ଜଳକର ବଢ଼ିବ ୧୧ ଗୁଣ! : ସରକାରଙ୍କୁ ପ୍ରସ୍ତାବ ଦେବ ଜଳ ସଂପଦ ବିଭାଗ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ଗୁଜୁରାଟ୍‌ରେ ପ୍ରତି ୧ କ୍ୟୁବିକ୍‌ ମିଟର(କମ୍‌) ବା ପ୍ରତି ୧ ହଜାର ଲିଟର ଜଳ କର ଦେୟ ଟ ୨.୭୩ ପଇସା। ୨୦୧୪ରେ ସେହି ରାଜ୍ୟରେ ଜଳ କର ଥିଲା ୧ କମ୍‌ ପିଛା ୧.୯୫ ଟଙ୍କା। ଏହି ଦେୟ ହାର ପ୍ରତି ବର୍ଷ ୧୦ ପ୍ରତିଶତ ବୃଦ୍ଧି କରିବାକୁ ଛାଡ଼ି ଦିଆଯାଇଛି। ଗୁଜୁରାଟ୍‌ ତୁଳନାରେ ଓଡ଼ିଶାରେ ଏହି ହାର ଅତ୍ୟନ୍ତ ନଗଣ୍ୟ। ଏକ ହଜାର ଲିଟର ଦର ମାତ୍ର ୩୦ ପଇସା। ତେବେ ଗୁଜୁରାଟ୍‌ ଉଦାହରଣ ଦେଇ ଜଳସେଚନ ବିଭାଗ ଏହି ଦେୟ ବା କରକୁ ୧୧ ଗୁଣରୁ ଅଧିକ ବୃଦ୍ଧି କରିବାକୁ ଚିନ୍ତା କରୁଛି। ଏ ନେଇ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ବିଧିବଦ୍ଧ ଭାବେ ପ୍ରସ୍ତାବ ଦେବ ବୋଲି ସୂଚନା ମିଳିଛି। ଏହି ବୃଦ୍ଧି ପ୍ରସ୍ତାବକୁ ସରକାର ଅନୁମୋଦନ ଦେଲେ ଲୋକଙ୍କ ଉପରେ ଜଳ କର ମାଡ଼ ଭୀଷଣ ଅନୁଭୂତ ହେବାର ଆଶଙ୍କା ରହିଛି।

ରାଜ୍ୟରେ କ୍ରମବର୍ଧିଷ୍ଣୁ ଜଳ ସଙ୍କଟ ହିଁ ଏଭଳି ପରିକଳ୍ପନାକୁ ଜନ୍ମ ଦେଇଛି। କେବଳ ଜନ୍ମ ଦେଇନି, ଗତ ଏପ୍ରିଲ୍‌ ୧୩ ତାରିଖରେ ଅନୁଷ୍ଠିତ ଜଳ ଆବଣ୍ଟନ କମିଟି(ଡବ୍ଲ୍ୟୁଏସି)ର ୭୮ତମ ବୈଠକରେ ଏଭଳି ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ବୈଠକରେ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ଜଳ ସଂପଦ ବିଭାଗ ପକ୍ଷରୁ ଜଳ ଦେୟ ବା କର ବୃଦ୍ଧି ନେଇ ପ୍ରସ୍ତାବ ପଠାଯିବ ବୋଲି ସ୍ଥିର ହୋଇଥିଲା। ଏହି ପ୍ରସ୍ତାବ ଅନୁଯାୟୀ ସମସ୍ତ ପୌରପାଳିକା, ପୌର ପରିଷଦ, ଅନ୍ୟାନ୍ୟ ଉନ୍ନୟନ କର୍ତୃପକ୍ଷଙ୍କୁ ପାନୀୟଜଳ ହେଉ ବା ସଫାସଫି ଉଦ୍ଦେଶ୍ୟରେ ଆବଶ୍ୟକ ଜଳ ଯୋଗାଣ ଉପରେ ମୂଲ୍ୟ ବୃଦ୍ଧି କରାଯିବ।

ରାଜ୍ୟର ସମସ୍ତ ପୌରପାଳିକା, ମହାନଗର ନିଗମ, ଏନ୍‌ଏସି ସରକାରଙ୍କ ଜଳ ଉତ୍ସ ହେଉ ବା ଜଳସେଚନ ପ୍ରକଳ୍ପଗୁଡ଼ିକରୁ ଜଳ ନେଇ ପାଇପ ଯୋଗେ ଜଳ ଯୋଗାଇଥାନ୍ତିି। ଓଡ଼ିଶା ଜଳସେଚନ ନିୟମାବଳୀ, ୧୯୬୧ର ବ୍ୟବସ୍ଥା ଅନୁସାରେ ସେହି ସଂସ୍ଥାଗୁଡ଼ିକୁ ଜଳ ନେବା ପାଇଁ ନିର୍ଧାରିତ ଦେୟ ଦେଇଥାନ୍ତି ପୌର ସଂସ୍ଥାଗୁଡ଼ିକ। ବର୍ତମାନ ଜଳସେଚନ ପ୍ରକଳ୍ପଗୁଡ଼ିକରୁ ଜଳ ନେବା ପାଇଁ ପ୍ରତି କମ୍‌ ବା ୧ ହଜାର ଲିଟର ଜଳ ନେବା ପାଇଁ ସରକାରୀ ଦେୟ ୩୦ ପଇସା ଥିବା ବେଳେ ସରକାରଙ୍କ ଅନ୍ୟାନ୍ୟ ଜଳ ଉତ୍ସରୁ ଜଳ ନେଲେ ୨୪ ପଇସା ଧାର୍ଯ୍ୟ ହୋଇଛି। ଜଳ ଆବଣ୍ଟନ କମିଟି ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ସେହି ଦେୟ ବା କର କମ୍‌ ପିଛା ୨୪ ପଇସାରୁ ୨.୭୩ ଟଙ୍କା ଏବଂ କମ୍‌ ପିଛା ୩୦ ପଇସାରୁ ଟ ୩,୪୧ ପଇସାକୁ ବୃଦ୍ଧି କରାଯିବ। ଅର୍ଥାତ୍‌ ଉଭୟ ସରକାରୀ ଓ ଜଳସେଚନ ପ୍ରକଳ୍ପ ଉତ୍ସରୁ ଜଳ ବୃଦ୍ଧି ହାର ୧୧ ଗୁଣରୁ ଅଧିକ ହେବ।

ଉଭୟ ସରକାରୀ ଓ ଜଳସେଚନ ପ୍ରକଳ୍ପ ଉତ୍ସରୁ ଜଳ ନେଇ ଜନସ୍ୱାସ୍ଥ୍ୟ ବିଭାଗ ପ୍ରତି ୧ ହଜାର ମିଟର କ୍ଷମତା ସଂପନ୍ନ ଜଳ ସଂଯୋଗ ବାବଦରେ ନେଇଥାଏ ଟ୩.୮୦ ପଇସା। ବିଭିନ୍ନ ପ୍ରକାରର ସଂଯୋଗ ପାଇଁ ଜଳ ଦେୟ ଭିନ୍ନ ଭିନ୍ନ। ଏହି ଦେୟ ହାର ପ୍ରତିବର୍ଷ ୫ ପ୍ରତିଶତ ବଢ଼ୁଥିବା କହିଛନ୍ତିି ଜନସ୍ୱାସ୍ଥ୍ୟ ସଂସ୍ଥାର ସର୍ବୋଚ୍ଚ ଯନ୍ତ୍ରୀ ଏସ୍‌.ଲକ୍ଷ୍ମୀପତି। ଯଦି ସରକାରୀ ବା ଜଳସେଚନ ଉତ୍ସରୁ ଜଳ ଉଠାଇବା ବାବଦରେ ଦେୟ ୧୧ ଗୁଣରୁ ଅଧିକ ବୃଦ୍ଧି ପାଇବ। ଫଳରେ ସହରାଞ୍ଚଳରେ ଜଳ ଯୋଗାଣ ଦେୟ ବୃଦ୍ଧି ପାଇବା ସ୍ୱାଭାବିକ। ଏହି ଦେୟ ହାର କେବେ ଓ କେତେ ପରିମାଣରେ ବୃଦ୍ଧି ପାଇବ ସେ ନେଇ ତାଙ୍କ ପାଖରେ କିଛି ଖବର ନ ଥିବା କହିଛନ୍ତି ଶ୍ରୀ ଲକ୍ଷ୍ମୀପତି।

ଗତ ୫ ତାରିଖରେ ଜଳ ନିର୍ଦେଶାଳୟର ମୁଖ୍ୟ ଯନ୍ତ୍ରୀ ଇଂ ବି.ବି.ଧଳ ଜଳ ସଂପଦ ବିଭାଗ ପ୍ରମୁଖ ସଚିବଙ୍କୁ ଜଳ ଦେୟ ବୃଦ୍ଧି ପ୍ରସ୍ତାବ ସଂପର୍କରେ ଅବଗତ କରାଇଛନ୍ତି। ଜଳ ଆବଣ୍ଟନ କମିଟି ପ୍ରସ୍ତାବରେ ସହମତି ପ୍ରକାଶ କରିଥିବା ସେ ଦର୍ଶାଇଛନ୍ତିି। ଏଣୁ ରାଜସ୍ୱ ବୃଦ୍ଧି ନିମନ୍ତେ ଜଳ କର ବା ଦେୟ ହାର ବୃଦ୍ଧି କରିବାକୁ ସେ ପ୍ରମୁଖ ସଚିବଙ୍କୁ ଅନୁରୋଧ କରିଛନ୍ତିି।

ସମ୍ବନ୍ଧିତ ଖବର