ବିନା ଆଲୋଚନାରେ ଗୃହ ନିର୍ମାଣ ବିଭାଗର ଖର୍ଚଦାବି ପାସ୍‌

ଭୁବନେଶ୍ୱର : ଆଜି ଅପରାହ୍ଣରେ ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହ କାର୍ଯ୍ୟ ବର୍ଜନ କରିଥିଲେ। ଫଳରେ ବିନା ଆଲୋଚନାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୫୧୭୯ କୋଟି ୩୬ ଲକ୍ଷ ୭୩ ହଜାର ଟଙ୍କାର ଖର୍ଚଦାବି ପାରିତ ହୋଇଛି। ସରକାର ସବୁ ଘରକୁ ପିଇବାପାଣି ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ। ୨୦୧୯ ମାର୍ଚ ସୁଦ୍ଧା ସହରାଞ୍ଚଳର ୭୦ ଲକ୍ଷ ଲୋକଙ୍କୁ ପିଇବାପାଣି ଯୋଗାଇ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ।

ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ, ରାଜ୍ୟର ସମସ୍ତ ୧୧୪ଟି ପୌର ପରିଷଦର ୭୦ ଲକ୍ଷ ଲୋକଙ୍କ ପାଇଁ ୧୪୯୮ କି.ମି. ପାଇପ ନିର୍ମାଣ କରାଯାଇ ପିଇବାପାଣି ଯୋଗାଇ ଦିଆଯିବ। ଏଥିପାଇଁ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି। ଦ୍ୱୈତନଗରୀ କଟକ, ଭୁବନେଶ୍ୱରରେ କାର୍ଯ୍ୟକାରୀ ହେଉଥିବା ଜାଇକା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷରେ ଏହା ପର୍ଯ୍ୟାୟ କ୍ରମେ କାର୍ଯ୍ୟକ୍ଷମ ହେବ। ବର୍ତମାନ ସୁଦ୍ଧା ୨ଟି ପୌରାଞ୍ଚଳକୁ ଶୌଚମୁକ୍ତ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଖୋଲାରେ ଶୌଚମୁକ୍ତ କରିବାକୁ ଲକ୍ଷ୍ୟ ରହିଥିବା ମନ୍ତ୍ରୀ କହିଥିଲେ। ଏହା ସହିତ ସେ ସ୍ମାର୍ଟସିଟି, ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର, ଅମୃତ ଯୋଜନା ଆଦି ନେଇ ସରକାରଙ୍କ ସଫଳତା ଏବଂ ଆଗାମୀ ଦିନର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ।

ଆଲୋଚନା ଆରମ୍ଭ କରି ବିଜେଡି ବିଧାୟକ ଜୀବନ ପ୍ରଦୀପ ଦାଶ କହିଲେ, ଏହି ସରକାର ଆସିବା ପୂର୍ବରୁ ସହରାଞ୍ଚଳର ଯେଉଁ ଅବସ୍ଥା ଥିଲା ସେଥିରେ ଘୋର ପରିବର୍ତନ ହୋଇଛି। ୨୦୧୭-୧୮ରେ ପ୍ରତ୍ୟେକ ଓ୍ଵାର୍ଡର ବିକାଶ ପାଇଁ ମୋଟ ୬୩୩ କୋଟିର ଅର୍ଥ ଖର୍ଚ ହୋଇଛି। ସେହିପରି ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସରୋଜ ସାମଲ ଆଲୋଚନାରେ ଭାଗ ନେଇଥିଲେ। ବିଧାୟକ ମହେଶ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦିବ୍ୟଶଙ୍କର ମିଶ୍ର, ମାୟାଧର ଜେନା, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଡା. ପ୍ରିୟାଂଶୁ ପ୍ରଧାନ, ସାଇବା ସୁଶୀଲ କୁମାର ହାଂସଦା ସ୍ପଷ୍ଟୀକରଣ ଜରିଆରେ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର