କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଗଭୀର ନଳକୂପ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ନବରଙ୍ଗପୁର ଜିଲ୍ଲାର ଜଳସେଚନ ବିକାଶ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଯେଉଁସବୁ ପ୍ରକଳ୍ପଗୁଡ଼ିକ ଜାରି ରହିଛି, ସେଗୁଡ଼ିକୁ ତ୍ୱରାନ୍ଵିତ କରିବା ସହିତ ଅଧିକ ସଂଖ୍ୟକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ଗଭୀର ନଳକୂପ ଖନନ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଅଚଳ ହୋଇଥିବା ସମସ୍ତ ଉଠା ଜଳସେଚନ ପ୍ରକଳ୍ପକୁ ଯଥାଶୀଘ୍ର ସଚଳ କରିବା ଓ ଯେଉଁ ନଳକୂପଗୁଡ଼ିିକୁ ବିଦ୍ୟୁତ ସଂଯୋଗ ଦିଆଯାଇ ନାହିଁ, ସେଗୁଡ଼ିକୁ ତୁରନ୍ତ ବିଦ୍ୟୁତ ସଂଯୋଗ ଦେବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ଆଲୋଚନାରୁ ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁରରେ ୨୦୧୮ ମାର୍ଚ୍ଚ ସୁଦ୍ଧା ୬୪,୭୬୯ ହେକ୍ଟର ଜମିରେ ଜଳସେଚନର ସୁବିଧା କରାଯାଇଛି। ଏହା ସହ ଜିଲ୍ଲାରେ ୫ଟି ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ପ୍ରସ୍ତାବ କାର୍ଯ୍ୟକାରୀ କରବା ପାଇଁ ପଦକ୍ଷେପ ନିଆଯାଉଛି। ଏଗୁଡ଼ିକ ହେଲା ତୁରୀଘଣ୍ଟା ଜଳସେଚନ ପ୍ରକଳ୍ପ, ନବରଙ୍ଗପୁର ଜଳସେଚନ ପ୍ରକଳ୍ପ, ତେଲ ଜଳସେଚନ ପ୍ରକଳ୍ପ, ଲୋୟର ଭାସ୍‌କେଲ ଜଳସେଚନ ପ୍ରକଳ୍ପ ଓ ବୃହତ ଚେକ୍‌ ଡ୍ୟାମ୍‌ ପ୍ରକଳ୍ପ। ଚେକ୍‌ ଡ୍ୟାମ୍‌ ପ୍ରକଳ୍ପଗୁଡ଼ିକର କାମ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା। ଜିଲ୍ଲାରେ ୫୬ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ ଏଗୁଡ଼ିକର ଆୟକଟ୍‌ ଅଞ୍ଚଳ ହେଉଛି ୭୪୨୨ ହେକ୍ଟର। ଆଉ ୮ଟି କ୍ଷୁଦ୍ର ଜଳସେଚନର କାର୍ଯ୍ୟ ଜାରି ରହିଛି। ସେହିପରି ୫୧୦୦ ଆୟକଟ୍‌ ଅଞ୍ଚଳ ବିଶିଷ୍ଟ ୨୧୮ଟି ଚେକ୍‌ ଡ୍ୟାମ୍‌ ସମ୍ପୂର୍ଣ୍ଣ ହୋଇଥିଲା ବେଳେ ଆଉ ୧୧୧ଟି ଚେକ୍‌ ଡ୍ୟାମ୍‌ର ନିର୍ମାଣ ଚାଲିଛି। ନବରଙ୍ଗପୁରର ସାଂସଦ ଓ ବିଧାୟକମାନେ ପୂର୍ବରୁ ଯେଉଁ ୨୪ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପ୍ରସ୍ତାବ ଦେଇଥିଲେ, ସେଥି ମଧ୍ୟରୁ ୯ଟିର କାମ ସମ୍ପୂର୍ଣ୍ଣ ହୋଇଛି। ଏହି ବୈଠକରେ ଜଳସମ୍ପଦ ବିକାଶ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ସାଂସଦ ଓ ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌, ଅର୍ଥ ଓ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର