ହରିଲୁଟ୍‌ ହେଉଛି ବିଧାୟକ ପାଣ୍ଠି

ବାଲି, ଗୋଡ଼ିରେ କଂକ୍ରିଟ୍‌ ରାସ୍ତା କରି ଲକ୍ଷାଧିକ ଟଙ୍କା ଚଳୁ

କେନ୍ଦୁଝର : ବିଧାୟକଙ୍କ ହାତ ପାଣ୍ଠିରେ ଲକ୍ଷ ଲକ୍ଷ ହରିଲୁଟ୍‌। କେଉଁଠି ବିନା କାମରେ ବିଲ୍‌ ତ କେଉଁଠି ବାଲିରେ ଗୋଡି ଗୋଳେଇ କଂକ୍ରିଟ୍‌ ରାସ୍ତା ନିର୍ମାଣ ହେଉଛି। ଶାସକ ବିଜେଡ଼ିର ହାତବାରିସି ସାଜିଥିବା ଇଞ୍ଜିନିୟରମାନେ ‘ହାତଗୁଞ୍ଜା ନେଇ’ ବିଲ୍‌ ପାସ କରାଉଥିବା ବେଳେ ଏଭଳି ନିମ୍ନମାନର କାମ ନେଇ ଅଭିଯୋଗ ସତ୍ତ୍ୱେ ବି ଭିଜିଲାନ୍ସ ହାତବାନ୍ଧି ବସିଛି। କେନ୍ଦୁଝର ସଦର ବ୍ଲକ ନେଲୁଙ୍ଗ ମୁଣ୍ଡା ସାହିର କଂକ୍ରିଟ୍‌ ରାସ୍ତା କାମ ସହିତ ଜଡିଖୁଣ୍ଟି ସାହି କଂକ୍ରିଟ୍‌ ରାସ୍ତା କାମରେ ଏଭଳି ଦୁର୍ନୀତି ଅଭିଯୋଗ ଆସିଥିବା ବେଳେ ଭିଜିଲାନ୍ସର ପଦକ୍ଷେପକୁ ସମସ୍ତେ ଅପେକ୍ଷା କରିଛନ୍ତି।

କେନ୍ଦୁଝର ସଦର ବ୍ଲକ ନେଲୁଙ୍ଗ ପ୍ରାଥମିକ ବିଦ୍ୟାଳୟ ନିକଟରୁ ଡିଗିବନ୍ଧ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତାର ଉଦାହରଣ ନିଆଯାଉ। ରାସ୍ତାକାମ ଏତେ ନିମ୍ନମାନର ହୋଇଛି ଯେ ନିର୍ମାଣର ମାତ୍ର ୧୦/୧୨ ଦିନରେ ରାସ୍ତାରୁ ମେଟାଲ ବାହାରି ଆସୁଛି। ରାସ୍ତାରେ ନାମକୁ ମାତ୍ର ସିମେଣ୍ଟ ଦିଆଯାଇଛି। ଏ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆଉ ଏକ ରାସ୍ତା ନଜରକୁ ଆସିଛିି। ଏହି ରାସ୍ତା ବି ସଦର ବିଧାୟକ ଅଭିରାମ ନାଏକଙ୍କ ହାତପାଣ୍ଠିରୁ ନିର୍ମାଣ ହୋଇଛି। ଜଡିଖୁଣ୍ଟି ସାହିରେ ନିର୍ମାଣ ହୋଇଥିବା ଏହି କଂକ୍ରିଟ୍‌ ରାସ୍ତାରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହାକୁ କେନ୍ଦୁଝର ଆଇଟିଡିଏ ନିର୍ମାଣ କରିଛି। ଗ୍ରାମବାସୀଙ୍କ କହିବାନୁଯାୟୀ, ରାସ୍ତା କାମ ସମୟରେ କୌଣସି ଯନ୍ତ୍ରୀ ଉପସ୍ଥିତ ନଥିଲେ। ଯେଉଁ ଭାଗମାପ ଏବଂ ଯେଉଁ ଶୈଳୀରେ ରାସ୍ତା କାମ ହେବା କଥା ତାହା ହେଲାନି। ଫଳସ୍ୱରୂପ ନବନିର୍ମିତ ରାସ୍ତା ଏବେ ଭାଙ୍ଗିବା ଅବସ୍ଥାରେ ରହିଛି। ଏ ସଂପର୍କରେ କନିଷ୍ଠ ଯନ୍ତ୍ରୀ ଦେବେନ୍ଦ୍ର କୁମାର ପଲେଇଙ୍କୁ ପଚରାଯିବାରୁ ରାସ୍ତା ନିର୍ମାଣ ଦିନ ସେ ଉପସ୍ଥିତ ନଥିବା କହିଥିଲେ। ଅନ୍ୟପକ୍ଷରେ ଜିଲ୍ଲାପାଳ ଆଶିଷ ଠାକ୍‌ରେ ରାସ୍ତାକାମର ତଦନ୍ତ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର