ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀରେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ଶେଷ ଦର୍ଶନ କରିଛନ୍ତି | ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଭେଟିବା ସହ ସମବେଦନା ଜ୍ଞାପନ କରିଛନ୍ତି | ନବୀନଙ୍କ ସହ ପୁରୀ ସାଂସଦ ପିନାକୀ ମିଶ୍ର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ |
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ନବୀନ ଟ୍ୱିଟ କରି ଲେଖିଥିଲେ ଯେ ସେ ଅରୁଣ ଜେଟଲୀଙ୍କ ପରଲୋକରେ ମର୍ମାହତ। ଅରୁଣ ଜଣେ ବିଚକ୍ଷଣ ଆଇନଜୀବୀ, ସାଂସଦ ଏବଂ ଜ୍ଞାନୀ ବ୍ୟକ୍ତି ଥିଲେ। ଦେଶର ଶାସନ ବ୍ୟବସ୍ଥାକୁ ତାଙ୍କର ଯୋଗଦାନ ସୁଦୂରବିସ୍ତାରୀ ଥିଲା | ଏଠାରେ ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନୂଆଦିଲ୍ଲୀ ଗସ୍ତ କରିଥିଲେ ।
ଆସନ୍ତା ୨୬ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମାଓ ପ୍ରବଣ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ସେ ଯୋଗ ଦେବେ। ଏଥିରେ ଓଡ଼ିଶା ସମେତ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମାଓବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିବା ପାଇଁ ଏହି ବୈଠକ ବେଶ୍ ଗୁରୁତ୍ବ ବହନ କରୁଛି।