ବେଆଇନ୍‌ ପାର୍କିଂ ଫି ଆଦାୟ : ଏସପ୍ଲାନେଡ୍‌ ସମେତ ଭୁବନେଶ୍ୱରର ୧୦ ସପିଂ ମଲ ଓ ୩ଟି ଘରୋଇ ହସ୍‌ପିଟାଲ୍‌କୁ ନୋଟିସ୍‌

ଭୁବନେଶ୍ୱର: ରାଜଧାନୀରେ ଥିବା ସପିଂ ମଲ ସହିତ କୌଣସି ବି ବ୍ୟାବସାୟିକ ପ୍ରତିଷ୍ଠାନ, ମଲ୍‌ଟିପ୍ଲେକ୍ସସ୍‌, ହସ୍ପିଟାଲ, ଆପାର୍ଟମେଣ୍ଟ ଓ ଆବାସିକ ବାସଗୃହ ପ୍ରକଳ୍ପଗୁଡ଼ିକ ସେମାନଙ୍କ ପରିସୀମା ମଧ୍ୟରେ ପାର୍କିଂ ଫି’ ନେଇପାରିବେ ନାହିଁ। କେହି ଯଦି ଏଭଳି କରନ୍ତି ତେବେ ତାହାକୁ ବେଆଇନ ବୋଲି ଧରାଯିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡିଏ) ପକ୍ଷରୁ କଡ଼ା ନିର୍ଦେଶ ଜାରି କରାଯାଇଥିଲା।

ଏହି ବିଜ୍ଞପ୍ତି ପରେ ବି ବେଆଇନ୍‌ ପାର୍କିଂ ଫି ଆଦାୟ ପ୍ରସଙ୍ଗକୁ ନେଇ ରାଜଧାନୀରେ ଏସପ୍ଲାନେଡ୍‌ ସମେତ ୧୦ଟି ସପିଂ ମଲ ସହିତ ତିନିଟି ହସ୍‌ପିଟାଲକୁ ଅଫ୍‌-ଷ୍ଟ୍ରିଟ୍‌ ପାର୍କିଂ ଶୁଳ୍କ ଆଦାୟ ପାଇଁ ନୋଟିସ୍‌ ଜାରି କରାଯାଇଛି ବୋଲି ବିଡିଏ ଯୋଜନା ସଦସ୍ୟ ଗୌରୀଶଙ୍କର ଭୂୟାଁଙ୍କ ସୂଚନା ଦେଇଛନ୍ତି।

ବିଡିଏ ପକ୍ଷରୁ ସିମ୍ଫୋନି ମଲ, ଦ ଓ୍ଵାଲର୍ଡ, ଫୋରମ୍‌ ମାର୍ଟ, ମାରୁତି ମଲ, ପାଲ ମନ୍ତ୍ରା, ପାଣ୍ଟାଲୁନ୍‌ ସହିଦ ନଗର, ଭବାନି କମର୍ସିଆଲ୍ ଏନ୍‌କ୍ଲେଭ, ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌, ଡିଏନ୍‌ ରିଗାଲିଆ ସମେତ ଆପୋଲୋ ହସ୍‌ପିଟାଲ, କଳିଙ୍ଗ ହସ୍‌ପିଟାଲ ଓ କେୟାର ହସ୍‌ପିଟାଲ ଆଦିକୁ ପାର୍କିଂ ଶୁଳ୍ପ ଆଦାୟ ରୋକିବା ଓ ୭ଦିନ ଭିତରେ ଅନୁପାଳନ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ବିଫଳ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି।

ଏଥିସହିତ ଗୌରୀଶଙ୍କର ଭୂୟାଁ କହିଛନ୍ତି, ବିଲ୍ଡିଂ ପ୍ଲାନ୍‌ ଅନୁମତି ବେଳେ ପାର୍କିଂ ପ୍ଲାନ୍‌ ପାଇଁ ରିହାତି ମିଳିବ। ଆଇନ ଉଲଂଘନ କଲେ ଓଡ଼ିଏ ଆକ୍ଟ ୧୯୮୨ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦରକାର ପଡ଼ିଲେ ବିଲଡିଂର ପ୍ଲାନ୍‌ ଅନୁମତି ପ୍ରତ୍ୟାହାର କରାଯିବ। ଫାସିଲିଟେସନ ଚାର୍ଜ ନାମରେ କୌଣସି ପାର୍କିଂ ଫିଂ ଆଦାୟ ହୋଇପାରିବ ନାହିଁ।

ସମ୍ବନ୍ଧିତ ଖବର