ବିଜୁଳି ନିର୍ଯାତନା ଅସହ୍ୟ : ସମଗ୍ର ରାଜ୍ୟରେ ଘନ ଘନ ବିଦ୍ୟୁତ କାଟ୍‌

ଲୋକେ ତାତିଲେଣି, କୋମନାରେ ବନ୍ଦ ପାଳନ, ସ୍ଥିତି ଆହୁରି ବିଗିଡ଼ିବ, ଓଇଆର୍‌ସି ନିରବ

ଭୁବନେଶ୍ୱର : ଦିନକୁ ଦିନ ବିଜୁଳି ଦର ବଢୁଛି। ଆଉ ଉପଭୋକ୍ତାଙ୍କ ମୁଣ୍ଡରେ ବର୍ଧିତ ଦର ଲଦି ଦେଇ ଶକ୍ତି ବିଭାଗ ବିଜୁଳି ନିର୍ଯାତନା ଆରମ୍ଭ କରିଦେଇଛନ୍ତି। ରାଜ୍ୟରେ ଅସହ୍ୟ ଗରମ ଏବଂ ଗୁଳୁଗୁଳି ସହିତ ଗତ କିଛି ଦିନ ଧରି ଅଘୋଷିତ ବିଜୁଳି କାଟ ଅବଧି ବି ବଢ଼ିଚାଲିଛି। କେଉଁଠି ଦିନକୁ ଘଣ୍ଟାଏ ତ କେଉଁଠି ପାଞ୍ଚ ଥର ଲେଖାଏଁ କଟୁଛି।

ସତ ଖୋଜିବା ପାଇଁ କୌଣସି ଗାଁ ଗହଳି ନୁହେଁ, ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଆଖି ବୁଲାଇଲେ ଶକ୍ତି ବିଭାଗର ବିଫଳତା ଧରାପଡ଼ିଯାଉଛି। ଭୁବନେଶ୍ୱରର ବମିଖାଲ, ଝାରପଡ଼ା ଅଞ୍ଚଳରେ ଗତ ସାତ ଦିନ ଧରି ଘନ ଘନ କଟୁଛି ବିଜୁଳି। ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ବରମୁଣ୍ଡା ଅଥବା ମଞ୍ଚେଶ୍ୱର, ରାଜଧାନୀ ଆଖପାଖରେ ଅନେକ ଅଞ୍ଚଳରେ ପ୍ରତିଦିନ ଲାଇନ୍‌ ବାରମ୍ବାର କଟୁଛି।
ଇଏ ହେଲା ରାଜଧାନୀ ଓ ଏହାର ଆଖପାଖର ବିଜୁଳି ଉପଭୋକ୍ତାଙ୍କ ଦୁର୍ଦଶା। ସାରା ରାଜ୍ୟରେ ଗ୍ରାମାଞ୍ଚଳ ବିଜୁଳି ଯୋଗାଣ ସ୍ଥିତି ଏହାଠାରୁ ଆହୁରି ସାଂଘାତିକ। କେବଳ ବିଜୁଳି କାଟ୍‌ ହେଉଛିି ତା’ ନୁହେଁ, ଭୋଲଟେଜ୍‌ ଏତେ କମ୍‌ ଯେ ଡିବିରି ଭଳି ଜଳୁଛି ବଲ୍‌ବ। ଫ୍ୟାନ୍‌ ବୁଲୁଛି ଧକେଇ ଧକେଇ। ବ୍ରହ୍ମପୁରଠାରୁ ଆରମ୍ଭ କରି ସମ୍ବଲପୁର, ରାଉରକେଲାଠାରୁ ପୁରୀ ଯାଏ ଏଭଳି ସମସ୍ୟା ଲୋକଙ୍କ ଅସନ୍ତୋଷକୁ ବହୁଗୁଣିତ କଲାଣି। ବିଜୁଳି କାଟ୍‌କୁ ନେଇ ଅସନ୍ତୋଷ ଏମିତିି ଯେ ନୂଆପଡ଼ା ଜିଲ୍ଲାର କୋମନା ବ୍ଲକରେ ଆଜି ବନ୍ଦ ଡାକରା ଦିଆଯାଇଥିଲା। ଉତ୍ତ୍ୟକ୍ତ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଅଟକ ରଖିଥିଲେ। କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି, ତିନି ଚାରି ମାସ ମଧ୍ୟରେ ସ୍ଥିିତିରେ ଉନ୍ନତି ଘଟିବ।

ଏପଟ ଆଜି ଶକ୍ତି ବିଭାଗ ଗୃହ କମିଟି ବୈଠକ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି ରାଜ୍ୟ ସରକାରଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ବିଜୁଳି, ଶାସନ ଗଲାଣି ହୁଗୁଳି, ଏହି ବାକ୍ୟଟି ସୂଚାଇ ଦେଉଛି ଯେ ସରକାରଙ୍କ ସ୍ୱାସ୍ଥ୍ୟ ବି ଆଉ ଭଲ ନାହିଁ। ଖୋଦ୍‌ ଭୁବନେଶ୍ୱରରେ ଯଦି ବାରମ୍ବାର ଲାଇନ୍‌ କଟୁଛି, ତେବେ ଗ୍ରାମାଞ୍ଚଳରେ ସ୍ଥିତି କିଭଳି ଥିବ, ଏକଥା ଆଉ କାହାକୁ ବୁଝେଇ କହିବା ଦରକାର ନାହିଁ। ସରକାର କିନ୍ତୁ ଏ ଦିଗରେ ଅବହେଳା ପ୍ରଦର୍ଶନ କରି ଚାଲିଛନ୍ତି।

ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ମଧ୍ୟ ଏ ପ୍ରସଙ୍ଗରେ ଆଜି ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିଜୁଳି ଦର ବଢାଇବା ବେଳେ ଆୟୋଗ କହୁଛନ୍ତି, ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦିଆଯିବ। ହେଲେ କେଉଁମାନର ସେବା ପାଉଛନ୍ତି ଏବଂ ସେବାର ମାନ ବଢିଛି କି କମିଛି ତାହା ଉପଭୋକ୍ତା ହିଁ କେବଳ ଭୋଗୁଛନ୍ତି। ରିଲାଏନ୍ସକୁ ତଡି ସରକାର ବିତରଣ କଂପାନି ଦାୟିତ୍ୱ ସମ୍ଭାଳିବା ପରେ ଉପଭୋକ୍ତା ଆଶା ବାନ୍ଧିଥିଲେ, ଏଥର ବିଜୁଳି ସ୍ଥିତି ସୁଧୁରିବ। କିନ୍ତୁ ବିଜୁଳି ସେବା ଆହୁରି ବିଗିଡିଛି।

ସେହିଭଳି ବିଦ୍ୟୁତ କର୍ମଚାରୀ ସଂଘର ନେତା ରମେଶ ଶତପଥୀ କହିଛନ୍ତି, ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡିଗଲାଣି। ତାର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ପାଖାପାଖି ୨୦ ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି। ହେଲେ ଏ ଦିଗରେ କାହାର ନିଘା ନାହିଁ। ଆଗକୁ ସ୍ଥିତି ଆହୁରି ଭୟାନକ ହେବ। ଖାଲି ଗାଁ ଗଣ୍ଡାରେ ବିଦ୍ୟୁତ୍‌ କାଟ ହେବ ତା ନୁହେଁ, ତାର ଛିଡି ଲୋକେ, ଜୀବଜନ୍ତୁ ମରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଶ୍ରୀ ଶତପଥୀ କହିଛନ୍ତି, ରାଜ୍ୟର ଅଧାରୁ ଅଧିକ ଅଞ୍ଚଳରେ ଆଜିକୁ ୪୦ରୁ ୫୦ ବର୍ଷ ହେଲାଣି ବିଦ୍‌୍ୟୁତ ତାର ପରିବର୍ତ୍ତନ ହୋଇନି। ଏଣୁ ଟିକିଏ ପବନ ହେଲେ ଛିଡି ଯାଉଛି। କେବଳ ସେତିକି ନୁହେଁ, କଣ୍ଡକ୍ଟର ଠାରୁ ଆରମ୍ଭ କରି ଟ୍ରାନ୍‌ଫର୍ମର ପର୍ଯ୍ୟନ୍ତ ସମୁଦାୟ ବ୍ୟବସ୍ଥାର ପରିବର୍ତନ ଦରକାର। ଗତ ୨୦ ବର୍ଷ ଧରି ଏ କ୍ଷେତ୍ରରେ ଆବଶ୍ୟକ ଅର୍ଥ ଖର୍ଚ୍ଚ କରାନଯିବା ଦ୍ୱାରା ଏବେ ଏଭଳି ପରିସ୍ଥିତି ଉପୁଜିଛି।

ଉଲ୍ଲେଖଥାଉକି, ୧୯୯୫ ମସିହାରେ ବିଦ୍ୟୁତ ବ୍ୟବସ୍ଥାରେ ଏକ ବଡ଼ଧରଣର ସଂସ୍କାର କରାଗଲା। ପରବର୍ତୀ ସମୟରେ ରାଜ୍ୟ ସରକାର ବିଜୁଳି ବ୍ୟବସ୍ଥାର ଉନ୍ନତି ପାଇଁ ୧୧୬୦ କୋଟି ଟଙ୍କା ବିଶ୍ୱବ୍ୟାଙ୍କରୁ ଆଣିଲେ। ମାତ୍ର ଏ ଅର୍ଥ ଖର୍ଚ୍ଚ ହୋଇପାରିଲା ନାହିଁ। ୨୦୦୦ ମସିହାରେ ଶୋଭନ୍‌ କାନୁନ୍‌ଗୋ କମିଟି ତାଙ୍କ ରିପୋର୍ଟରେ ଏକଥା ସ୍ପଷ୍ଟ ଭାବେ ଲେଖିଛନ୍ତି। ସେତେବେଳେ କମିଟି ଏକଥା ବି ସୂଚାଇଥିଲେ ଯେ ଶକ୍ତି କ୍ଷେତ୍ରରେ ତୁରନ୍ତ ୩୨୦୦ କୋଟି ଟଙ୍କା ବିନିଯୋଗ କରାଯାଉ।

ହେଲେ ଏ ଦିଗରେ କେହି ଧ୍ୟାନ ଦେଲେ ନାହିଁ। ଗୋଟିଏ ସମୟରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଶୁଣାଣି କରିବା ସମୟରେ ଘୋର୍‌ ଉଦ୍‌ବେଗ ପ୍ରକାଶ କରିବା ସହିତ ବିଜୁଳି ବ୍ୟବସ୍ଥା ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି ବୋଲି ତତ୍କାଳୀନ ମୁଖ୍ୟଶାସନ ସଚିବ ଅଜିତ କୁମାର ତ୍ରିପାଠୀଙ୍କୁ ଜଣାଇଥିଲେ। ଶକ୍ତି ବିଭାଗ ଦାୟିତ୍ୱରେ ଥିବା ବେଳେ ପ୍ରଦୀପ କୁମାର ଜେନା କାପେକ୍ସ ଯୋଜନାର ପରିକଳ୍ପନା କଲେ। ୨୦୧୦ରେ ସରକାର ସ୍ଥିର କଲେ ଯେ ଏହି ଯୋଜନାରେ ୨୪୦୦ କୋଟି ଖର୍ଚ୍ଚ ହେବ ଓ ଗାଁ ଗଣ୍ଡାର ତାର କଣ୍ଟକ୍ଟର ସବୁ ବଦଳିବ। ସେ ସମୟରେ ଦାୟିତ୍ୱରେ ଥିବା ଘରୋଇ କମ୍ପାନି ଅର୍ଥ ଖର୍ଚ୍ଚ କଲେନି। ପରିଣାମ ହେଲା, ପାଖାପାଖି ୯୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଲା।

ରାଜ୍ୟ ସରକାର ବିିଭିନ୍ନ ସମୟରେ ଯୁକ୍ତି ରଖିଛନ୍ତି ଯେ ୫୦୦ଟି ୩୩ କେଭି ସବ୍‌ ଷ୍ଟେସନ ପ୍ରତିଷ୍ଠା କରାଯାଉଛି, ଟାଓ୍ଵାର ଲାଇନ୍‌ ହେଉଛି, ଏମିତି ଅନେକ ପଦକ୍ଷେପ ନିଆଯାଉଛି। ହେଲେ ୧୧ କେଭି ଓ ଏଲ୍‌ଟି ଲାଇନ୍‌ ତାର ଛିିଣ୍ଡି ପଡୁଥିବା ବେଳେ ୩୩ କେଭିକୁ ଉନ୍ନତୀକରଣ କେଉଁ କାମରେ ଲାଗିବ? କେବଳ ସେତିକି ନୁହେଁ, ରାଜ୍ୟ ସରକାର ସମସ୍ତଙ୍କ ଘରକୁ ବିଜୁଳି ସଂଯୋଗ ପାଇଁ ନିଷ୍ପତ୍ତି ନେଇଛନ୍ତି। ହିତାଧିକାରୀ ସଂଖ୍ୟା ୭୦ଲକ୍ଷ ଛୁଇଁଲାଣି। ଏସବୁ ଗ୍ରାହକଙ୍କୁ ଉନ୍ନତମାନର ବିଦ୍ୟୁତ ଯୋଗାଇବା ପାଇଁ ବଣ୍ଟନ କଂପାନି ଅଧୀନରେ ପାଖାପାଖି ଅଢେଇ ଲକ୍ଷ କିଲୋମିଟର ବିଭିନ୍ନ ଲାଇନ ରହିଛି। ମାତ୍ର ଗତ ୪୦ବର୍ଷ ଧରି ଏଥିରୁ ପ୍ରାୟ ୫୦ ପ୍ରତିଶତ କ୍ଷେତ୍ରରେ ବିଦ୍ୟୁତ ତାର ପରିବର୍ତନ କରାଯାଇନି କି ଖୁଣ୍ଟ। ଏବେ ମଧ୍ୟ ଯେଉଁସ୍ଥାନକୁ ବିଦ୍ୟୁତ ସଂଯୋଗ କରାଯାଉଛି, ସେସବୁ ମଧ୍ୟରୁ ଅଧିକାଂଶ ତାର ଛିଣ୍ଡା। ଏପରି ପରିସ୍ଥିତିରେ ବିଦ୍ୟୁତ ବ୍ୟବସ୍ଥା ଭୁଶୁଡ଼ି ଯିବନି? ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

ଏବେ ଚାରିଟି ଯାକ ବିଜୁଳି ବିତରଣ କଂପାନିର ଦାୟିତ୍ୱ ସମ୍ଭାଳିଛନ୍ତି ସରକାରୀ ଅଧିକାରୀ। ପୂର୍ବରୁ କଂପାନି ମୁଣ୍ଡରେ ଦୋଷ ଲଦି ସରକାର ଖସିଯାଉଥିଲେ। ଏବେ କହୁଛନ୍ତି, କୌଣସି ସ୍ଥାନରେ ବି ବିଜୁଳି କାଟ୍‌ ହେଉନାହିଁ। ଏ ନେଇ ଖବର ବି ନାହିଁ।

ଗ୍ରୀଡ୍‌କୋ ନିର୍ଦେଶକ( ବାଣିଜ୍ୟିକ) ମାନସ ଦାସ କହିଛନ୍ତି, ଏବେ ବିଜୁଳି ଅଭାବ ନାହିଁ। ସରକାର ଆସନ୍ତାକାଲି ପାଇଁ ଆଜିଠାରୁ ବିଜୁଳି ସଂରକ୍ଷଣ କରି ରଖୁଛନ୍ତି। ଜଳବିଦ୍ୟୁତ ଉତ୍ପାଦନ କମିଛି ସତ, ମାତ୍ର ଜିଏମ୍‌ଆର, ବେଦାନ୍ତ କଂପାନି ଆଦିରୁ ଅଧିକ ବିଦ୍ୟୁତ ଅଣାଯାଉଛି। ତେବେ ଆଗକୁ କଣିହାଁ ଓ ଟିଟିପିଏସ୍‌ର ଗୋଟିଏ ଲେଖାଏଁ ୟୁନିଟ୍‌ ବନ୍ଦ ରହିବ। ସେସବୁ ୟୁନିଟ୍‌ର ମରାମତି ଆବଶ୍ୟକ। ଏଣୁ ମାସେ କାଳ ପାଖାପାଖି ୧୧୦ ମେଗାଓ୍ଵାଟ୍‌ ବିଦ୍ୟୁତ କମ୍‌ ମିଳିବ। ଏଥିପାଇଁ ମଧ୍ୟ ପୂର୍ବରୁ ଗ୍ରୀଡ୍‌କୋ ପ୍ରସ୍ତୁତ ରହିଛି।

ସମ୍ବନ୍ଧିତ ଖବର