ରାଇରଙ୍ଗପୁରକୁ ହଜାରେ କୋଟି

ରାଇରଙ୍ଗପୁରକୁ ମିଳିଲା ୧୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ୍‌, ଷ୍ଟାଡିୟମ୍‌ ଓ ଅତିରିକ୍ତ ଜିଲ୍ଲାପାଳ ପଦ, ସମାବେଶରେ ଯୋଗଦେ‌ଲେ ୭୦ ହଜାରରୁ ଅଧିକ ମହିଳା

ରାଇରଙ୍ଗପୁର : ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ମହୁଲଡିହା ପଡ଼ିଆଠାରେ ଅନୁଷ୍ଠିତ ମିଶନ ଶକ୍ତି ମହିଳା ମହାସମାବେଶରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଛନ୍ତି। ସେ ଭାଷଣବାଜିକୁ ପଛ କରି ଲୋକଙ୍କ ବିଭିନ୍ନ ଆବଶ୍ୟକତା ପୂରଣ କରିବାକୁ ରିତିମତ ଉଦ୍ୟମ କରିଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ- ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିକାଶ ପାଇଁ ହାତ ଖୋଲି ଦେଇଛନ୍ତି।

ମହିଳାଙ୍କୁ ସଶକ୍ତ କରିବା ପାଇଁ ରାଜକୋଷରୁ ଅର୍ଥ ଖର୍ଚ କରାଯାଇଛି। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା, କ୍ରୀଡ଼ା ଓ ପ୍ରଶାସନିକ କ୍ଷେତ୍ରକୁ ଗୁରୁତ୍ବ ଦେବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ହଜାରେ କୋଟିର ଖର୍ଚ ବାବଦ ଚିଠା ବି ଉନ୍ମୋଚନ କରିଛନ୍ତି। ରାଇରଙ୍ଗପୁରରେ ପିପିପି ମୋଡ୍‌ରେ ଶହେ ଶଯ୍ୟାର ହସ୍ପିଟାଲ୍‌ ଓ ବଡ଼ ଷ୍ଟାଡିୟମ୍‌ ନିର୍ମାଣ ସହ ଅତିରିକ୍ତ ଜିଲ୍ଲାପାଳ ପଦ ଜନତାଙ୍କୁ ଭେଟି ଦେବା ସହ ସେ ଲୋକଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି।

ଖାଲି ସେତିକି ନୁହେଁ, ବାମନଘାଟୀ ଓ ପାଞ୍ଚପୀଢ଼ ଉପଖଣ୍ତ ଅଧୀନ ୧୨ଟି ବ୍ଲକ୍‌ର ମହିଳା ପ୍ରତିନିଧିଙ୍କୁ ମଞ୍ଚ ଉପରେ ବସାଇ ମା’ଙ୍କୁ ସମ୍ମାନର ବାର୍ତ୍ତା ବି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସ˚ଗ୍ରାମ ଓ ସଫଳତାର କଥା ଶୁଣିଛନ୍ତି। ସିଦ୍ଧେଶ୍ବର ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ର˚ଜିତା ଲେଙ୍କା ଏବଂ ବିଜାତଳା ବ୍ଲକ୍‌ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ରମାମଣି ମହାନ୍ତ ମିଶନ ଶକ୍ତିରେ ଯୋଡ଼ି ହେଲା ପରେ କିପରି ଆର୍ଥିକ ଭାବେ ସଶକ୍ତ ଓ ସମ୍ମାନର ଅଧିକାରୀ ହୋଇଛନ୍ତି, ସେନେଇ ସେମାନଙ୍କର ଅନୁଭବ ହଜାର ହଜାର ମହିଳାଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାମନଘାଟୀ ଓ ପାଞ୍ଚପୀଢ଼ ଉପଖଣ୍ତର ୧୨ଟି ବ୍ଲକ୍‌ର ୭୪୫୩ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମୋଟ ୧୬ କୋଟିର ଆର୍ଥିକ ଅନୁଦାନ ସହ ଡିଜିଟାଲ୍‌ ସଶକ୍ତିକରଣ ପାଇଁ ୭୪୫୩ଟି ଏସ୍‌ଏଚ୍‌ଜିକୁ ୨ କୋଟିର ଆର୍ଥିକ ସହାୟତା ମଂଜୁର କରିଛନ୍ତି। ଠିକ୍‌ ସେମିତି ୧୨ଟି ବ୍ଲକ୍‌ସ୍ତରୀୟ ମହାସ˚ଘକୁ ମଧ୍ୟ ୩ କୋଟି ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଦିଆଯାଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର ୧୨ଟି ବ୍ଲକ୍‌ର ୧୭୯୮ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ନିମନ୍ତେ ୪୮.୬୨ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦେଇଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ବାମନଘାଟୀ ଓ ପାଞ୍ଚପୀଢ଼ ଉପଖଣ୍ତର ୪୫ କୋଟି ଟଙ୍କାର ମୋଟ ୨୧ଟି ପୂର୍ଣ୍ଣାଙ୍ଗ ପ୍ରକଳ୍ପକୁ ଏକକାଳୀନ ଉଦ୍‌ଘାଟନ କରିଛନ୍ତି। ବିଶୋଇ-ରାଇରଙ୍ଗପୁର ଏସ୍‌ଏଚ୍‌-୫୦କୁ ଦୁଇ ଥାକିଆ କରିବା ପାଇଁ ୮୩.୮୬ କୋଟି ଟଙ୍କାର ପ୍ରକଳ୍ପ, ରାଇରଙ୍ଗପୁର ବ୍ଲକ୍‌ରେ ୨୬୦.୫୨ କୋଟିର ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ, କୁସୁମୀ ବ୍ଲକ୍‌ରେ ୨୩୮.୧୧ କୋଟି ଟଙ୍କାର ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ଯଶିପୁର ବ୍ଲକ୍‌ରେ ୨୭୪.୪୫ କୋଟି ଟଙ୍କାର ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ପାନୀୟ ଜଳ ଯୋଗାଣ, ରାସ୍ତାଘାଟ, ପୋଲ ନିର୍ମାଣ, କ୍ଷୁଦ୍ର ଜଳସେଚନ ଭଳି ୧୫ଟି ପ୍ରକଳ୍ପ ବାବଦରେ ମୋଟ୍‌ ୯୬୦ କୋଟି ଟଙ୍କାର ଅଟକଳ ମଧ୍ୟ ଉପସ୍ଥାପନ କରିଛନ୍ତି।

ସମାବେଶରେ ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ପାଣ୍ତିଆନ୍‌ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ମିଶନ ଶକ୍ତିର ଲକ୍ଷ୍ୟ ଓ ଉଦେଶ୍ୟ ସ˚ପର୍କରେ ଆଲୋକପାତ କରିଥିଲେ। ମଂଚରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ତିଆନଙ୍କ ସହ ଜିଲ୍ଲାପାଳ ବିନିତ ଭରଦ୍ବାଜ ଉପସ୍ଥିତ ଥିଲେ। ଶେଷରେ ରାଜ୍ୟ ମହିଳା ସମବାୟ ନିଗମର ଅଧୢକ୍ଷା ଶ୍ରୀମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଉପ-ବାଚସ୍ପତି ସାନନ୍ଦ ମାରାଣ୍ତି, ରାଜ୍ୟସଭା ସା˚ସଦ ସରୋଜିନୀ ହେମ୍ବ୍ରମ୍‌, ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ. ଅରୁଣ ସାହୁ, ପୂର୍ବତନ ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ତି, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଏସ୍‌ଡିସି ଅଧୢକ୍ଷ ଦେବାଶିଷ ମାରାଣ୍ତି, ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭ˚ଜଦେଓ, ସାରସକଣା ବିଧାୟକ ଭାଦବ ହାଁସଦା, କର˚ଜିଆ ବିଧାୟକ ବିଜୟ ନାଏକ, ଯଶିପୁର ବିଧାୟକ ମଙ୍ଗଲ ସି˚ ମୁଦି, ରାଇରଙ୍ଗପୁର ବିଧାୟକ ସାଇବା ସୁଶିଲ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର