ଉଚ୍ଚକ୍ଷମତାସମ୍ପନ୍ନ ମନ୍ତ୍ରୀ ଗୋଷ୍ଠୀ ବୈଠକରେ ଉଦବେଗ : ପଞ୍ଚାୟତ ସ୍ତରରେ କରୋନା ରୋଗୀଙ୍କ ପ୍ରତି ଘୃଣା ବଢ଼ୁଛି

ଘରୋଇ ହସ୍ପିଟାଲର କୋଭିଡ୍‌ ପରୀକ୍ଷା ବ୍ୟବସ୍ଥା ଯାଞ୍ଚ ହେବ

ଭୁବନେଶ୍ବର/ ଝାରସୁଗୁଡ଼ା : ପଞ୍ଚାୟତ ସ୍ତରରେ କରୋନା ରୋଗୀଙ୍କ ପ୍ରତି ଘୃଣା ଭାବ ବୃଦ୍ଧି ପାଉଛି। ଏ ନେଇ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚକ୍ଷମତା ସମ୍ପନ୍ନ ମନ୍ତ୍ରୀ ଗୋଷ୍ଠୀ ବୈଠକରେ ଉଦବେଗ ପ୍ରକାଶ ପାଇଛି। ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ରହୁଥିବା କିଶୋର-କିଶୋରୀମାନଙ୍କୁ ନିର୍ଯ୍ୟାତନା ଓ ଶୋଷଣରୁ ରକ୍ଷା କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ମାଧ୍ୟମରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଗୁରୁତ୍ବ ଦିଆଯାଇଛି। କୋଭିଡ୍‌ ପରୀକ୍ଷା ପାଇଁ ଅନୁମତି ପାଇଥିବା ଘରୋଇ ହସ୍ପିଟାଲଗୁଡ଼ିକର ଯାଞ୍ଚ କରାଯିବ। ଏହାସହିତ ଆର୍‌ଟିପିସିଆର୍‌ ମେସିନ୍‌ ଓ କୋଭିଡ୍‌ ପରୀକ୍ଷଣ ପାଇଁ ଉଦ୍ଦିଷ୍ଟ କିଟ୍‌ଗୁଡ଼ିକୁ ସ୍ବତନ୍ତ୍ର ବୈଷୟିକ ଟିମ୍‌ ଦ୍ବାରା ଯାଞ୍ଚ କରିବାକୁ ନିଷ୍ପତ୍ତି ହୋଇଛି।

ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ଅଷ୍ଟମ ମନ୍ତ୍ରୀ ଗୋଷ୍ଠୀ ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, କରୋନା ରୋଗୀଙ୍କୁ ଘୃଣା ନ କରିବା ପାଇଁ ସରକାରୀ ସ୍ତରରେ ଗ୍ରାମ୍ୟ କମିଟି ସହ ନିରନ୍ତର ବୈଠକ ଓ ଆଲୋଚନା କରାଯିବା ଦରକାର। ରାଜ୍ୟକୁ ଫେରୁଥିବା ପ୍ରବାସୀମାନଙ୍କ ମଧ୍ୟରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସେମାନଙ୍କୁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଉଥିବା ବେଳେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ନିୟମିତ ଭାବେ କରିବା ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟରେ କୋଭିଡ୍‌-୧୯ ପ୍ରସଙ୍ଗକୁ ସବୁ ଦିଗରୁ ତର୍ଜମା କରି ଭବିଷ୍ୟତରେ ଏ ସମ୍ପର୍କରେ ଅଧିକ ଗବେଷଣା ଆବଶ୍ୟକ କରୁଥିବାରୁ ସେସବୁ ସଂରକ୍ଷିତ କରି ରଖିବା ଦରକାର। ଯଦ୍ବାରା କି ଏହି ଭୂତାଣୁ ସମ୍ପର୍କରେ ଅଧିକ ଗବେଷଣା ସମ୍ଭବ ହୋଇପାରିବ ବୋଲି ଶ୍ରୀ ଦାସ ପ୍ରସ୍ତାବ ଦେଇଛନ୍ତି। ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓ ବିଭାଗର ବରିଷ୍ଠ ପଦାଧିକାରୀମାନେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର