯାଇଥିବା କିଛି ଯୁବକ ଚେନ୍‌ ଟାଣି ଟ୍ରେନ୍‌କୁ ଅଟକାଇ ଦେଇଥିଲେ। ଏମିତି ପ୍ରାୟ ୫ ଥର ଟ୍ରେନ୍‌କୁ ଅଟକାଇବାରୁ ପରୀକ୍ଷାର୍ଥୀମାନଙ୍କୁ ଷ୍ଟେସନ୍‌ରୁ ଘଉଡ଼ାଇବା ପାଇଁ ପୁଲିସ ବାଧ୍ୟ ହୋଇ ଲାଠିଚାର୍ଜ କରିଥିଲା। ଫଳରେ ପରୀକ୍ଷାର୍ଥୀମାନେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ବି ସେମାନଙ୍କ ଉତ୍ପାତ କମିନଥିଲା। ଶହ ଶହ ସଂଖ୍ୟାରେ ପରୀକ୍ଷାର୍ଥୀମାନେ ଷ୍ଟେସନ୍‌ ନିକଟରୁ କିଛି ଦୂରରେ ଥିବା ଡିପୋ ନିକଟରେ ରେଳଧାରଣାରେ ‌ବସି ଟ୍ରେନ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ତେଣୁ ଆର୍‌ପିଏଫ ଓ ସ୍ଥାନୀୟ ପୁଲିସ ପୁଣି ସେମାନଙ୍କୁ ଗୋଡ଼ାଇ ବିଦା କରିବା ସହ ଟ୍ରେନ୍‌କୁ ସୁରକ୍ଷା ଦେଇ ଆଗକୁ ନେଇଥିଲେ। ସେଠାରେ ଯେଉଁମାନେ ଟ୍ରେନ୍‌ ଅଟକାଇବାକୁ ଉଦ୍ୟମ କରିଥିଲେ, ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଏହି ସମୟରେ କିଛି ଯୁବକ ଟ୍ରେନ୍‌ରେ ଥିବା ଲଗେଜ୍‌ ବଗିର ତାଲା ଭାଙ୍ଗି ତା’ ଭିତରେ ପଶିବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ବାଡ଼େଇ ବାହାର କରିବା ସହ ପୁଣିଥରେ ବଗିକୁ ସିଲ୍‌ କରିଥିଲା। ଶେଷରେ ରାତି ପ୍ରାୟ ୧୨ଟା ୧୫ରେ ଟ୍ରେନ୍ ଭୁବନେଶ୍ବର ଛାଡ଼ିଥିଲା। ବଗି ଭାଙ୍ଗିବା ଅଭିଯୋଗରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ଷ୍ଟେସନ୍‌ ନିର୍ଦ୍ଦେଶକ ଚିତ୍ତରଂଜନ ନାୟକ କହିଛନ୍ତି ଯେ ଗୋଟିଏ ଟ୍ରେନ୍‌ରେ ହାରାହାରି ୧୭ ଶହରୁ ୧୮ଶହ ଯାତ୍ରୀ ଯିବାର ବ୍ୟବସ୍ଥା ରହିଛି। ତେବେ ଏହି ଟ୍ରେନ୍‌ରୁ ଅଧିକ ୧ ହଜାର ଯାତ୍ରୀ ହୋଇଯିବାରୁ ଯାତ୍ରୀମାନଙ୍କୁ ହଟହଟା ହେବାକୁ ପଡ଼ିଛି। ଏଭଳି ଘଟଣା ପରେ ପୁଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଷ୍ଟେସନ୍‌ରେ ପୁଲିସ ସୁରକ୍ଷା ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର