‘ନିର୍ମାଣ କୁସୁମ’ ଯୋଜନାର ଶୁଭାରମ୍ଭ : ବୈଷୟିକ ଶିକ୍ଷାରେ ନିର୍ମାଣ ଶ୍ରମିକଙ୍କ ପିଲାଙ୍କୁ ମିଳିବ ଆର୍ଥିକ ସହାୟତା

ଭୁବନେଶ୍ବର : ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟ‌ାଣ ବୋର୍ଡ ପକ୍ଷରୁ ‘ନିର୍ମାଣ କୁସୁମ’ ଯୋଜନାର ଆଜି ଶୁଭାରମ୍ଭ ହୋଇଛି। ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ନିର୍ମାଣ ଶ୍ରମିକଙ୍କ ପିଲାମ‌ାନଙ୍କୁ ବୈଷୟିକ ଶିକ୍ଷା ପାଇଁ ଏହି ଯୋଜନାରେ ଆର୍ଥିକ ସହାୟତା ମିଳିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କ ପାଠ ପଢ଼ିବାର ସ୍ବପ୍ନକୁ ପୂରଣ କରିବା ଦିଗରେ ଏହି ଯୋଜନା ସହାୟକ ହେବ। ସରକାରୀ କଲେଜରେ ଆଇଟିଆଇ, ପଲିଟେକ୍‌ନିକ୍ ଓ ଡିପ୍ଲୋମା ଶିକ୍ଷା ପାଇଁ ଶତ ପ୍ରତିଶତ ଆର୍ଥିକ ସୁବିଧା ଦିଆଯିବ। ଏହି ଯୋଜନାରେ ଚଳିତବର୍ଷ ହିତାଧିକାରୀମାନଙ୍କ ପାସବୁକ୍‌ରେ ୧କୋଟିରୁ ଅଧିକ ଟଙ୍କା ଜମା କରାଯାଇଛି। ନିର୍ମାଣ ଶ୍ରମିକଙ୍କ ଝିଅମାନଙ୍କ ଶିକ୍ଷା ପା‌ଇଁ ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ସ୍ନାତକୋତ୍ତର ଶିକ୍ଷା ପର୍ଯ୍ୟନ୍ତ ପ୍ରତି ସ୍ତରରେ ସହାୟତା ରାଶି ପରିମାଣକୁ ୨୦ପ୍ରତିଶତ ବୃଦ୍ଧି କରାଯାଇଛି। ଏହାସହିତ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପରିବାରକୁ ସହାୟତା ରାଶିର ପରିମାଣକୁ ଦୁଇ ଗୁଣ କରାଯାଇଛି।

ଏହି ଯୋଜନାରେ ଆଇଟିଆଇ ଶିକ୍ଷା ପାଇଁ୨୩ହଜାର ୬ଶହ ଟଙ୍କା ଓ ଡିପ୍ଲୋମା ଶିକ୍ଷା ପାଇଁ୨୬ହଜାର ୩ଶହ ଟଙ୍କାର ଆର୍ଥିକ ସୁବିଧା ପ୍ରଦାନ କରାଯିବ। ୨୦୧୮/୧୯ ଶିକ୍ଷା ବର୍ଷ ପାଇଁ୧୮୭୮ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ୧.୦୯କୋଟି ଟଙ୍କାର ସହାୟତା ଜମା କରାଯାଇଛି। ସେହିପରି ନିର୍ମାଣ ଶ୍ରମିକଙ୍କ ସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ସହାୟତା ରାଶିକୁ ୧ଲକ୍ଷ ଟଙ୍କାରୁ ୨ଲକ୍ଷ ଟଙ୍କା ଓ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତା‌ ର‌ାଶି ୨ଲକ୍ଷରୁ ୪ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ସୂଚନା ଦିଆଯାଇଛି।

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ କହିଲେ, ରାଜ୍ୟରେ ୨୪ଲକ୍ଷ ୩୭ହଜାର ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ଏହା ୨୫ଲକ୍ଷରେ ପହଞ୍ଚିବ ବୋଲି ଆଶା କରାଯାଉଛି। ରାଜ୍ୟରେ ୧୫ଲକ୍ଷ ଶ୍ରମଜୀବୀଙ୍କୁ ସାମାଜିକ ସୁରକ୍ଷା ଦିଆଯାଉଥିବା ବେଳେ ମାତୃତ୍ବକାଳୀନ ସହାୟତା ସମେତ ଅନ୍ୟାନ୍ୟ ସୁବିଧା ଦିଆଯାଉଥିବା ଶ୍ରୀ ସିଂହ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମାର ପ୍ରମୁଖ ସଚିବ ଅନୁ ଗର୍ଗ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶକ ସଂଜୟ ସିଂହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର