ଆନ୍ଧ୍ରକୁ ଜବାବ ଦେବ ଓଡ଼ିଶା : ଝଞ୍ଜାବତୀରେ ନିର୍ମାଣ କରିବ ବ୍ୟାରେଜ୍

ପ୍ରକଳ୍ପ ପାଇଁ ୧୦୬ କୋଟି ବ୍ୟୟ ବରାଦ, ଖରିଫ ଋତୁରେ ସେଚିତ ହେବ ୨ହଜାର ହେକ୍ଟର ଜମି, ପ୍ରଭାବିତ ହେବ ଆନ୍ଧ୍ରର ପ୍ରକଳ୍ପ

ଜୟପୁର : ପାଣି ପାଇଁ ଏକତରଫା ନିଷ୍ପତ୍ତି ନେଇ ବାରମ୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଥିବା ଆନ୍ଧ୍ର ସରକାର ଏବେ ଝଟ୍‌କା ଖାଇବେ। ପୋଲାଭରମ ହେଉ କିମ୍ବା ବଂଶଧାରା ପ୍ରକଳ୍ପ ଉଭୟ ପ୍ରକଳ୍ପକୁ ଓଡ଼ିଶା ସରକାର ବିରୋଧ କରୁଥିଲେ ବି ଆଦୌ ଶୁଣୁନାହାନ୍ତି ପଡ଼ୋଶୀ ଆନ୍ଧ୍ର ସରକାର। ଉଭୟ ପ୍ରକଳ୍ପ ବର୍ତମାନ କୋର୍ଟରେ ବିଚାରାଧୀନ ରହିଥିବା ବେଳେ ଆନ୍ଧ୍ରକୁ କଡ଼ା ଜବାବ ଦେବାକୁ ଓଡ଼ିଶା ସରକାର ଖେଳିଛନ୍ତି ମାଷ୍ଟର‌େଷ୍ଟ୍ରାକ। ଜଳସଂପଦ ବିଭାଗ ପକ୍ଷରୁ ଆନ୍ଧ୍ରକୁ ବିନା ବ୍ୟବହାରରେ ଚାଲି ଯାଉଥିବା ଝଞ୍ଜାବତୀ ନଦୀ ପାଣିକୁ ଅଟକାଇ ବ୍ୟବହାର ପାଇଁ ନିଷ୍ପତ୍ତି ନିଆଯାଇଛି।

ମାଓ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ଲକ୍ଷ୍ମୀପୁର ବ୍ଲକକୁ ଫୋକସ୍‌ରେ ରଖି ନିର୍ମାଣ ହେବାକୁ ଯାଉଛି ବିରାଟ ବ୍ୟାରେଜ୍। ପ୍ରାୟ ୧୦୬ କୋଟି ଟଙ୍କା ବ୍ୟୟବରାଦରେ ଏହି ବ୍ୟାରେଜ ନିର୍ମାଣ ହେବାକୁ ଯାଉଛି। ଯାହାଫଳରେ ଝଞ୍ଜାବତୀ ନଦୀ ପାଣିକୁ ବ୍ୟବହାର ପାଇଁ ଆନ୍ଧ୍ର ସରକାର ନିଜ ଅଞ୍ଚଳରେ କରିଥିବା ମେଗା ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରୀକୁ ନେଇ ବର୍ତମାନ ସଂଶୟ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ନାରାୟଣପାଟଣା ବ୍ଲକର ଚିନ୍ତାଗୁଡା ଗାଁ ନିକଟରେ ୧୬୦ ମିଟର ଲମ୍ବା ବ୍ୟାରେଜ ଆରମ୍ଭ ହେବାକୁ ଯାଉଛି। ଏହି ବ୍ୟାରେଜରେ ୧୦ମିଟର ଲମ୍ବା ଓ ୬ମିଟର ଓସାର ବିଶିଷ୍ଟ ୧୨ଟି ଗେଟ୍ ଲାଗିବ। ମୋଟ ୨୫୪୬ ହେକ୍ଟର ଜମି ଜଳସେଚନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଖରିଫ ଋତୁରେ ୧୯୦୯.୭୬ ହେକ୍ଟର ଜମି ଜଳସେଚିତ ହୋଇପାରିବ। ପ୍ରସ୍ତାବିତ ଏହି ପ୍ରକଳ୍ପରେ ୨୭୧ ମିଟର ମାଟି ବନ୍ଧ ରହିବାକୁ ଥିବାବେଳେ ମୋଟ ଜଳଧାରଣ କ୍ଷମତା ୨୭୦ ମିଟର ରହିବ। ୩୯୩ ବର୍ଗ କିଲୋମିଟର ଦୂରରୁ ୪୨୪୦ କ୍ୟୁସେକ ଜଳ ଆସିବ। ନାରାୟଣପାଟଣା ବ୍ଲକର ୯ଟି ପଞ୍ଚାୟତର ୧୨୭ଟି ଗାଁ ଓ ଲକ୍ଷ୍ମୀପୁର ବ୍ଲକର ୧୦ରୁ ଅଧିକ ପଞ୍ଚାୟତ ଏହି ପ୍ରକଳ୍ପ ଦ୍ବାରା ଉପକୃତ ହେବ।

ଏହି ବ୍ୟାରେଜର ପରିକଳ୍ପନା ୧୫ ବର୍ଷ ତଳେ କରାଯାଇଥିଲା। ରାୟଗଡା ଜିଲ୍ଲା ପ୍ରଶାସନ ଏଠାରେ ବ୍ୟାରେଜ ନିର୍ମାଣ କରିବାକୁ ପ୍ରଥମେ ପ୍ରସ୍ତାବ ରଖିଥିବା ବେଳେ ୨୦୧୪ରେ କୋରାପୁଟ ଜିଲ୍ଲା ପ୍ରଶାସନ ଏହି ବ୍ୟାରେଜ ନିର୍ମାଣ ପାଇଁ ଅଣ୍ଟା ଭିଟିଥିଲା। ଗତବର୍ଷ ଜୁନ ମାସରେ ଜୟପୁର ଜଳ ସମ୍ପଦ ବିଭାଗ ପକ୍ଷରୁ ସର୍ଭେ କରାଯାଇଥିଲା। ପରବର୍ତୀ ସମୟରେ ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକ କାଗଜପତ୍ର କାମକୁ ତ୍ବାରାନ୍ବିତ କରାଯାଇଛି। ଅନ୍ୟପଟେ ଏହି ପ୍ରକଳ୍ପ ହେଲେ ଆନ୍ଧ୍ର ସରକାରଙ୍କ ଝଞ୍ଜାବତୀ ପ୍ରକଳ୍ପ ପ୍ରଭାବିତ ହେବାର ସମ୍ଭାବନା ରହିଥିବା କୁହାଯାଉଛି।

ଏସିଆର ବଡ଼ ରବର ଡ୍ୟାମ ଭାବେ ପରିଚିତ ଏହି ପ୍ରକଳ୍ପକୁ ଆନ୍ଧ୍ର ସରକାର ୨୦୦୬ ମସିହା ଜାନୁଆରି ମାସରେ ଲୋକାର୍ପଣ କରିଥିଲେ। ଉପର ମୁଣ୍ଡରୁ ଆସୁଥିବା ପାଣିକୁ ଗଚ୍ଛିତ ରଖିବାକୁ ଆନ୍ଧ୍ର ସରକାର ବିଜୟନଗରମ ଜିଲ୍ଲା କୋମାରାଡା ମଣ୍ଡଳ ଅନ୍ତର୍ଗତ ରାଜ ଲକ୍ଷ୍ମୀପୁରମ ନିକଟରେ ଏହି ପ୍ରକଳ୍ପକୁ ନିର୍ମାଣ କରିଛନ୍ତି। ବିଜୟନଗର ଜିଲ୍ଲାର ପ୍ରାୟ ୯୯୭୦ ହେକ୍ଟର ଜମିକୁ ଜଳ ଯୋଗାଉଥିବା ଥିବା ଏହି ପ୍ରକଳ୍ପ ପ୍ରାୟ ୬୦୦କୋଟି ଟଙ୍କା ବ୍ୟୟ କରି ନିର୍ମାଣ କରାଯାଇଛି।

ଏନେଇ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସେଠୀ କହିଛନ୍ତି ଯେ, ବ୍ୟାରେଜ ନିର୍ମାଣ ପାଇଁ ୧୫ବର୍ଷ ତଳେ ପରିକଳ୍ପନା କରାଯାଇଥିଲା। ପ୍ରଥମେ ରାୟଗଡା ଜିଲ୍ଲା ପ୍ରଶାସନ ଏଠାରେ ବ୍ୟାରେଜ କରିବାକୁ ପ୍ରସ୍ତାବ ଦେଇଥିଲା। ଯାହାକୁ ୨୦୧୪ରେ କୋରାପୁଟ ଜିଲ୍ଲା ପ୍ରଶାସନ ହାତକୁ ନେଇ ପଦକ୍ଷେପ ଗ୍ରହଣ କରିଛି।

ସମ୍ବନ୍ଧିତ ଖବର