ଭାଗୀଦାରିରେ ହେବ ୨୦ ହସ୍ପିଟାଲ : ମୋହର ଲଗାଇଲେ ମୁଖ୍ୟମନ୍ତ୍ରୀ, ଖୁବ୍‌ଶୀଘ୍ର ସଂସ୍ଥା ଚୟନ, ୨୭ ଶହ ଶଯ୍ୟା, ୧୦ ହଜାର ନିଯୁକ୍ତି ସୁଯୋଗ

ଭୁବନେଶ୍ୱର : ଘରୋଇ ଓ ସରକାରୀ ଭାଗୀଦାରିରେ ରାଜ୍ୟରେ ୨୦ଟି ଡାକ୍ତରଖାନା ନିର୍ମାଣ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଏକ ବଡ଼ ନିଷ୍ପତ୍ତି ଉପରେ ମୋଗର ଲଗାଇଛନ୍ତି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଥିବା ପୁଞ୍ଜି ବିନିଯୋଗ ନୀତି ୨୦୧୬ ଅନୁଯାୟୀ ରାଜ୍ୟର ୧୧ଟି ଉଚ୍ଚ ପ୍ରାଥମିକତା ଥିବା ଜିଲ୍ଲାକୁ ମଧ୍ୟ ଏ କ୍ଷେତ୍ରରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡିଛି।

ସରକାରୀ ସୂଚନା ଅନୁଯାୟୀ, ଏସବୁ ଡାକ୍ତରଖାନା ପୁରୀ, ଜୟପୁର, ଅନୁଗୁଳ, ବଡ଼ବିଲ, ବାରିପଦା, ଭଦ୍ରକ, ବଲାଙ୍ଗୀର, ଝାରସୁଗୁଡା, କଳାହାଣ୍ଡି, ଫୁଲବାଣୀ, ଢେଙ୍କାନାଳ, ବୌଦ୍ଧ, ନୂଆପଡା, ମାଲକାନଗିରି, ନବରଙ୍ଗପୁର, ସୋନପୁର, ରାୟଗଡା, ପାରଳାଖେମୁଣ୍ଡି, ରାଇରଙ୍ଗପୁର ଓ କେନ୍ଦ୍ରାପଡା ଆଦି ସ୍ଥାନରେ ନିର୍ମାଣ କରାଯିବ। ରାଜ୍ୟ ସରକାର ଦାବି କରିଛନ୍ତି ଯେ ସ୍ୱାସ୍ଥ୍ୟ ସେବା ପାଇଁ ଘରୋଇ-ସରକାରୀ ଭାଗିଦାରୀ କ୍ଷେତ୍ରରେ ଏହା ଦେଶର ସବୁଠାରୁ ବଡ଼ ପୁଞ୍ଜିନିବେଶ ହେବ। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଏହି ଡାକ୍ତରଖାନାଗୁଡିକ ହବ୍‌ ଓ ସ୍ପୋକ୍‌ ମଡେଲରେ ଖୋଲାଯିବ। କେତେକ ଡାକ୍ତରଖାନା କେନ୍ଦ୍ରୀୟ ଡାକ୍ତରଖାନା ଅର୍ଥାତ୍‌ ବା ହବ୍‌ ଭଳି କାର୍ଯ୍ୟ କରିବ। ଆଉ କେତେକ ଶାଖା ଡାକ୍ତରଖାନା ସ୍ପୋକ୍‌ ମଡେଲ୍‌ ଭିତ୍ତିରେ ନିର୍ମାଣ ହେବ।

ସ୍ପୋକ୍‌ ମଡେଲ ହସ୍ପିଟାଲରେ ଶଲ୍ୟ, ଭେଷଜ, ସ୍ତ୍ରୀ ରୋଗ, ଶିଶୁ ରୋଗ, ଅସ୍ଥି ଶଲ୍ୟ, ନିଶ୍ଚେତକ, ଚକ୍ଷୁ, ନାସାକର୍ଣ୍ଣ, ଗଳା, ଦନ୍ତ, ରଞ୍ଜନରଶ୍ମୀ, ନିଦାନ, ମାନସିକ ରୋଗ, ଚର୍ମ, ଗୁରୁତର ଚିକିତ୍ସା, ଜରୁରି ଚିକିତ୍ସା ଓ ଟ୍ରମା କେୟାର ଆଦି ବିଭାଗ ଖୋଲାଯିବ। ହବ୍‌ ହସ୍ପିଟାଲରେ ଏସବୁ ବିଭାଗ ସହିତ ହୃଦ୍‌ରୋଗ ଓ ସ୍ନାୟୁ ଶଲ୍ୟ ଚିକିତ୍ସା ସୁବିଧା ଉପଲବ୍ଧ ହେବ।

ସରକାରଙ୍କ ପକ୍ଷରୁ କୁହାଯାଇଛି, ଏହି ଯୋଜନା ଦ୍ୱାରା ରାଜ୍ୟର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବହୁତ ଉନ୍ନତି ଆସିପାରିବ। ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ୨୦ଟି ସ୍ଥାନରେ ପ୍ରଥମରୁ ଅତିକମ୍‌ରେ ୨୭୦୦ଟି ଅଧିକ ଶଯ୍ୟା ଉପଲବ୍ଧ ହୋଇପାରିବ। ରାଜ୍ୟରେ ଡାକ୍ତରଖାନାମାନଙ୍କରେ ଶଯ୍ୟା ଜନିତ ଯେଉଁ ଅଭାବ ରହିବ, ତାହା ୫୬% ପୂରଣ ହେବ ବୋଲି କୁହାଯାଇଛି।

ଏହି ସମସ୍ତ ହସ୍ପିଟାଲକୁ ଏନ୍‌ଏବିଏଚ୍‌ ଅଧିସ୍ୱୀକୃତି ଦିଆଯିବା ସହିତ ୫୦ ପ୍ରତିଶତ ଶଯ୍ୟା ଜେନେରାଲ ଓ୍ଵାର୍ଡରେ ରହିବ। ଏହି ସମସ୍ତ ହସ୍ପିଟାଲରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଇନ୍‌ସ୍ୟୁରାନ୍‌ସ ଓ ଆସ୍ୟୁରାନ୍ସ ଯୋଜନାରେ ରୋଗୀ ସେବା ପାଇପାରିବେ। ଘରୋଇ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଅତି କମ୍‌ରେ ୧୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ କ୍ଷେତ୍ର ସୃଷ୍ଟି କରିବ ଓ ୧୦ହଜାର ସିଧାସଳଖ ନିଯୁକ୍ତି ପାଇବେ। ମୁଖ୍ୟତଃ ପାରା ମେଡିକାଲ କ୍ଷେତ୍ରରେ ଏହିସବୁ ନିଯୁକ୍ତିଗୁଡିକ ଅଧିକ ସଂଖ୍ୟାରେ ସୃଷ୍ଟି ହେବ ଓ ମହିଳାମାନେ ଉପକୃତ ହେବେ। ଏଠାରେ ଉଲ୍ଲେଖଥାଉକି, କେଉଁ କେଉଁ ସଂସ୍ଥାମାନେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପୁଞ୍ଜିନିବେଶ ଲାଗି ଆଗ୍ରହୀ ଅଛନ୍ତି, ସେ ସଂକ୍ରାନ୍ତରେ ସରକାର ଏକ ତାଲିକା ପ୍ରସ୍ତୁତ କରିଛନ୍ତି ଓ ପ୍ରାରମ୍ଭିକ ଆଲୋଚନା ବି ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନୀତିଗତ ନିଷ୍ପତ୍ତି ନେବା ପରେ ଏବେ ବିଡିଂ ଭିତ୍ତିରେ ଘରୋଇ ସଂସ୍ଥାକୁ ଚୟନ କରାଯିବ ବୋଲି ସୂଚନା ମିଳିଛି। ରାଜ୍ୟ ସରକାର ମାଗଣା ଜମି, ଭିତ୍ତିଭୂମି, କର୍ମଚାରୀ ଆଦି ଯୋଗାଇ ଦେବେ। ସଂପୃକ୍ତ ସଂସ୍ଥା ଉପକରଣ ପ୍ରଦାନ କରିବେ ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି। ସେହିଭଳି କିଛି ଜିଲ୍ଲାରେ ନୂଆକରି ପ୍ରକଳ୍ପ କରାଯିବ ଓ ଆଉ କିଛି ଜିଲ୍ଲାରେ ନିର୍ମାଣାଧୀନ ହସ୍ପିଟାଲକୁ ସରକାର ନୂଆ ରୂପ ଦେବେ। ତେବେ ଯେଉଁ ସବୁ ସଂସ୍ଥାଙ୍କ ନାମ ଚୂଡାନ୍ତ ହେବ, ସେମାନଙ୍କ ସହିତ ରାଜ୍ୟ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିବେ। କେତେଦିନ ମଧ୍ୟରେ ଓ ନିର୍ଦିଷ୍ଟ କେଉଁଠାରେ ଏବଂ କିଭଳି ଢଙ୍ଗରେ ଏହି ଡାକ୍ତରଖାନା ଖୋଲିବ,ତାହା ଜଣାପଡିବ।

ସମ୍ବନ୍ଧିତ ଖବର